ଓଡ଼ିଶା ହରାଇବ କି କୃଷି ପ୍ରଧାନ ରାଜ୍ୟର ମାନ୍ୟତା !

ମକାଚାଷୀଙ୍କ ଦୁଃଖ ଶୁଣୁନାହାନ୍ତି ସରକାର

ଓଡ଼ିଶା ହରାଇବ କି କୃଷି ପ୍ରଧାନ ରାଜ୍ୟର ମାନ୍ୟତା !
ସୌଜନ୍ୟ: ସୋସିଆଲ ମିଡିଆ

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ...ଏକଥା ଆମେ ସମସ୍ତେ ଜାଣିଛୁ । କିନ୍ତୁ କୃଷି ବହୁନେ ଚିନ୍ତାରେ ଚାଷୀ, କୃଷି ବହୁଳେ ଚିନ୍ତାରେ ଚାଷୀ... ଏଭଳି କଥା ଆପଣ କେବେ ଶୁଣିନଥିବେ । ଆଜ୍ଞା ହଁ ବର୍ତ୍ତମାନ ଏଭଳି ଆମ ରାଜ୍ୟର ଚାଷୀଙ୍କ ଅବସ୍ଥା । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବା ବେଳେ, ଏଠାରେ ଚାଷୀଙ୍କ ଦୁଃଖ କହିଲେ ନ ସରେ । ଭଲ ଚାଷ ନ ହେଲେ, ଉପଯୁକ୍ତ ସମୟରେ ବର୍ଷା ନ ହେଲେ କିମ୍ବା କେତେବେଳେ ଜଙ୍ଗଲି ଜନ୍ତୁ ମାନେ ଫସଲ ନଷ୍ଟ କରିବା ଦ୍ୱାରା ହତାଶ ହୋଇପଡ଼ନ୍ତି ଚାଷୀ ।  ଆଉ ବର୍ତ୍ତମାନ ସମୟରେ ଚାଷ ପ୍ରଚୁର ହେଉଛି, ଭଲ ଅମଳ ମଧ୍ୟ ହେଉଛି କିନ୍ତୁ ବିକ୍ରି ପାଇଁ ଉପଯୁକ୍ତ ବଜାର ନଥିବାରୁ ଚିନ୍ତାରେ ଚାଷୀ । କଷ୍ଟ କରି ଚାଷ କରୁଛନ୍ତି ଚାଷୀ, ହେଲେ ଉତ୍ପାଦନର ମୂଳଧନ ପାଉନାହାନ୍ତି ।

ଏବେ ଏଭଳି ଅବସ୍ଥା ନୂଆପଡ଼ା ଜିଲ୍ଲା ସିନାପାଲି କୋମନା ବ୍ଲକର ହଜାର ହଜାର ମକା ଚାଷୀଙ୍କର । ଚଳିତ ବର୍ଷ  ଜିଲ୍ଲାରେ ମକା ଫସଲ ଭଲ ହୋଇଛି । ତେଣୁ ମକା ଅମଳ ଆରମ୍ଭ ହୋଇଥିବା ବେଳେ ବିକ୍ରି ବ୍ୟବସ୍ଥା ନ ଥିବାରୁ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ ।  ମକା ବିହନ କିଲୋ ପିଛା ୧୨ ରୁ ୧୫ ଶହ ଟଙ୍କା ଦେଇ କିଣିଛନ୍ତି ଚାଷୀ । କିଏ ବ୍ୟାଙ୍କରୁ ଋଣ ଆଣି ତ କିଏ  ମହାଜନ ମାନଙ୍କ ଠାରୁ ଧାରକରଜ କରି ଚାଷ କରିଛନ୍ତି । କିନ୍ତୁ ଫସଲରୁ ଲାଭ ପାଇବା ତ ଦୂରର କଥା, ମୂଳଧନ ପାଇବେ କି ନାହିଁ ସେ ନେଇ ଦ୍ୱନ୍ଦରେ ଚାଷୀ । ଏଭଳି ପରିସ୍ଥିତିରେ ଋଣ କିଭଳି ଶୁଝିବେ ସେ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡ଼ିଛି ।

ତେବେ ଅମଳ ହୋଇଥିବା ମକା ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା କରିବାକୁ ବାରମ୍ବାର ସରକାରଙ୍କ ପାଖରେ ଗୁହାରୀ କରୁଛନ୍ତି ଚାଷୀ । ହେଲେ ମକା ଚାଷ ଓ ଚାଷୀଙ୍କ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡୁନାହିଁ । ଫଳରେ ମକା ଉପଯୁକ୍ତ ଦରରେ ବିକ୍ରି ହେବ କି ନାହିଁ  ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହାଛଡ଼ା ଏହାର ଫାଇଦା ମଧ୍ୟ ଉଠାଇ ପକାନ୍ତି ଅସାଧୁ ବେପାରି । ନିଜ କଷ୍ଟ ଅର୍ଜିତ ଅମଳକୁ କମ ଦରରେ ଅସାଧୁ ବେପାରିଙ୍କ ହାତକୁ ଟେକି ଦେବାକୁ ବାଦ୍ଧ ହୋଇଥାନ୍ତି ଚାଷୀ । ତେବେ ରାଜ୍ୟ ସରକାର, ମକା ଚାଷୀଙ୍କ ପାଇଁ ବିଭିନ୍ନ ସହାୟତା  ଯୋଗାଇ ଦେବା ସହ ମଣ୍ଡିର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।