ମହାମାରୀ ସର୍ତକତା

ମହାରାଷ୍ଟ୍ରରେ ଦେଶର ସର୍ବାଧିକ ୩୮ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ କେରଳରେ ୨୨, ଦିଲ୍ଲୀରେ ୭, କର୍ଣ୍ଣାଟକରେ ୬, ଓଡ଼ିଶା, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀରରେ ଜଣେ ଲେଖାଏଁ କୋରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି ।

ମହାମାରୀ ସର୍ତକତା
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତରେ କୋରୋନା ବିପଦ କ୍ରମାଗତ ଭାବେ ବଢ଼ିଚାଲିଛି । ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ମଧ୍ୟ ଲଗାତାର ଭାବେ ବୃଦ୍ଧି ପାଉଛି । ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ୧୧୬ ରେ ପହଞ୍ଚିଛି । ତେବେ ସେମାନଙ୍କ ମଧ୍ୟରୁ ୧୩ ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୭ ଜଣ ବିଦେଶୀ ନାଗରିକ ରହିଛନ୍ତି । 

ମହାରାଷ୍ଟ୍ରରେ ଦେଶର ସର୍ବାଧିକ ୩୮ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ କେରଳରେ ୨୨, ଦିଲ୍ଲୀରେ ୭, କର୍ଣ୍ଣାଟକରେ ୬, ଓଡ଼ିଶା, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀରରେ ଜଣେ ଲେଖାଏଁ କୋରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ମହାମାରୀ କୋରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ସବୁ ରାଜ୍ୟ ସରକାର ସତର୍କ ଅଛନ୍ତି । ଅନେକ ରାଜ୍ୟରେ ସ୍କୁଲ କଲେଜ ମଧ୍ୟ ବନ୍ଦ କରିଦିଆଯାଇଛି । ଉତ୍ତରପ୍ରଦେଶ ସରକାର କୋରୋନାକୁ କାବୁ କରିବା ଲାଗି ଖାସ୍ ସତର୍କତା ଅବଲମ୍ବନ କରିଛନ୍ତି । ଲକ୍ଷ୍ନୌରେ ସିନେମା ହଲ୍, ଡିସ୍କୋ, ସୁଇମିଂ ପୁଲ୍, ଜିମ୍ ଆଦିକୁ ସୁରକ୍ଷା ଦୃଷ୍ଟିରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଦେଇଛନ୍ତି । ଗାଜିଆବାଦ, ନୋଏଡ଼ା, ଆଗ୍ରାରେ ମଧ୍ୟ ସିନେମା ହଲ୍, କ୍ଲବ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । 

ନେପାଳ ସୀମାରେ ଥିବା ୟୁପିର ସମସ୍ତ ଜିଲ୍ଲାରେ ବି ସିନେମା ହଲ୍ ବନ୍ଦ୍ କରିଦିଆଯାଇଛି । ଅନ୍ୟପକ୍ଷରେ କୋରୋନା ସତର୍କତା ଲାଗି ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏଥିସହ ସବୁ ଜିଲ୍ଲାରେ ଏପିଡେମିକ୍ ଡିଜିଜ୍ ଆକ୍ଟ ୧୮୯୭ ଲାଗୁ କରାଯାଇଛି  । ମଧ୍ୟପ୍ରଦେଶରେ କୋରୋନାକୁ ମହାମାରୀ ଘୋଷଣା କରାଯାଇଛି ।  ରାଜ୍ୟର ସମସ୍ତ ସ୍କୁଲ, କଲେଜ, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ଅଙ୍ଗନୱାଡ଼ିକୁ ଆଗାମୀ ଆଦେଶ ଆସିବା ପର୍ଯ୍ୟନ୍ତ ବନ୍ଦ୍ କରିଦିଆଯାଇଛି । ଏମପିରେ ସମସ୍ତ ସରକାରୀ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ଉପରେ ରୋକ୍ ଲଗାଇ ଦିଆଯାଇଛି । ବିଧାନସଭା ଅଧିବେଶନ ବନ୍ଦ୍ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି  । 

