ବଢୁଛି ସାଇବର ମାମଲା, ଧରାପଡୁନାହାନ୍ତି ଅପରାଧୀ
Advertisement

ବଢୁଛି ସାଇବର ମାମଲା, ଧରାପଡୁନାହାନ୍ତି ଅପରାଧୀ

ଅଡୁଆ ବଢାଉଛନ୍ତି ଫେସବୁକ, ହ୍ୱାଟସ୍ ଆପ

ସୌଜନ୍ୟ: ସୋସିଆଲ ମିଡିଆ

 ସରୋଜ ବେହେରା, ଭୁବନେଶ୍ୱର: ରାଜ୍ୟରେ ବଢୁଛି ସାଇବର କ୍ରାଇମ । ଥାନା ପୋଲିସ ପାଇଁ ଚାଲେଞ୍ଜ ହେଉଛି ଏ ସମସ୍ତ ସାଇବର ଅପରାଧ । ଦିନକୁ ଦିନ ରାଜ୍ୟରେ ସାଇବର ସମ୍ପର୍କୀୟ ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସଂଖ୍ୟା ଯଥେଷ୍ଟ କମ ରହିଛି । ସବୁଠାରୁ ଦୁଃଖର ବିଷୟ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୪ ହଜାର ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରୀ ସଂଖ୍ୟା ମାମଲାର ୪ ଭାଗରୁ ଭାଗେ ମଧ୍ୟ ହୋଇନି । ସାଇବର ଅପରାଧ ରୋକିବାରେ ପୋଲିସର ବିଫଳତାର ସୁଯୋଗ ଓଡ଼ିଶାରେ ଏବେ ସାଇବର ଠକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

କୁହାଯାଇଥିଲା ସାଇବର ଅପରାଧ ରୋକିବା ପାଇଁ ଭୁବନେଶ୍ୱରେ ହେବ ନୂତନ ସାଇବର ତାଲିମ କେନ୍ଦ୍ର । ବଛାବଛା ପୋଲିସ ଅଧିକାରୀଙ୍କୁ ଏହି ତାଲିମ କେନ୍ଦ୍ରରେ ତାଲିମ ଦିଆଯିବ । ଭୁବନେଶ୍ୱର ସମେତ କୋରାପୁଟ ଓ ବାଲେଶ୍ୱରରେ ୩ଟି ନୂତନ ସାଇବର ଥାନା ତିଆରି କରାଯିବ । ଏ ସବୁ ନେଇ କିଛି ମାସ ତଳେ ତତ୍ପରତା ପ୍ରକାଶ କରାଯାଇଥିଲା । ହେଲେ ଏ ସବୁ ଯୋଜନା ପାଣିର ଗାର ଭଳି ମନେ ହେଉଛି ।  ସବୁଠୁ ଦୁଃଖର ବିଷୟ ହେଉଛି ପ୍ରତିବର୍ଷ ରାଜ୍ୟରେ ସାଇବର ଅପରାଧ ସଂଖ୍ୟା ବର୍ଷକୁ ବର୍ଷ ୫ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ସେ ସଂଖ୍ୟାରେ ସାଇବର ଏକ୍ପପର୍ଟ ନ ଥିବାରୁ ଅପରାଧୀମାନେ ଧରାପଡୁନାହାନ୍ତି । କେବଳ ସେତିକି ନୁହଁ କେତେ ଟଙ୍କା ଯାଏ ଠକେଇ ହେଲେ ସାଇବର ଥାନାରେ ଅଭିଯୋଗ କରିହେବ ତାହାକୁ ନେଇ ମଧ୍ୟ ଲୋକେ ଅବଗତ ହୋଇନାହାନ୍ତି । ଗତ ୪ ବର୍ଷର ସାଇବର ମାମଲା ସଂଖ୍ୟା ଓ ଗିରଫଦାରୀ ଅନୁପାତକୁ ଅନୁଧ୍ୟାନ କଲେ ସାଇବର ଅପରାଧ ତଦନ୍ତରେ ରାଜ୍ୟ ପୋଲିସ ବାହିନୀ ଏବଂ କ୍ରାଇମବ୍ରାଞ୍ଚ ସାଇବର ସେଲ କେତେ ପରାଙ୍ଗମ ତାହା ଜଣାପଡିଛି । ୨୦୧୬ ରୁ ୨୦୧୯ ସେପ୍ଟେମ୍ବର ସୁ୍ଦ୍ଧା ରାଜ୍ୟରେ ୨୮୭୩ଟି ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ୭୭୫ ଜଣଙ୍କୁ ଗିରଫ କରାଯାଇଛି । ଗୋଟାଏ ଗୋଟାଏ ମାମଲାରେ ଏକାଧିକ ଅଭିଯୁକ୍ତ ରହିଥିବା ବେଳେ ଗିରଫଦାରୀ ସଂଖ୍ୟା ୨୫ ପ୍ରତିଶତରୁ ମଧ୍ୟ କମ ରହିଛି । ପୋଲିସ ବିଭାଗରେ ସାଇବର ତାଲିମ ପ୍ରାପ୍ତ ପୋଲିସ ଅଧିକାରୀଙ୍କ ସଂଖ୍ୟା କମ ଥିବାରୁ ଏଭଳି ଅବସ୍ଥା ଦେଖି ଦେଉଥିବା ବିଶେଷଜ୍ଞ ତଥା ଏଥିକାଲ ହ୍ୟାକର ଚିରାଗ ରଥ କହିଛନ୍ତି ।

