ପିତାଙ୍କ ହେଲା ମୃତ୍ୟୁ, ହାତ ଯୋଡ଼ି ଭିଡ଼ ହଟାଇଲେ ପୁଅ...

ଲକ୍ ଡାଉନ ବେଳେ ପ୍ରେରଣା ସାଜିଲେ ଆଇଆରଏସ୍ ଅଧିକାରୀ

ପିତାଙ୍କ ହେଲା ମୃତ୍ୟୁ, ହାତ ଯୋଡ଼ି ଭିଡ଼ ହଟାଇଲେ ପୁଅ...
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଯେତେବେଳେ କିଛି ଲୋକ ଲକ୍ ଡାଉନ ନିୟମ ମାନୁନଥିବା ନେଇ ଦେଶର ବିଭିନ୍ନ ସ୍ଥାନରୁ ଖବର ଆସୁଛି, ଠିକ୍ ସେହି ସମୟରେ ଜଣେ ଆଇଆରଏସ ଅଧିକାରୀ ପ୍ରେରଣାଦାୟୀ କାମ କରିଛନ୍ତି । ପିତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବାକୁ ଆସିଥିବା ବନ୍ଧୁବାନ୍ଧବଙ୍କୁ ଫେରାଇ ଦେଇଥିଲେ ଆଇଆରଏସ ଅଧିକାରୀ । କୋରୋନା ମୁକାବିଲା କ୍ଷେତ୍ରରେ ସାମାଜିକ ଦୂରତ୍ୱର ବଡ଼ ଭୂମିକା ଥିବାରୁ ହାତ ଗଣତି କିଛି ସମ୍ପର୍କୀୟଙ୍କ ସହାୟତାରେ ହିଁ ପିତାଙ୍କ ଅନ୍ତିମ ସଂସ୍କାର କରିଥିଲେ । ଯାହା ବର୍ତ୍ତମାନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି । 

ପୁରା ଘଟଣା ଥିଲା ଏପରି । ଦିଲ୍ଲୀରେ ଚାକିରି କରୁଥିବା ଆଇଆରଏସ ଅଧିକାରୀ ସଞ୍ଜୟ ଲୱାନିଆଙ୍କ ପିତା ବିଜୟ କୁମାର ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ଆଜି ତାଙ୍କ ଦେହାନ୍ତ ହେବାରୁ ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ପୈତୃକ ଗ୍ରାମ ଆଗ୍ରାକୁ ନିଆଯାଇଥିଲା । ତେବେ ସେଠାରେ ଅନ୍ତିମ ସଂସ୍କାର ଏବଂ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେବାକୁ ଲୋକଙ୍କ ଭିଡ଼ ଜମିଥିଲା । ହେଲେ ଛାତିକୁ ପଥର କରି ଭିଡ଼ ହଟାାଇବାକୁ ଚେଷ୍ଠା କରିଥିଲେ ଆଇଆରଏସ ଅଧିକାରୀ । ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଦୂରତ୍ୱର ଆବଶ୍ୟକତା ଥିବାରୁ ସମସ୍ତଙ୍କୁ ହାତ ଯୋଡ଼ି ଘରକୁ ଫେରିଯିବା ପାଇଁ ନିବେଦନ କରିଥିଲେ  ସଞ୍ଜୟ ଲୱାନିଆ । ପିତାଙ୍କ ଆତ୍ମାର ସତଗତି ପାଇଁ ନିଜ ନିଜ ଘରେ ହିଁ ପ୍ରାର୍ଥନା କରିବାକୁ ଅପିଲ କରିଥିଲେ । 

ମାତ୍ର ହାତ ଗଣତି ୧୦ରୁ ୧୫ ଜଣ ସମ୍ପର୍କୀୟଙ୍କ ସହାୟତାରେ ପିତାଙ୍କ ଅନ୍ତିମ ସଂସ୍କାର କରିଥିଲେ ଆଇଆରଏସ ଅଧିକାରୀ ସଞ୍ଜୟ । ତେବେ ଅନ୍ତିମ ସଂସ୍କାର ବେଳେ ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ମଧ୍ୟ ପିନ୍ଧିଥିଲେ ।  ଆଗ୍ରାର ତାଜଗଞ୍ଜ ଶ୍ମଶାନ ଘାଟରେ ପିତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ଆଇଆରଏସ ଅଧିକାରୀଙ୍କ ଏପରି କାର୍ଯ୍ୟ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ । କିଛି କାମ ନଥାଇ ଭିଡ଼ ଜମାଉଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଏକ ଆହ୍ୱାନ ସଦୃଶ୍ୟ । 

ଏଠାରେ ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛୁ, ବର୍ତ୍ତମାନ ପରିସ୍ଥିତିରେ ଆପଣ ଘରେ ରହିବା ନିହାତୀ ଦରକାର । କୋରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ । ନିଜ ପାଇଁ, ନିଜ ପରିବାର ପାଇଁ, ଆମ ସମାଜ ପାଇଁ, ଦେଶ ପାଇଁ ତଥା ମାନବ ସଭ୍ୟତାର କଲ୍ୟାଣ ପାଇଁ ଆପଣ ଲକ୍ ଡାଉନ ନିୟମ ପାଳନ କରନ୍ତୁ । ଆମେ ସମସ୍ତେ ଚାହିଁଲେ, କୋରୋନାକୁ ମାତ୍ ଦେଇପାରିବା ।