ସେପଟେ ମା'ର ଚିତା, ଏପଟେ ରୋଗୀଙ୍କ ଚିକିତ୍ସା...
Advertisement

ସେପଟେ ମା'ର ଚିତା, ଏପଟେ ରୋଗୀଙ୍କ ଚିକିତ୍ସା...

ରାଜସ୍ଥାନ କରୌଲୀ ଜିଲ୍ଲା ରାନୌଲୀ ନିବାସୀ ଜଣେ ଡାକ୍ତର ପୁଅଙ୍କ ଏ କାହାଣୀ ଏବେ ପ୍ରତିଟି ଭାରତୀୟଙ୍କ ପାଇଁ ଏକ ପ୍ରେରଣା । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: କିଲର କୋରୋନାକୁ ମାତ୍ ଦେବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ଆମ ଦେଶର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ । ଦିନ ରାତି ଏକ କରି ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଏବେ ଡାକ୍ତରଙ୍କ ଏକ ମାତ୍ର ଲକ୍ଷ୍ୟ କୋରୋନା ଆକ୍ରାନ୍ତଙ୍କୁ ଠିକ୍ କରିବା ଏବଂ ଏହି ଭାଇରସକୁ ମାତ ଦେବା । ଆଉ ଏହାରି ଆଗରେ ଫିକା ପଡ଼ିଯାଇଛି ପରିବାର, ଘର, ଦ୍ୱାର ଏବଂ ଅନ୍ୟ ସବୁ । ତେବେ ଏସବୁ ଭିତରେ ସାମ୍ନାକୁ ଆସିଛି ଏପରି ଏକ ଖବର, ଯାହା ଆଣଣଙ୍କୁ ମଧ୍ୟ କିଛି ସମୟ ପାଇଁ ଭାବିବାକୁ ବାଧ୍ୟ କରିବ । 

ସେପଟେ ମା'ଙ୍କ ଚିତା ଜଳୁଛି, ଏପଟେ ଡାକ୍ତର ପୁଅ କୋରୋନା ଆଇସୋଲେସନ ୱାର୍ଡରେ ନିଜ ଦାୟିତ୍ୱ ସମ୍ପାଦନ କରୁଛି । ରାଜସ୍ଥାନ କରୌଲୀ ଜିଲ୍ଲା ରାନୌଲୀ ନିବାସୀ ଜଣେ ଡାକ୍ତର ପୁଅଙ୍କ ଏ କାହାଣୀ ଏବେ ପ୍ରତିଟି ଭାରତୀୟଙ୍କ ପାଇଁ ଏକ ପ୍ରେରଣା । ଜୟପୁର ଏସଏମଏସ ହସ୍ପିଟାଲରେ କୋରୋନା ଆଇସୋଲେସନ ଆଇସିୟୁର ପ୍ରଭାରୀ ରାମମୁର୍ତ୍ତି ମୀନାଙ୍କ ମା' ଭୋଲାଦେବୀ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ଏହି ସମୟରେ ପୁଅ ରାମମୁର୍ତ୍ତି ମୀନା ରୋଗୀସେବାରେ ନିୟୋଜିତ ଅଛନ୍ତି । ତେଣୁ ସେ ମା'ଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଗାଁକୁ ଯାଇପାରିନଥିଲେ । ମୋବାଇଲ ଭିଡ଼ିଓ କଲ ମାଧ୍ୟମରେ ମା'ଙ୍କୁ ଅନ୍ତିମ ଦର୍ଶନ କରି ପୁଣି ରୋଗୀ ସେବାରେ ଲାଗି ପଡ଼ିଥିଲା ଡାକ୍ତର ରାମମୁର୍ତ୍ତି ମୀନା । 

ତେବେ ଏହାକୁ ନେଇ ରାମମୁର୍ତ୍ତି ମୀନା ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ତାହା ମଧ୍ୟ ଆପଣଙ୍କୁ ଥରେ ଭାବିବାକୁ ବାଧ୍ୟ କରିବ । ଯେତେବେଳେ କୋରୋନା ଭାଇରସକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, ସେହି ସମୟରେ ରୋଗୀଙ୍କୁ ଛାଡ଼ି ଘରକୁ କିପରି ଯିବି ବୋଲି କହିଛନ୍ତି ଏହି ଡାକ୍ତର । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଏଠି ନିଜେ କୋରୋନା ରୋଗୀଙ୍କ ସେବା କରୁଛି । ଯଦି ଗାଁ କୁ ଯିବି, ତେବେ ଗାଁର ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି । ଅର୍ଥାତ ଦେଶପ୍ରେମ, ତ୍ୟାଗ, କର୍ତ୍ତବ୍ୟନିଷ୍ଠ ଆଗରେ ଅନ୍ୟ ସବୁ ଫିକା ପଡ଼ିଛି । କୋଟି କୋଟି ଦେଶବାସୀଙ୍କ ପାଇଁ ଏହି ତ୍ୟାଗ ପ୍ରେରଣା ଯୋଗାଇବ ନିଶ୍ଚୟ ।