ଭାରତରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭୪୬୬କୁ ବୃଦ୍ଧିପାଇଛି |
Trending Photos
)
ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ମଚାଇଥିବା କୋରୋନା ମହାମାରୀର ସ୍ଥିତି ଭାରତରେ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି | ଦେଶରେ କୋଭିଡ19 ଜନିତ ମୃତ୍ୟୁସଂଖ୍ୟା ୭୪୬୬କୁ ବୃଦ୍ଧି ପାଇଛି | ଅନ୍ୟପଟେ ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯୯୮୭ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ, ୨୬୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି |
ଜୁନ ୯ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ମୋଟ ୨ଲକ୍ଷ ୬୬ ହଜାର ୫୯୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧ଲକ୍ଷ ୨୯ ହଜାର ୨୧୫ କୋଭିଡ19 ପଜିଟିଭ ସୁସ୍ଥ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ଜଣେ ପ୍ରବାସୀ ଅଛନ୍ତି | ଅନ୍ୟପଟେ ୧ଲକ୍ଷ ୨୯ ହଜାର ୯୧୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି |
କରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର | ଏଠାରେ ୮୮,୫୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁରେ ୩୩,୨୨୯ ଏବଂ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୨୯,୯୪୩ କୋଭିଡ19 ପଜିଟିଭ ଥିବା ସ୍ପଷ୍ଟ ହୋଇଛି |
ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୮.୪୬ ପ୍ରତିଶତ ସୁସ୍ଥ ହୋଇଛନ୍ତି | ଅନ୍ୟପଟେ ଏହି ଭାଇରସରେ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ୪୦,୯୭୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ବିଶ୍ୱବ୍ୟାପୀ ତାଣ୍ଡବ ଖେଳାଇଥିବା କୋଭିଡ19 ଯୋଗୁଁ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଦେଶଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ଭାରତ | ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଋଷିଆ ଏବଂ ୟୁକେ ଆଦି ଦେଶ ପ୍ରଥମରୁ ଚତୁର୍ଥ ସ୍ଥାନରେ ରହିଛନ୍ତି |