ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର, ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ

ସକାଳ ୮ଟାରେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଓ ଅଜିତ

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର, ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଦୀର୍ଘଦିନ ଧରି ଚାଲିଥିବା ମହାନାଟକରେ ଯବନିକା ପକାଇଲା ବିଜେପି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ଦେବେନ୍ଦ୍ର ଫଡ୍‌ନାଭିସ୍‌ । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର । ଆଜି ସକାଳ ୮ଟା ସମୟରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଓ ଅଜିତ । ରାଜ୍ୟପାଳ ଭଗତ ସିଂ ଉଭୟଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ରାତାରାତି ହଠାତ ମୁଣ୍ଡ ଟେକିଥିବା ବିଜେପି ଓ ଏନସିପି ମେଣ୍ଟକୁ ଦେଖି ଶିବସେନାର ଆଶା ମୌଳି ଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ବର୍ତ୍ତାମାନ ଯାଏ ମ୍ୟାଜିକ ନମ୍ୱର ଛୁଇଁ ପାରି ନାହିଁ ବିଜେପି ଓ ଏନସିପି ମେଣ୍ଟ । ବର୍ତ୍ତମାନ ବି ମ୍ୟାଜିକ ନମ୍ୱର ଛୁଇଁବା ପାଇଁ ୧୮ଟି ସମର୍ଥନ ବାକି ଅଛି ଽ 

ରାତାରାତି ମହାରାଷ୍ଟ୍ର ରାଜନୀତିରେ ଆସିଥିବା ଏହି ଟ୍ୱିଷ୍ଟ ଏବେ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ମହାରାଷ୍ଟ୍ରରେ ବାଲ୍ ଠାକ୍‌ରେଙ୍କ ଉତ୍ତରାଧିକାରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ମେଣ୍ଟ ସରକାର ଗଠନ ନିମନ୍ତେ ଉଦ୍ଧର ଠାକରେଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଦାବି ଜଣାଇଥାନ୍ତେ। ହେଲେ ଆଜି ସକାଳୁ ବିଜେପି ଓ ଏନସିପି ମେଣ୍ଟ ମହାରାଷ୍ଟ୍ରର ଶାସନ ଭାର ସମ୍ଭାଳିଛନ୍ତି ।

ଶପଥ ନେବା ପରେ ଦେବେନ୍ଦ୍ର ଫଡନାଭିସ୍ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓ କହିଛନ୍ତି ମହାରାଷ୍ଟ୍ରବାସୀ ଏକ ସ୍ଥାୟୀ ସରକାର ଚାହାନ୍ତି, ଖେଚୁଡି ସରକାର ନୁହଁ । ତିନି ଦଳ ମିଶି ମେଣ୍ଟ ସରକାର କରିଥିଲେ ତାହା ତିଷ୍ଠି ପାରି ନ ଥାଆନ୍ତା । ସେପଟେ ଶରଦ ପାୱାର ମଧ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି ଅଜିତ ପାୱାର ନିଜର ବ୍ୟକ୍ତିଗତ ସମର୍ଥନ କରିଛନ୍ତି ।