covid19 update: ଆମେରିକା ପରେ ବ୍ରାଜିଲ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଲାଟିନ ଆମେରିକୀୟ ଦେଶ ବ୍ରାଜିଲରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା | 

ନୂଆଦିଲ୍ଲୀ: ବିଶ୍ୱରେ ଜାରି ରହିଛି କୋରୋନା ତାଣ୍ଡବ | ଛୋଟ ଠାରୁ ବଡ ଦେଶ ସମସ୍ତେ ଏହି ଭାଇରସର କବଳକୁ ଚାଲି ଆସିଛନ୍ତି | ସଦ୍ୟ ଏହାକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି | ଲାଟିନ ଆମେରିକୀୟ ଦେଶ ବ୍ରାଜିଲରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି | କୋଭିଡ19 ପଜିଟିଭ ତାଲିକାରେ ଋଷକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି ବ୍ରାଜିଲ | ଏ ମାମଲାରେ ସର୍ବାଗ୍ରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା | ଯେଉଁଠି ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ପାର କରିସାରିଛି |    

ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ କୋରୋନା ଭାଇରସ ଯୋଗୁଁ ଦେଶରେ ରେକର୍ଡ ସଂଖ୍ୟାକ ୧୦୦୧ ମୃତ୍ୟୁ ହୋଇଛି | ମୋଟ ମୃତକଙ୍କ ସଂଖ୍ୟା ୨୧,୦୪୮ରେ ପହଞ୍ଚିଛି | ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) ପକ୍ଷରୁ ଦକ୍ଷିଣ ଆମେରିକାକୁ କୋଭିଡ19ର ନୂତନ କେନ୍ଦ୍ର ଭାବେ ଦର୍ଶାଯାଇଛି | ଡବ୍ଲ୍ୟୁଏଚଓର ଏମରଜର୍ଜେନ୍ସି ଡାଇରେକ୍ଟର ମାଇକ ରୟାନ କହିଛନ୍ତି କୋରୋନା ଯୋଗୁଁ ବ୍ରାଜିଲ ଅନ୍ୟ ଦେଶଙ୍କ ତୁଳନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି |  
  
ବ୍ରାଜିଲରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଇଟାଲୀ, ସ୍ପେନ ଏବଂ ଫ୍ରାନ୍ସରେ ପରେ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି | ଆସନ୍ତା ଜୁନ ସୁଦ୍ଧା ବ୍ରାଜିଲରେ କୋରୋନା ସଂକଟ ଗୁରୁତର ହେବା ନେଇ ସ୍ପଷ୍ଟ ହୋଇନାହିଁ | ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୬.୩ ଲକ୍ଷରେ ପହଞ୍ଚିଛି | ଏହା ଯୋଗୁଁ ୯୬,୩୨୯ ଲୋକଙ୍କ ମୃତ୍ୟୁ ହୋଇଥିବା  ବେଳେ, ୩ ଲକ୍ଷ ୧୩ ହଜାର ଲୋକ ସୁସ୍ଥ ହୋଇଛନ୍ତି | 

ବ୍ରାଜିଲରେ କୋରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ଥିବା ବେଳେ, ଏହା ଦ୍ୱାରା ମୃତ୍ୟୁ ସଂଖ୍ୟା ୨୧ ହଜାର ୧୧୬ରେ ପହଞ୍ଚିଛି | ଅନ୍ୟପଟେ ୧ ଲକ୍ଷ ୩୫ ହଜାର ଲୋକ ସୁସ୍ଥ ହୋଇଛନ୍ତି |  ବିଶ୍ୱରେ  କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ୧ ହଜାରରେ ପହଞ୍ଚି ଥିବା ବେଳେ, ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଏବଂ  ୨୦ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ସାରିଛନ୍ତି |