ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱରେ ୫୪,୯୦୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୨୬୮ ଲୋକଙ୍କ ମୃତ୍ୟୁ ଘଟିଛି |
Trending Photos
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି କୋଭିଡ 19 | ଅର୍ଥନୀତି ଠାରୁ ଆରମ୍ଭ କରି ସାମଜିକ କ୍ଷେତ୍ର ସବୁ ଏହା ଦ୍ୱାରା ହୋଇଛନ୍ତି କ୍ଷତିଗ୍ରସ୍ତ | ଯେଉଁଥିରୁ ବାଦ ପଡିନାହିଁ ସ୍ୱାସ୍ଥ୍ୟ ସେବା | ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ଅଗ୍ରଗତି କରିବା ସତ୍ତ୍ୱେ ବିଶ୍ୱରୁ କମି ନାହିଁ ଏହି ଭାଇରସର ପ୍ରଭାବ | ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଉପଲବ୍ଧ ଥିବା ଦେଶ ମଧ୍ୟ କୋରୋନା କବଳରୁ ବର୍ତ୍ତି ପାରିନାହାଁନ୍ତି | ଏହାର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମେତ ସମସ୍ତ ପ୍ରଭାବିତ ରାଷ୍ଟ୍ର ଉଦ୍ୟମ ଜାରି ରଖିଛନ୍ତି | ସଦ୍ୟ କୋଭିଡ19କୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି |
ଯେଉଁଥିରେ କୁହାଯାଇଛି ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱରେ ୫୪,୯୦୦ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ଯୋଗୁଁ ୨୨୬୮ ଲୋକଙ୍କ ମୃତ୍ୟୁ ଘଟିଛି | ଗତକାଲି ପର୍ଯ୍ୟନ୍ତ ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭, ୭୧,୯୧୦ରେ ପହଞ୍ଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୧୫,୧୭୦ ରହିଥିଲା | ଅନ୍ୟପଟେ ୧୮,୪୪,୦୩୦ ଆକ୍ରାନ୍ତ ସୁସ୍ଥ ହୋଇଥିଲେ| ଆମେରିକାରେ ୧୫,୧୫,୩୧୦ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ରବିବାର ୭୫୩୦ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ | କୋରୋନା ଆକ୍ରାନ୍ତ ମାମଲାରେ ୟୁରୋପୀୟ ଦେଶ ସ୍ପେନକୁ ପଛରେ ପକାଇଛି ଋଷ | ଗତକାଲି ଏଠାରେ ୯୭୦୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨,୮୧,୭୫୦କୁ ବୃଦ୍ଧିପାଇଛି |
ସ୍ପେନରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୧୦ କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୭୧୦କୁ ବୃଦ୍ଧି ପାଇଛି | ଅନ୍ୟପଟେ ବ୍ରିଟେନରେ ଗତକାଲି ୩୧୪୨ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ପଜିଟିଭଙ୍କ ସଂଖ୍ୟା ୨,୪୩,୩୦୦କୁ ବୃଦ୍ଧି ପାଇଛି | ସେହିପରି ଲାଟିନ ଆମେରିକୀୟ ଦେଶ ବ୍ରାଜିଲରେ ବିଗତ ଗୋଟିଏ ଦିନ ମଧ୍ୟରେ ୫୦୦ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ପଜିଟିଭଙ୍କ ସଂଖ୍ୟା ୨,୩୩,୬୪୫ରେ ପହଞ୍ଚିଛି |
ଅନ୍ୟପଟେ ୟୁରୋପରେ କୋରୋନାର ହଟସ୍ପଟ ଭାବେ ଉଭା ହୋଇଥିବା ଇଟାଲୀରେ ୨ ଲକ୍ଷ ୨୫ ହଜାର ୪୩୫, ଫ୍ରାନ୍ସରେ ୧ ଲକ୍ଷ ୭୯ ହଜାର ୫୬୫, ଜର୍ମାନୀରେ ୧ ଲକ୍ଷ ୭୬ ହଜାର ୬୩୦ ଏବଂ ତୁର୍କୀରେ ୧ ଲକ୍ଷ ୪୯ ହଜାର ୪୩୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ବ୍ରିଟେନ ପରେ ଆମେରିକାରେ କୋରୋନା ଯୋଗୁଁ ୩୪,୬୩୫ ଲୋକଙ୍କ ମୃତ୍ୟୁ ଘଟିଛି | ଏହି ମହାମାରୀରେ ଇଟାଲୀରେ ୩୨ ହଜାର ଲୋକ ପ୍ରାଣ ହରାଇଛନ୍ତି | ଫ୍ରାନ୍ସରେ କୋରୋନା ଜନିତ ମୃତାହତଙ୍କ ସଂଖ୍ୟା ୨୮ ହଜାର ୧୦୮ ରହିଥିବା ବେଳେ ସ୍ପେନରେ ୨୭ ହଜାର ୬୫୦ ଲୋକଙ୍କ ମୃତ୍ୟୁ ଘଟିଛି |