ସାଇକେଲରେ ସିସୋଦିଆ
Advertisement

ସାଇକେଲରେ ସିସୋଦିଆ

ସାଙ୍ଘାତିକ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ଦେବା ପାଇଁ ଆଜିଠୁ ଆରମ୍ଭ ହୋଇଛି ଅଡ-ଇଭେନ ଫର୍ମୁଲା ।  ସାଇକେଲରେ ଅଫିସ ବାହାରିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ତୃତୀୟ ଥର ପାଇଁ ଆରମ୍ଭ ହୋଇଛି ଅଡ-ଇଭେନ ନିୟମ । ବର୍ତ୍ତମାନ ରାଜଧାନୀରେ ବାୟୁ ପ୍ରଦୂଷଣ ସଙ୍ଘାତିକ ସ୍ଥିତିରେ ଥିବା ବେଳେ ନିୟନ୍ତ୍ରଣ ପାଇଁ ଏହାକୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ଖୋଦ ସରକାରଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ମଧ୍ୟ ଏହି ନିୟମକୁ ମାନୁଛନ୍ତି । ଏହି କ୍ରମରେ ପୂର୍ବଥର ପରି ସାଇକେଲରେ ଅଫିସ ବାହାରିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । 

ଆଜି ନିଜ ବାସଭବନରୁ ସାଇକେଲ ଯୋଗେ ଅଫିସ ବାହାରିଥିଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ । କିଛି ସମୟ ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, ଆମକୁ କିଛି ଦିନ ଏହି ନିୟମ ମାନିବାର ଅଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହେଲେ ଏହାର ଆବଶ୍ୟକତା ରହିଛି । ସେହିପରି ହରିୟାଣା ଏବଂ ପଞ୍ଜାବରେ ହେଉଥିବା ପରାଲୀ ପୋଡିକୁ ଦିଲ୍ଲୀ ପ୍ରଦୂଷଣର ମୁଖ୍ୟ କାରଣ ଭାବରେ ସେ ଅବିହିତ କରିଛନ୍ତି । ୨୦୧୬ରେ ଯେବେ ପ୍ରଥମ ଥର ପାଇଁ ଏହି ନିୟମ ଲାଗୁ ହୋଇଥିଲା, ସେତେବେଳେ ମଧ୍ୟ ସାଇକେଲରେ ଅଫସି ଯାଉଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । 

କହିରଖୁଛୁ, ସାଙ୍ଘାତିକ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ଦେବା ପାଇଁ ଆଜିଠୁ ଆରମ୍ଭ ହୋଇଛି ଅଡ-ଇଭେନ ଫର୍ମୁଲା । ଏହି ନିୟମ ମୁତାବକ, ଆସନ୍ତା ୧୫ ତାରିଖ ଯାଏଁ ଦିଲ୍ଲୀରେ ଅଧା ଗାଡି ଗଡିବ, ଆଉ ଅଧା ବସିରହିବ । ପ୍ରଥମ ଦିନରେ ଅଯୁଗ୍ମ ଗାଡି ଅର୍ଥାତ ଯେଉଁ ୪ ଚକିଆ ଯାନବାହରର ଗାଡି ନମ୍ବର ଅଯୁଗ୍ମ, ତାହା ଦିଲ୍ଲୀ ରାସ୍ତାରେ ଗଡିପାରିବ ନାହିଁ । ନିୟମ ଅମାନ୍ୟ କଲେ ୪ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ।ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀକାଳୀନ ସେବା ପାଇଁ ନିୟମକୁ କୋହଳ କରାଯାଇଛି । 

ଆଜି ସକାଳ ୮ଟାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଫର୍ମୁଲା । ଆସନ୍ତା ୧୫ ତାରିଖ ଯାଏ ପ୍ରତ୍ୟେକ ଦିନ ସକଳା ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । ଅନ୍ୟ ରାଜ୍ୟରୁ ଦିଲ୍ଲୀ ଆସୁଥିବା ଯାନବାହନ ଉପରେ ମଧ୍ୟ ଏହା ନିୟମ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି । ତେବେ ଆସନ୍ତା ୧୦ ତାରିଖ ରବିବାର ଦିନ ନିୟମକୁ କୋହଳ କରାଯାଇଛି । ନିଜ ପିଲା ଛୁଆଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏହି ନିୟମ ମାନିବାକୁ ଜନତାଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । 

କେଉଁ ଦିନ କେଉଁ ନମ୍ବରର ଗାଡି ଚଳାଇପାରିବେ ?

ଅତି ସରଳ ଭାବରେ କହିଲେ ଆସନ୍ତା ୪ରୁ ୧୫ ତାରିଖ ଯାଏ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବରର ଗାଡି ଦିଲ୍ଲୀରେ ଚାଲିପାରିବ । ଅର୍ଥାତ ନଭେମ୍ବର ୪, ୬, ୮, ୧୨ ଓ ୧୪ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ନଭେମ୍ବର ୫, ୭, ୯, ୧୧, ୧୩ ଓ ୧୫ ତାରିଖରେ ଅଯୁଗ୍ମ ନମ୍ବର ଯୁକ୍ତ ଗାଡି ହିଁ ଗଡିବ । ଆସନ୍ତା ୧୦ ତାରିଖ ରବିବାର ଦିନ ଏହି ନିୟମ ଲାଗୁ ହେବ ନାହିଁ । ଅର୍ଥାତ ରବିବାର ଯୁଗ୍ମ ତାରିଖରେ ମଧ୍ୟ ଅଯୁଗ୍ମ ନମ୍ବରର ଗାଡି ଆପଣ ବ୍ୟବହାର କରିପାରିବେ ।