'ଖାକି' ପିନ୍ଧିବାକୁ ଡରୁଛି ପୋଲିସ !
Advertisement

'ଖାକି' ପିନ୍ଧିବାକୁ ଡରୁଛି ପୋଲିସ !

ସାମାନ୍ୟ ବଚସାରୁ କ'ଣ ଏତେ ଉଗ୍ରରୂପ ଧାରଣ କରିଛି ପୋଲିସ-ଓକିଲ ବିବାଦ । ଆଇନଜୀବୀ ଏବଂ ଆଇନ ସୁରକ୍ଷାକାରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହି ଆସିଥିବା ପୁଞ୍ଜୀଭୂତ କ୍ରୋଧର ପ୍ରତିଫଳନ ଏହା ନୁହେଁ ତ ? 

ଫଟୋ ସୌଜନ୍ୟ: ଏଏନଆଇ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଓଡ଼ିଶା ସ୍ଥିତି । ଉଗ୍ରରୂପ ଧାରଣ କରିଛି ପୋଲିସ-ଆଇନଜୀବୀ ବିବାଦ । ଦିନେ କଟକରେ ଯାହା ଦେଖିବାକୁ ମିଳିଥିଲା, ଏବେ ନୂଆଦିଲ୍ଲୀରେ ଅବିକଳ ତାହା ହିଁ ଘଟିଛି । ଖାକି ପିନ୍ଧିବାକୁ ଏଠି ପୋଲିସ ଡରୁଛି । ଅନ୍ୟପଟେ ପୋଲିସ ଗୁଣ୍ଡାରାଜ ଆଡକୁ ମୁହାଁଇଥିବା ଅଭିଯୋଗ କରୁଛନ୍ତି ଆଇନଜୀବୀ । ତିସ୍ ହଜାରୀ କୋର୍ଟ ପରିସରରେ ପୋଲିସ ଓ ଆଇନଜୀବୀ ମୁହାଁମୁହିଁ ହେବା ଘଟଣାକୁ ନେଇ ଆଜି ହୁଲସ୍ତୁଲ ହୋଇଛି ଦେଶର ରାଜଧାନୀ ।

ଆଇନର ସୁରକ୍ଷାକାରୀ ବନାମ ଆଇନଜୀବୀ । ପୋଲିସ-ଓକିଲ ମୁହାଁମୁହିଁ ହେବା ଘଟଣା ନୁହେଁ । ଛାଇ ଦେଖିଲେ ନାହି ଡିଆଇଥାନ୍ତି ଉଭୟ ପକ୍ଷ । ଆଉ ଏହେ ଦିଲ୍ଲୀରେ ଘଟଛି କିଛି । ସାମାନ୍ୟ ବଚସାରୁ ମହାଭାରତ । ଗତ ଶନିବାର ପାର୍କିଂକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦକୁ ନେଇ ଏବେ ଉଠୁଛି ପଡୁଛି ନୂଆଦିଲ୍ଲୀ । ସ୍ଥିତି ଏପରି ହୋଇଛି ଯେ, ଯେଉଁ ପୋଷାକ ପିନ୍ଧିଲେ ଲୋକେ ପୋଲିସକୁ ଡରନ୍ତି ସେହି  ଖାକି ପୋଷାକ ପିନ୍ଧିବାକୁ ପୋଲିସର ସାହସ ପାଉନି । ଆଇନଜୀବୀଙ୍କ ବିରୋଧରେ ନ୍ୟାୟ ମାଗିଛି ଦିଲ୍ଲୀ ପୋଲିସ ।

ଆଜି ଦିଲ୍ଲୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆଗରେ ପୋଲିସ କର୍ମୀମାନେ ହାତରେ କଳାବ୍ୟାଚ ବାନ୍ଧି ଏକାଠି ହୋଇଛନ୍ତି । ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଆଇନଜୀବୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଏପଟେ ଲୋକଙ୍କ ମାମଲା ଲଢୁଥିବା ଆଇନଜୀବୀ ପୋଲିସର କାର୍ଯ୍ୟକୁ ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ଦିଲ୍ଲୀର ସମସ୍ତ ଜିଲ୍ଲା କୋର୍ଟର କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି ।

ତିସ୍ ହଜାରୀ କୋର୍ଟ ପରିସରରେ ଆଇନଜୀବୀ ଓ ପୋଲିସ ପରେ କିଛି ସ୍ଥାନରେ ପୋଲିସକୁ ଆଇନଜୀବୀ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସିଛି । ଗତ ତିନି ଦିନ ଭିତରେ ଦିଲ୍ଲୀର ସାକେତ ଓ କଡକଡଡୁମା କୋର୍ଟରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଉତ୍ତର ପ୍ରଦେଶର କାନପୁରରେ ମଧ୍ୟ ପୋଲିସ କର୍ମଚାରୀଙ୍କୁ ମାଡ ମାରିଛନ୍ତି ଆଇନଜୀବୀ, ଯାହାକୁ ନେଇ ଆନ୍ଦୋଳନରତ ପୋଲିସ ନ୍ୟାୟ ମାଗିଛନ୍ତି ।

ଏଠାରେ ପ୍ରଶ୍ନ, ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଦେବ କିଏ ? ଯଦି ପୋଲିସ ନିଜକୁ ସୁରକ୍ଷିତ ଭାବୁନି, ତେବେ ସାଧାରଣ ଲୋକଙ୍କ ସ୍ଥିତି କଣ ? ସାମାନ୍ୟ ବଚସାକୁ ନେଇ ଏତେ ବଡ ଲଢେଇ କାହିଁକି ? ଆଇନଜୀବୀ ଏବଂ ଆଇନ ସୁରକ୍ଷାକାରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହି ଆସିଥିବା ପୁଞ୍ଜୀଭୂତ କ୍ରୋଧର ପ୍ରତିଫଳନ ଏହା ନୁହେଁ ତ ?