କାହିଁକି ଆମେରିକାର ଏହି ସହରକୁ ପଶି ପାରିନି କୋରୋନା ? ଜାଣନ୍ତୁ କାରଣ
Trending Photos
)
ୱାଶିଂଟନ: କୋରୋନା ଯୋଗୁ ସବୁଠୁ ବେଶି ପ୍ରଭାବିତ ହୋଇଛି ଆମେରିକା । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ପାର କଲାଣି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଏବେ କୋରୋନାର ନୂଆ କେନ୍ଦ୍ର ପାଲଟିଛି । ତେବେ ଏସବୁ ଭିତରେ ଏଭଳି ଏକ ସହର ରହିଛି, ଯେଉଁଠି କୋରୋନା ଭାଇରସ୍ ପାଖ ମାଡିପାରିନାହିଁ । ଆପଣଙ୍କ ଭିତରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ଏହି ସହରର ନାମ କ'ଣ ? ଏବଂ ଏହା କିପରି ସମ୍ଭବ ହୋଇଛି ?
ଏହି ସହରର ନାମ ହେଉଛି ପଏଣ୍ଟ ରବର୍ଟସ । ଜନସଂଖ୍ୟା ପାଖାପାଖି ୧୩ ଶହ ହେବ । ଏହି ସହରର ଭୌଗଳିକ ଅବସ୍ଥିତି କିଛି ଏପରି, ଯାହା ଫଳରେ କୋରୋନାକୁ ରୋକିବାରେ ସଫଳ ହୋଇଛି । ପଏଣ୍ଟ ରବର୍ଟସ ୪୯ତମ ସମାନ୍ତରାଳ ରେଖା ତଳେ ରହିଛି । ସହର ଭିତରକୁ ପ୍ରବେଶ କରିବା ପାଇଁ କୌଣସି ସିଧା ରାସ୍ତା ନାହିଁ ।
ଭୌଗଳିକମାନେ ଏହି ସହରକୁ ଆମେରିକାର ପେନ୍-ଏକ୍ସକ୍ଲେଭ କହିଥାନ୍ତି । ଏହା ଏପରି ସ୍ଥାନରେ ଅବସ୍ଥିତ, ଯେଉଁ ସ୍ଥାନକୁ ଅନ୍ୟ ଦେଶ ଦେଇ ଯାଇହୁଏ । ଅର୍ଥାତ ପଏଣ୍ଟ ରବର୍ଟସର ରାସ୍ତା କାନାଡ଼ା ଦେଇ ଆସିଥାଏ । ଆମେରିକାର ଏକ ସହର ହୋଇଥିଲେ ମଧ୍ୟ ଏହା ବିଛିନ୍ନ ପରି ମନେହୁଏ । ଏହି ସହରକୁ ଏପର୍ଯ୍ୟନ୍ତ କୋରୋନା ପାଖ ମାଡିପାରିନାହିଁ ।
ପଏଣ୍ଟ ରବର୍ଟସ ଆମେରିକା ସିଆଟେଲର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୧୩୫ ମାଇଲ ଦୂରରେ ଅବସ୍ଥିତ । ସହରକୁ ଘରୋଇ ବିମାନ କିମ୍ବା ଜଳପଥ ଦେଇ ପହଞ୍ଚିହେବ । ମାତ୍ର ଏଭଳି ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ । ଉତ୍ତର ଆମେରିକାର ଏହା ସବୁଠୁ ସୁରକ୍ଷିତ ସହର ଭାବେ ପରିଚିତ । କୋରୋନାର ପ୍ରଭାବ ଦେଖି ଆମେରିକା ଏବଂ କାନାଡା ନିଜ ନିଜ ସୀମାକୁ ଲକ୍ କରିଦେଇଥିବା ବେଳେ ଏହି ସହରକୁ ଏବେ ଯିବା ଆସିବା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । କାହିଁକିନା ଏହି ଆମେରିକାରୁ ଏହି ସହରକୁ ଆସିବାକୁ ହେଲେ କାନାଡା ଦେଇ ଆସିବାକୁ ପଡ଼ିବ । ତେବେ କିଛି ଜରୁରୀ ପରିସ୍ଥିତିରେ କେବଳ ସହରର ଲୋକେ ବାହାରକୁ ଯାଇଥାନ୍ତି ।