ସେପଟେ କୋରୋନା ଭାଇରସ ଦ୍ୱାରା ପ୍ରଭାବିତ ଇଟାଲୀର ମିଲାନରୁ ଉଦ୍ଧାର କରାଯାଇ ଅଣାଯାଇଥିବା ଲୋକଙ୍କୁ ITBPର ଛାୱଲା କ୍ୟାମ୍ପରେ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଛି । କୋଲକାତାରେ ମଧ୍ୟ ପୋଲିସ ଲୋକଙ୍କୁ କୋରୋନା ଉପରେ ସଚେତନ କରୁଛି । ସହରରେ ସୁଇମିଂ ପୁଲ୍, ଜିମ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭିଡ଼ ଅଞ୍ଚଳରୁ ଦୂରେଇ ରହିବା ଲାଗି ଲୋକଙ୍କୁ କୁହାଯାଇଛି । ହୁଗଳି ନଦୀ କୂଳରେ ନିର୍ମିତ ବେଲରୁ ମଠ ପକ୍ଷରୁ ଅନେକ କାର୍ଯ୍ୟକ୍ରମକୁ ସ୍ଥଗିତ କରି ଦିଆଯାଇଛି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । କରୋନା ଭାଇରସ ଡରରେ ଜମ୍ମୁ ଜିଲ୍ଲା ପ୍ରଶାସନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଢାବା ଓ ରେଷ୍ଟୁରାଣ୍ଟ ବନ୍ଦ୍ ରଖିବାକୁ  ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁରେ ସର୍ବସାଧାରଣ ସ୍ଥାନରେ ରାଲି, ପ୍ରଦର୍ଶନ ଓ ଧାର୍ମିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ବୈଷ୍ଣୋ ଦେବୀ ଶ୍ରୀନ୍ ବୋର୍ଡ ବିଦେଶୀ ଭକ୍ତଙ୍କ ପାଇଁ ଆଡଭାଇଜରୀ ଜାରି କରି କହିଛି, ଭାରତ ଆସିବାର  ୨୮ ଦିନ ମଧ୍ୟରେ ବୈଷ୍ଣୋ ଦେବୀ ଦର୍ଶନରେ ଆସନ୍ତୁ ନାହିଁ । 

କୋରୋନା ଭାଇରସ ଯୋଗୁଁ  ସୋମବାର ସୁପ୍ରିମକୋର୍ଟରେ ୬ଟି ଖଣ୍ଡପୀଠ ବସିଥିଲା । ପ୍ରତ୍ୟେକ ବେଞ୍ଚ୍ ମାତ୍ର ୧୨ଟି ଲେଖାଏଁ ମାମଲାର ଶୁଣାଣି କରିଥିଲେ । କୋଲକାତା ଓ କର୍ଣ୍ଣାଟକ ହାଇକୋର୍ଟ କେବଳ ଜରୁରୀ ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟରେ ୨ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ୍ ରହିବ । ରାଜ୍ୟରେ ସାର୍ବଜନୀନ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଆସାମରେ ବି ସ୍କୁଲ-କଲେଜ, ସିନେମା ହଲ୍, ଜିମ୍, ସୁଇମିଂପୁଲକୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ୨୪x୭ କଣ୍ଟ୍ରୋଲରୁମ୍ ଖୋଲାଯାଇଛି । 

କୋରୋନାର କୁପ୍ରଭାବକୁ ନଜରରେ ରଖି ଭାରତ ସରକାର କରତାରପୁର କରିଡରକୁ ବନ୍ଦ୍ କରିଦେଇଛନ୍ତି । କୋରୋନାକୁ ନେଇ ବଢ଼ିଚାଲିଥିବା କେସକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଶାନ୍ତ ରହିବାକୁ ଅପିଲ କରିଛନ୍ତି । ଏହାକୁ ନେଇ ଆଦୌ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସରକାର କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ କହିବାନୁସାରେ, ଦେଶରେ ବ୍ୟାପୁଥିବା କୋରୋନା ଭାଇରସକୁ ରୋକିବା ପାଇଁ ସବୁ ସ୍ତରରେ କଡ଼ା ପ୍ରସ୍ତୁତି କରାଯାଉଛି । କ୍ୱାରଣ୍ଟାଇନ୍ , ଆଇସୋଲେସନ୍ ୱାର୍ଡ ବଢ଼ାଯାଉଛି । ପ୍ରଶିକ୍ଷିତ କର୍ମଚାରୀ ଓ ରାପିଡ୍ ରେସପନ୍ସ ଟିମ୍ ବି ପ୍ରସ୍ତୁତ ରହିଛନ୍ତି ।

 ଆହୁରି ପଢ଼ନ୍ତୁ; ଦେଶସାରା ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ସମସ୍ତ ସାର୍ବଜନିନ ଅନୁଷ୍ଠାନ, ନିର୍ଦ୍ଦେଶ ଦେଲେ ମୋଦି ସରକାର