)
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କୋଭିଡ19 ମୁକାବିଲା କ୍ଷେତ୍ରରେ ମରିସସ ପ୍ରତିପକ୍ଷ ପ୍ରବିନ୍ଦ ଜଗନ୍ନାଥଙ୍କ ସହ ବର୍ତ୍ତାଳାପ ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଦେଶରେ କୋରୋନା ମୁକାବିଲା କ୍ଷେତ୍ରରେ ମରିସସ ସରକାରଙ୍କ ସଫଳ ହୋଇଥିବାରୁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ସେ |
ଏନେଇ ପିଏମ ମୋଦି ଟ୍ୱିଟ କରି କହିଛନ୍ତି, "ଆଜି ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ସହ ଆଲୋଚନା ହୋଇଛି | କୋରୋନା ଭାଇରସର ମୁକାବିଲା କ୍ଷେତ୍ରରେ ମରିସସକୁ ଶୁଭେଚ୍ଛା ଜଣାଉଛି | କୋଭିଡ19 ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗୀ ଭାବେ ଭାରତ, ମରିସସକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧ ପ୍ରଦାନ କରିଥିଲା | " ବିଶ୍ୱରେ କୋରୋନା ତାଣ୍ଡବ ଜାରି ରହିଥିବା ବେଳେ ଭାରତ ପକ୍ଷରୁ ଦିଆଯାଇଥିବା ଚିକିତ୍ସା ସୁବିଧା ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ମରିସସ ପ୍ରଧାନମନ୍ତ୍ରୀ |
ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସକୁ ଦେଶରେ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସକ୍ଷମ ହୋଇଛନ୍ତି ମରିସସ ସରକାର | ଏବେକାର ସ୍ଥିତିରେ ସେଠାରେ କୌଣସି ନୂଆ କୋରୋନା ପଜିଟିଭ କେସ ସାମ୍ନାକୁ ଆସିନାହିଁ | ସେଠାକାର ସ୍ୱାସ୍ଥ୍ୟ ବିଭାଗ ମୁତାବକ ଦେଶରେ ମୋଟ ୩୩୨ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ସୋମାନଙ୍କ ମଧ୍ୟରୁ ୩୨୨ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ରହିଛି |
ଅନ୍ୟପଟେ ଭାରତରେ କୋରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି | ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ପାର କରି ସାରିଲାଣି | ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ମୋଟ ପଜଟିଭ ସଂଖ୍ୟା ୧ଲକ୍ଷ ୨୫ ହଜାରରେ ପହଞ୍ଚିଛି | କୋରୋନାରେ ୩୭୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୧ ହଜାର ୭୮୪ ଆକ୍ରାନ୍ତ ସୁସ୍ଥ ହୋଇଛି |