Advertisement
Article Detail0/zeeodisha/odisha666016

କେବେ ଓ କେମିତି ଉଠିବ ଲକଡାଉନ, ଫିକ୍କି ଦେଲା ଏଭଳି ପ୍ରସ୍ତାବ...

ଧିରେ ଧିରେ ଲକଡାଉନ ଉଠାଇବାକୁ କହିଲା ଫିକ୍କି 

 କେବେ ଓ କେମିତି ଉଠିବ ଲକଡାଉନ, ଫିକ୍କି ଦେଲା ଏଭଳି ପ୍ରସ୍ତାବ...

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ଦିନକୁ ଦିନ ଉଗ୍ରରୂପ ନେଉଛି। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ଏଥିରେ ରୋକ ଲଗାଇବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଲକଡାଉନର ଅବଧି ମଧ୍ୟ ବଢାଇବାକୁ ସରକାର ଯୋଜନା କରୁଛନ୍ତି। ଆସନ୍ତା ୧୪ ତାରିଖରେ ପ୍ରଥମ ପର୍ଯ୍ୟାୟ ଲକଡାଉନର ସମୟସୀମା ଶେଷ ହେବାକୁ ଯାଉଛି। ତେବେ ଏହାରି ମଧ୍ୟରେ ସମସ୍ତଙ୍କ ମନରେ ଏକ ସାଧାରଣ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ଲକଡାଉନ କେବେ ଓ କିପରି ଦେଶରୁ ହଟିବ। କେତେ ଦିନ ପର୍ଯ୍ୟନ୍ତ ଏହି ଲକଡାଉନ ମଧ୍ୟ ଜାରି ରଖାଯିବ। 

ସେପଟେ ଦେଶରୁ ଏହି ଲକଡାଉନକୁ ପର୍ଯ୍ୟାୟ କ୍ରମେ ହଟାଇବାକୁ ନେଇ ଫିକ୍କି ସରାକରଙ୍କୁ ପ୍ରସ୍ତାବ ଦେଇଛି। ଫିକ୍କି କହିଛି ଯେ, ଦେଶରୁ ଧିରେଧିରେ ଲକଡାଉନକୁ ହଟାଯାଉ। ଦିନ ମଜୁରିଆ, ଶ୍ରମିକମାନଙ୍କୁ ୧୫ ତାରିଖରେ କାମରେ ଯୋଗଦେବାକୁ କୁହାଯାଉ। ଶ୍ରମିକମାନେ କାମରେ ଯୋଗଦେବାକୁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉ। କୋରୋନା ଫ୍ରି ଜିଲ୍ଲାରୁ ଧିରେ ଧିରେ ଲକଡାଉନକୁ ହଟାଯାଉ ବୋଲି କହିଛି ଫିକ୍କି। 

ସେହିପରି ଫିକ୍କି କହିଛି ଯେ, ରିଟେଲ ଷ୍ଟୋର ଗୁଡ଼ିକୁ ଆଂଶିକ ଭାବେ ଖୋଲାଯାଉ। ଇ-କମର୍ସ ଓ ଘରୋଇ ଉଡ଼ାଣକୁ ମଧ୍ୟ ଧୀରେଧୀରେ ଅନୁମତି ପ୍ରଦାନ କରିବାକୁ ଫିକ୍କି ପ୍ରସ୍ତାବ ଦେଇଛି। ସେହିପରି ସାଧାରଣ ଯାତ୍ରୀ ପରିବହନ ପାଇଁ ଉପଯୁକ୍ତ ନିୟମ ସହିତ ଅନୁମତି କେନ୍ଦ୍ର ସରକାର ଦିଅନ୍ତୁ। ରେଳ ଚଳାଚଳ ପାଇଁ ମଧ୍ୟ ଆଂଶିକ ଭାବେ ସରକାର ଆରମ୍ଭ କରିବାକୁ ନିଷ୍ପତ୍ତି ନିଅନ୍ତୁ। ସେହିପରି ଆଇଟି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଖୋଲିବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଉ। ଏହା ସହିତ ଛୋଟବଡ଼ ହୋଟେଲଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ଫିକ୍କି କହିଛି। 

Add Zee News as a Preferred Source

କୋରୋନା ଶୂନ୍ୟ ଜିଲ୍ଲାରେ ମଧ୍ୟ ଆବଶ୍ୟକ ସାମଗ୍ରୀ ଗୁଡ଼ିକୁ ପହଞ୍ଚାଇବା ପାଇଁ ସରକାର ପ୍ରୟାସ ଆରମ୍ଭ କରନ୍ତୁ। ଏହି ଉତ୍ପାଦନ ଗୁଡ଼ିକର ବିତରଣ କରିବା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ଫିକ୍କି କହିଛି। ଏହି କାର୍ଯ୍ୟ ପାଇଁ ୨୨ ରୁ ୩୯ ବର୍ଷୀୟ ସୁସ୍ଥ ବ୍ୟକ୍ତିଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ଫିକ୍କି କହିଛି।

About the Author