ଚିନ୍ତାରେ ରାୟଗଡାର ଧଳାସୁନା ଚାଷୀ

ଦୀର୍ଘ ଏକ ସପ୍ତାହରୁ ଉର୍ଦ୍ଧ ସମୟ ହେଲା କପା ଅମଳ ଆରମ୍ଭ ହୋଇଯାଇଛି । ହେଲେ ବର୍ତ୍ତମାନ ସୁଧା ଜିଲ୍ଲାରେ କପାମଣ୍ଡି ଖୋଲାଯାଇ ନାହିଁ । ସେଥିପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଧଳାସୁନା ଫଳାଉଥିବା ଚାଷୀ ।

 ଚିନ୍ତାରେ ରାୟଗଡାର ଧଳାସୁନା ଚାଷୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ପ୍ରାୟ ୨୦ ହଜାର ହେକ୍ଟର ଜମିରେ କରାଯାଇଛି କପାଚାଷ । ଦୀର୍ଘ ଏକ ସପ୍ତାହରୁ ଉର୍ଦ୍ଧ ସମୟ ହେଲା କପା ଅମଳ ଆରମ୍ଭ ହୋଇଯାଇଛି । ହେଲେ ବର୍ତ୍ତମାନ ସୁଧା ଜିଲ୍ଲାରେ କପାମଣ୍ଡି ଖୋଲାଯାଇ ନାହିଁ । ସେଥିପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଧଳାସୁନା ଫଳାଉଥିବା ଚାଷୀ ।

ଚଳିତ ବର୍ଷ ରମାନାଗୁଡା, ପଦ୍ମପୁର, ଗୁଡାରି ଓ ଗୁଣୁପୁର ବ୍ଲକରେ କପାଚାଷ କରାଯାଇଛି । ଧଳାସୁନା ଫଳାଇବାରେ ସୁନାମ ଅର୍ଜନ କରିଥିବା ଏହି ବ୍ଲକ ଗୁଡ଼ିକର ଚାଷୀଙ୍କ ଅବସ୍ଥା କହିଲେ ନସରେ । ବିଭିନ୍ନ ଘାତ ପ୍ରତିଘାତକୁ ସାମ୍ନା କରି ଚାଷୀ ମାନେ କପା ଚାଷ ଅମଳ କରିଛନ୍ତି । ଧାର କରଜ ଏବଂ ହାତଉଧାରି କରି ଚାଷୀ ମାନେ ନିଜ ଜମିରେ ଧଳା ସୁନା ଫଳାଇଛନ୍ତି । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ମଣ୍ଡି ଖୋଲିନଥିବାରୁ ଅମଳ ହୋଇଥିବା କପାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ କୂଳ। ପ୍ରତିବର୍ଷ ନଭେମ୍ବର ମାସରେ ଜିଲ୍ଲାପ୍ରଶାସନ ପକ୍ଷରୁ ମଣ୍ଡି ଖୋଲାଯାଇ କପା କ୍ରୟ କରାଯାଏ । ମାତ୍ର ଚଳିତ ବର୍ଷ ନଭେମ୍ବର ମାସ ଶେଷ ହେବାକୁ ବସିଲାଣି ହେଲେ ଏଯାଏଁ ମଣ୍ଡି ଖୋଲିନାହିଁ । କ୍ୱିଣ୍ଟାଲ କ୍ୱିଣ୍ଟାଲ କପା ଅମଳ କରି ଏବେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ  ।

ଉତ୍ପାଦିତ କପାକୁ କେଉଁଠି ସାଇତି ରଖିବ ସେ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି । ଚାଷ ପାଇଁ ଚାଷୀ ଋଣ କରିଥିଲେ । କପା ବିକ୍ରି ହେବା ପରେ ଋଣ ସୁଝିବେ ଭାବିଥିଲେ । ହେଲେ ସବୁକିଛି ଓଲଟା ହୋଇଯାଇଛି । ମଣ୍ଡି ଖୋଲି ନଥିବାରୁ କପା ବିକ୍ରି ହୋଇପାରୁନାହିଁ ଆଉ ଉତ୍ପାଦିତ ହୋଇଥିବା କପାର ସଂରକ୍ଷଣ ନେଇ ଚିନ୍ତାରେ ପଡ଼ିଯାଇଛି ଚାଷୀ   ।

ମଣ୍ଡି ଆରମ୍ଭ ହୋଇନଥିବା ଯୋଗୁ ଅନ୍ୟ ରାଜ୍ୟର ଦଲାଲ ମାନେ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି । ଦଲାଲ ମାନେ କମ୍ ଦରରେ କପା କିଣିବା ପାଇଁ  ପ୍ରସ୍ତୁତ ହେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି  । ଏନେଇ କପା ଚାଷୀ ବହୁ ହନ୍ତସନ୍ତ ହେବା ସହ ଅଭାବୀ ବିକ୍ରିର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି ।

ଗୁଣୁପୁର ଉପଜିଲ୍ଲାପାଳ ଡା. ବି ଏସ . ବଲ୍ଲୀରାମ କହିଛନ୍ତି '' ନଭେମ୍ବର ୨୨ ତାରିଖ ଦିନ ମଣ୍ଡି ଖୋଲିବା ନେଇ ଜିଲ୍ଲାପ୍ରଶାସନ ତରଫରୁ ବୈଠକ ଡକାଯାଇଛି । ଏହି ବୈଠକ ରେ ନିଷ୍ପତି ଗ୍ରହଣ କରାଯାଇ, ଏହି ମାସ ଶେଷ ସୁଧା ମଣ୍ଡି  ଆରମ୍ଭ ହୋଇଯାଈ ଚାଷୀଙ୍କ ଠାରୁ କପା କିଣା ଆରମ୍ଭ ହୋଇଯିବ ''।

ଜିଲ୍ଲା ପ୍ରଶାସନ କେବେ ସୁଧା ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନେବେ ଏବଂ କେବେ  ହତାସ କପା ଚାଷୀଙ୍କ ସମସ୍ୟା ର ସମାଧାନ ହେବ ତାହା ସମୟ କହିବ ।

 

Tags: