covid19 update: ଦେଶରେ ବିଭିନ୍ନ ପ୍ରାନ୍ତରେ କାୟା ବିସ୍ତାର କରୁଛି କୋରୋନା
Advertisement

covid19 update: ଦେଶରେ ବିଭିନ୍ନ ପ୍ରାନ୍ତରେ କାୟା ବିସ୍ତାର କରୁଛି କୋରୋନା

ଦେଶର ବିଭିନ୍ନ ପ୍ରାନ୍ତରେ କୋରୋନା ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି | 

 covid19 update: ଦେଶରେ ବିଭିନ୍ନ ପ୍ରାନ୍ତରେ କାୟା ବିସ୍ତାର କରୁଛି କୋରୋନା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା କୋରୋନା ଏବେ ଦେଶର ବିଭିନ୍ନ ପ୍ରାନ୍ତରେ କାୟା ବିସ୍ତାର କରିବାରେ ଲାଗିଛି | ଜୁନ ୬ ତାରିଖ ଶନିବାର ମଧ୍ୟାନ୍ନ ପର୍ଯ୍ୟନ୍ତ ଦେଶରେ ମୋଟ ୨ ଲକ୍ଷ ୩୬ ହଜାର ୬୫୭ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୬୪୨ ଲୋକଙ୍କ ମୃତ୍ୟୁ ଘଟିଛି | ମେ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ସେବା ଆରମ୍ଭ ହେବା ପର ଠାରୁ ପ୍ରବାସୀଙ୍କ ସଂଖ୍ୟାର ଏକ ବଡ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ସ୍ଥାନାନ୍ତରିତ ହୋଇଛନ୍ତି | 
 
ଯେଉଁ ରାଜ୍ୟକୁ ଅଧିକ ମାତ୍ରାରେ ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ହେଉଛି ସେଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇଛି | କେତେକ ରାଜ୍ୟରେ ଏହି ସଂଖ୍ୟା ୧୦ ଗୁଣା ବୃଦ୍ଧି ପାଇଛି | ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପଛରେ ଅନ୍ୟ ଏକ କାରଣ ହେଉଛି ବିଦେଶରୁ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥିବା ଅନ୍ତର୍ଜାତୀୟ ବିମାନ ସେବା |        
 
ଦେଶରେ ମେ ୨୫ ତାରିଖରେ ଘରୋଇ ବିମାନ ସେବା ଆରମ୍ଭ ହୋଇଥିଲା | ବିଭିନ୍ନ ପର୍ଯ୍ୟାୟ କ୍ରମେ ଦେଶରେ ଲାଗୁ ହୋଇଥିବା ଲକ ଡାଉନ ହଟାଯିବାର ପ୍ରଥମ ସପ୍ତାହ ଚାଲିଛି | ଗତ ମେ ୩୧ ତାରିଖରେ ସମଗ୍ର ଦେଶରୁ ଲକ ଡାଉନ ହଟାଯିବା ପରେ ଜୁନ ପହିଲାରୁ ଅନଲକ1 କାର୍ଯ୍ୟକାରୀ ହୋଇଛି | ସେ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ କୋଭିଡ19 ଜନିତ ମାମଲା ୩୫ ହଜାର ଥିବା ବେଳେ, ମୃତକଙ୍କ ସଂଖ୍ୟା ୧୧୫୦ ରହିଥିଲା | ଜୁନ ୫ ତାରିଖ ଶୁକ୍ରବାର ସୁଦ୍ଧା ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ୨୬ ହଜାର ୭୭୦ରେ ପହଞ୍ଚି ଥିବା ବେଳେ, ମୃତକଙ୍କ ସଂଖ୍ୟା ୬୩୪୮ ରହିଥିଲା | ଯଦି ଏହାକୁ ତୁଳନାତ୍ମକ ଭାବେ ଅଧ୍ୟୟନ କରାଯାଅ ତାହାଲେ, ଆକ୍ରାନ୍ତଙ୍କ ସଂଖ୍ୟା ୬ ଗୁଣା ଏବଂ ମୃତକଙ୍କ ସଂଖ୍ୟା ୫ ଗୁଣା ବୃଦ୍ଧି ପାଇଛି | 
 
 
କୋରୋନା ଆକ୍ରାନ୍ତ ଲୋକଙ୍କ ମଧ୍ୟରୁ ୧ ଲକ୍ଷ ୧୨ ହଜାର ସୁସ୍ଥ ହୋଇଥିବା ବେଳେ, ୧ ଲକ୍ଷ ୧୦ ହଜାର ଲୋକଙ୍କ ଚିକିତ୍ସା ଜାରି ରହିଛି | ବିଗତ କିଛି ଦିନ ଧରି ଏହି ସଂଖ୍ୟାରେ ଆଠ ହଜାର  କିମ୍ବା ଏହା ଠାରୁ ଅଧିକ ହାରରେ ପରିବର୍ତ୍ତନ ଆସିଛି |  ଏପରି ଅନେକ ରାଜ୍ୟ ଅଛନ୍ତି  ଯେଉଁଠି ସଂକ୍ରମଣ ଜନିତ ମାମଲା ଏକ ହଜାର କିମ୍ବା ତାହା ଠାରୁ ଅଧିକ ରହିଛି ସେମାନଙ୍କ ସଂଖ୍ୟା ବର୍ତ୍ତମାନ ୧୯ରେ ପହଞ୍ଚିଛି | ମେ ପହିଲା ସୁଦ୍ଧା ଏହି ସଂଖ୍ୟା ୯ ଥିଲା | ଗତ ମେ ମାସ ସୁଦ୍ଧା କେବଳ ମହାରାଷ୍ଟ୍ରରେ କୋଭିଡ19 ଜନିତ ମାମଲା ୧୦ ହଜାର ଥିଲା | ବର୍ତ୍ତମାନ ଏହାକୁ ଛାଡି ଗୁଜୁରାଟ ଏବଂ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦଶ ହଜାର ପାର କରିସାରିଛି | ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାରରୁ ଅଧିକ ରହିଛି | 
 
ଯେଉଁ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା  ହଜାରେ କିମ୍ବା ଅଧିକ ରହିଛି ସେହି ରାଜ୍ୟ ହେଉଛନ୍ତି ଆସାମ, ବିହାର, ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, କେରଳ, ଓଡିଶା, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ରହିଛି | ଅନ୍ୟପଟେ ଝାଡଖଣ୍ଡ ଏବଂ ଛତିଶଗଡରେ କୋରୋନା ସଂକ୍ରମଣ ଜନିତ ମାମଲା ୮୦୦ କିମ୍ବା ଏହା ଠାରୁ ଅଧିକ ରହିଛି | ମେ ପହିଲା ସୁଦ୍ଧା ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ,  ତାମିଲନାଡୁ, ତେଲେଙ୍ଗାନା କୋରୋନା ଜନିତ ମାମଲା ହଜାରରୁ ଅଧିକ ରହିଥିଲା | ବର୍ତ୍ତମାନ ମହାରାଷ୍ଟ୍ରରେ ୮୦ ହଜାର, ଦିଲ୍ଲୀରେ ୨୬ ହଜାର,  ଗୁଜୁରାଟରେ ୧୯ ହଜାର କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା | 
 
ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାରରୁ ଅଧିକ ରହିଥିବା ବେଳେ, ମୃତ୍ୟୁ ସଂଖ୍ୟା ୨୮୪୯ ରହିଛି | ଅନ୍ୟପଟେ ଗୁଜୁରାଟରେ ୫୧୦ଟି ନୂଆ ମାମଲା ସାମ୍ନାକୁ ଆସିଛି | ଏହି ପଶ୍ଚିମ ଭାରତୀୟ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୧୧୯ ଥିବା ବେଳେ, ମୃତକଙ୍କ ସଂଖ୍ୟା ୧୧୯୦ ପହଞ୍ଚିଛି | ସେହିପରି ଉତ୍ତର ପ୍ରଦେଶରେ କୋଭିଡ19 ଜନିତ ୫୦୦ଟି ନୂଆ ମାମଲା ଆସିଛି | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୩୩ ଥିବା ବେଳେ ମୃତକଙ୍କ ସଂଖ୍ୟା ୨୫୭ ରହିଛି | ଅନ୍ୟପଟେ ପଶ୍ଚିମବଙ୍ଗରେ ୪୨୭ଟି ନୂଆ ମାମଲା ଆସିଛି | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୭୩୦୩ ଥିବା ବେଳେ, ମୃତ୍ୟୁ ସଂଖ୍ୟା ୨୯୪ ରହିଛି | ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ୧୧୧ଟି ନୂଆ ମାମଲା ଆସିଥିବା ବେଳେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯୯ ରହିଛି |