'ୟାକୁବ ମେନନର ମୁକ୍ତି ପାଇଁ କୋର୍ଟ ଯାଉଥିବା ଲୋକେ ମୋର ଗିରଫଦାରୀ ଦାବି କରୁଛନ୍ତି'

ପୁଣି ଏକ ଟ୍ୱିଟ କଲେ କପିଲ ମିଶ୍ରା

'ୟାକୁବ ମେନନର ମୁକ୍ତି ପାଇଁ କୋର୍ଟ ଯାଉଥିବା ଲୋକେ ମୋର ଗିରଫଦାରୀ ଦାବି କରୁଛନ୍ତି'
ଫାଇଲ ଫଟୋ

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଥିବା କପିଲ ମିଶ୍ରାଙ୍କ ପୁଣି ଏକ ଟ୍ୱିଟ । ତାଙ୍କୁ ଆତଙ୍କବାଦୀ ବୋଲି କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି ଏହି ବିଜେପି ନେତା । ଏଥର ନିଜ ଟ୍ୱିଟରେ ବୁରହାନ ୱାନୀ ଏବଂ ଅଫଜଲ ଗୁରୁର ନାଁ ଉଲ୍ଲେଖ କରିଛନ୍ତି କପିଲ ମିଶ୍ରା । କହିଛନ୍ତି, ''ଯେଉଁମାନେ ଅଫଜର ଗୁରୁ ଏବଂ ବୁରହାନ ୱାନୀକୁ ଆତଙ୍କବାଦୀ ବୋଲି ମାନିବାକୁ ପ୍ରସ୍ତୁତ ନୁହଁନ୍ତି, ସେମାନେ ଆଜି ମୋତେ ଆତଙ୍କବାଦୀ କହୁଛନ୍ତି ।'' 

କପିଲ ନିଜ ଟ୍ୱିଟରେ ଲେଖିଛନ୍ତି, ଯେଉଁମାନେ ୟାକୁବ ମେନନ, ଉମର ଖଲିଦ ଏବଂ ଶରଜୀଲ ଇସଲାମକୁ ମୁକ୍ତ କରିବା ପାଇଁ କୋର୍ଟ ଯାଆନ୍ତି, ସେହିମାନେ ହିଁ କପିଲ ମିଶ୍ରାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି । ଶେଷରେ ଜୟ ଶ୍ରୀରାମ ମଧ୍ୟ ଲେଖିଛନ୍ତି କପିଲ ମିଶ୍ରା । କହିରଖୁଛୁ, ଦିଲ୍ଲୀ ହିଂସାର ଠିକ କେଇ ଘଣ୍ଟା ପୂର୍ବରୁ କପିଲ ନିଜର ଏକ ଭିଡ଼ିଓ ଟ୍ୱିଟ କରିଥିଲେ । ଆଉ ଏହାପରେ ହିଁ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଅନ୍ୟକୁ ଉସୁକାଇବା ପରି ବୟାନ ନେଇ କପିଲଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । 

ଏହି ଭିଡିଓରେ କ'ଣ କହିଥିଲେ କପିଲ ? 

କପିଲ ମିଶ୍ର ନିଜର ଏହି ବୟାନକୁ ଟ୍ୱିଟରରେ ପୋଷ୍ଟ କରିଥିଲେ । ଏଥିରେ ସେ କହିଥିଲେ, ''ଏମାନେ ଚାହାଁନ୍ତି, ଦିଲ୍ଲୀରେ ନିଆଁ ଲାଗୁ । ଏମାନେ ଏପରି ଚାହୁଁଥିବାରୁ ରାସ୍ତା ଅବରୋଧ କରି ରଖିଛନ୍ତି । ଦଙ୍ଗା ପରି ମାହୋଲ କରୁଛନ୍ତି । ଆମ ପକ୍ଷରୁ ଗୋଟିଏ ମଧ୍ୟ ପଥର ମରାଯାଇନି । ''

ଏହି ଭିଡ଼ିଓରେ ଆହୁରି ମଧ୍ୟ କପିଲ କହିଥିଲେ, ଆମ ସାମ୍ନାରେ ଡିସିପି ସାହେବ ଛିଡ଼ା ହୋଇଛନ୍ତି । ମୁଁ ଆପଣଙ୍କ ସଭିଙ୍କ ପକ୍ଷରୁ ଏହି କଥା କହୁଛି । ଟ୍ରମ୍ପ ଯିବା ପର୍ଯ୍ୟନ୍ତ ତ ଆମେ ଶାନ୍ତି ବଜାୟ ରଖିଛୁ । ମାତ୍ର ଟ୍ରମ୍ପ ଗଲା ପରେ ଆମେ ଆପଣଙ୍କୁ ବି ଶୁଣିବୁ ନାହିଁ । ଆପଣଙ୍କୁ ରାସ୍ତା ଖୋଲିବାକୁ ପଡ଼ିବ । ତେଣୁ ଟ୍ରମ୍ପ ଯିବା ଭିତରେ ଆପଣ ଜାଫରାବାଦ ଏବଂ ଚାନ୍ଦବାଗ ରାସ୍ତା ଖାଲି କରିନିଅନ୍ତୁ । ଏନେଇ ଆମେ ଅନୁରୋଧ କରୁଛୁ, ମାତ୍ର ଏହାପରେ ଆମକୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ । 

ଆହୁରି ପଢ଼ନ୍ତୁ; ଦିଲ୍ଲୀ ହିଂସା: ୨୪ ଘଣ୍ଟା ମଧ୍ୟରେ ୩ଥର ବୈଠକ ଡାକିଲେ ଶାହ