ସମୟ ବଦଳିବା ସହ ଓଡ଼ିଶାରେ ମଧ୍ୟ ବୈଷୟିକ ଜ୍ଞାନ କୌଶଳ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଛି । ଟେକନୋଲୋଜି ବଢିବା ସହ ତାହାର ଅପବ୍ୟବହାର ମଧ୍ୟ ବଢିଛି । ୨୦୧୬ରେ ଓଡିଶାରେ ୩୧୭ଟି କେସ ରୁଜୁ ହୋଇଥିବା ବେଳେ ୯୯ ଜଣଙ୍କୁ ଗିରଫ କରାଯାଇଛି । ୨୦୧୭ରେ ୮୨୪ଟି କେସ ମଧ୍ୟରୁ ୧୯୩ଜଣ ପୁରୁଷ ଓ ୨ ଜଣ ମହିଳା ଗିରଫ କରାଯାଇଛି । ୨୦୧୮ରେ ୮୬୭ଟି କେସରୁ ୨୫୮ ପୁରୁଷ, ୮ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ସେଭଳି ୨୦୧୯ ମାର୍ଚ୍ଚ ସୁଦ୍ଧା ୨୪୧ଟି ମାମଲା ରୁଜୁ ହୋଇଛି । ସେଥିରୁ ଜଣେ ମହିଳା ଏବଂ ୪୫ ଜଣ ପୁରୁଷକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ । କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ  ମଧ୍ୟ ଏହି ଅସୁବିଧାକୁ ସ୍ୱିକାର କରିଛନ୍ତି । କହିଛନ୍ତି ଆବଶ୍ୟକ ମୁତାବକ ତାଲିମପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ପୂରଣ କରିବା ପାଇଁ ଚେଷ୍ଟା ଚାଲିଛି । ଅନେକ ସମୟରେ ଫେସବୁକ ଓ ହ୍ୱାଟସ୍ ଆପ ଭଳି ସଂସ୍ଥା କୌଣସି ସହଯୋଗ କରୁ ନ ଥିବାରୁ ସେଥିରେ ହେଉଥିବା ଫ୍ରଡ ଓ ଅପରାଧୀଙ୍କୁ ଧରିବା କାଠିକର ପାଠ ହେଉଛି ।

ସାଇବର ଠକେଇ, ବ୍ଲାକ ମେଲିଂ, ଅନ ଲାଇନ ଠକେଇ, ବ୍ୟାଙ୍କ ଠକେଇ ଭଳି ବିଭିନ୍ନ ସାଇବର ଅପରାଧ ସହିତ ସାଇବର ଅପରାଧରେ ଯୁବପିଢିଠାରୁ ଆରମ୍ଭ ହୋଇ ନାବାଳକ, ନାବାଳିକା ମାନେ ମଧ୍ୟ ଲିପ୍ତ ହେଲେଣି । ତେଣୁ କିଭଳି ଏହାକୁ ରୋକାଯିବ ସେ ନେଇ କିଛି ଦିନ ତଳେ unicefର ସହଯୋଗରେ ପୋଲିସ ଡିଜି ବରିଷ୍ଠ ପୋଲିସ କର୍ମଚାରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ହେଲେ ଏ ପରିସଂଖ୍ୟାନ ପୋଲିସ ବିଭାଗର ଆଖି ଖୋଲିବାକୁ କିଛି କମ ନୁହଁ ।