ନୂଆ ଭାରତର ମହାଭାରତ
Advertisement

ନୂଆ ଭାରତର ମହାଭାରତ

ମହାଭାରତରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । କିନ୍ତୁ ଏହି ମହାଭାରତରେ କିଏ ପାଣ୍ଡବ ଓ କିଏ କୌରବ ତାହା କହିବା ମୁସକିଲ । ଏଠି ଯୁଦ୍ଧ ଚାଲିଛି ଦୁଇ ଗୋଷ୍ଠୀ ମଧ୍ୟରେ, ଦୁଇଟି ଚିନ୍ତାଧାରା ମଧ୍ୟରେ.....

ହିଂସା ପରେ...

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: 'କାଲି ଯାଏ ଆମେ ପରସ୍ପରର ସୁଖ, ଦୁଃଖରେ ସାମିଲ ଥିଲେ, ପର୍ବ ପର୍ବାଣୀରେ ମଉଜ କରୁଥିଲେ , କିନ୍ତୁ ଆଜି ଆମେ ହିନ୍ଦୁ ଓ ମୁସଲମାନ ନାଁରେ ଦୁଇ ଭାଗ ହୋଇଗଲେ' । ଏହା ହେଉଛି ୧୯୯୪ ମସିହାରେ 'କ୍ରାନ୍ତିବୀର' ସିନେମାର ସଂଳାପ । ମେହୁଲ କୁମାରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାନା ପାଟେକର । ଦଙ୍ଗା ହେବା ପରେ ଲୋକମାନେ ପରସ୍ପରକୁ ଘୃଣା କରୁଥିଲେ । ହିନ୍ଦୁ, ମୁସଲିମ୍ ନାଁରେ ନାକ ଟେକୁଥିଲେ । ଏହି ସମୟରେ ନାନା ପାଟେକର ଜଣେ ମୁସଲିମ୍ ଲୋକର ରକ୍ତ ଓ ନିଜର ରକ୍ତ ମିଶାଇ କେଉଁଟା କାହାର ବୋଲି ପ୍ରଶ୍ନ କରିଥିଲେ ।

fallback

ଗତ ରବିବାର ଠାରୁ ଲଗାତାର ତିନିଦିନ ଧରି ଭାରତର ରାଜଧାନୀ ଦିଲ୍ଲୀରେ ଯେଉଁ ଅଶାନ୍ତିର ନିଆଁ ଲାଗିଥିଲା, ସେ ବିଷୟରେ କାହାକୁ ଅଜଣା ନାହିଁ । ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଏହି ହିଂସ୍ରକ ଲଢ଼େଇ ପୁଣି ଥରେ ଭାରତୀୟ ଇତିହାସର କଳା ଫର୍ଦ୍ଦ ଗୁଡ଼ିକ ମନେ ପକାଇ ଦେଲା । ପୁରୁଣା ଦିନର ସେହି ଅଭୁଲା କ୍ଷତ ସବୁ ପୁଣି ଥରେ ଉଜ୍ଜିବୀତ କରିଦେଇଛି । ୩୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ପରେ ଶେଷରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରାଯାଇଛି । ଏଠି ପ୍ରଶ୍ନ ଉଠୁଛି ଯେ, ୩୮ ଜଣ ଲୋକଙ୍କ ପ୍ରାଣ କାହିଁକି ଗଲା ? ଏଥିପାଇଁ ଦାୟୀ କିଏ ? ପୋଲିସ ପ୍ରଶାସନ ଚାହିଁଲେ ସମାଜରେ ବିଶୃଙ୍ଖଳାର ଛାଇ ବି ଦେଖିବାକୁ ମିଳିବ ନାହିଁ । କିନ୍ତୁ, ପ୍ରାଶାସନିକ ଅପାରଗତା ଯୋଗୁ ଆଜି ୩୭ ଜଣ ଲୋକଙ୍କ ଜୀବନ ଯାଇଛି । ସେହି ଜୀବନ ଆଉ ଫେରି ଆସିବ କି ? କାହିଁକି ଦିଲ୍ଲୀର ଗାମ୍ରୀ ଅଞ୍ଚଳର ଜଣେ ୮୫ ବର୍ଷର ବୃଦ୍ଧାଙ୍କ ଜୀବନ ଗଲା ? କାହିଁକି ଆଇବି ଅଫିସର କି କନଷ୍ଟେବଳଙ୍କୁ ସହିଦ ହେବାକୁ ପଡ଼ିଲା ? ଏମିତି ଅନେକ ପ୍ରଶ୍ନ ଆଜି ଲୋକଙ୍କ ମନରେ ଉଙ୍କି ମାରୁଛି । ଗୋଟେପଟେ ନିଆଁ ଜଳୁଥିବାବେଳେ ରାଜନୈତିକ ଦଳ ଗୁଡ଼ିକ ଏହି ନିଆଁରେ ଘିଅ ଢାଳୁଛନ୍ତି । ପରସ୍ପର ଭିତରେ ଆରୋପ ପ୍ରତ୍ୟାରୋପର ଇଏ ସମୟ କି ? ପୋଲିସ ପ୍ରଶାସନ କାହା ବିଭାଗରେ ଆସୁଛି ? ଦିଲ୍ଲୀ ରାଜ୍ୟର ମୁଖିଆ କିଏ ? ସେହିପରି ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ନାନା ରକମର ଟ୍ରେଣ୍ଡିଂ ଦେଖିବାକୁ ମିଳୁଛି । ଯେଉଁ ସମୟରେ ଏତେ ଭୟଙ୍କର ପରିସ୍ଥିତି ଉପୁଜିଛି, ସେହି ସମୟରେ ରାଜନୈତିକ ଦଳ ଗୁଡ଼ିକର ପ୍ରାୟୋଜିତ ଟ୍ରେଣ୍ଡିଂ ଆବଶ୍ୟକ କି ? ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧ କରିବାର ସମସ୍ତଙ୍କ ଅଧିକାର ଅଛି । କିନ୍ତୁ ଏଥିରେ ବାଧା ଉପୁଜାଇ ଲୋକଙ୍କୁ ଉସୁକାଇବାର ଯଥାର୍ଥ କ'ଣ ?ଦିଲ୍ଲୀ ନିର୍ବାଚନ ପୂର୍ବରୁ ପ୍ରଚାର ସମୟରେ ବିଜେପି ଦଳର ଅନେକ ନେତା ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ନିର୍ବାଚନ ପରେ ହୋଇଥିବା ଏହି ସାମ୍ପ୍ରଦାୟିକ ହିଂସାକାଣ୍ଡ ତାହାର ପ୍ରତିଫଳନ ନୁହେଁ ତ !

fallback

ଗୁରୁବାର ସକାଳେ ସୋସିଆଲ ମିଡିଆରେ ଆମ୍ ଆଦମୀ ପାର୍ଟି କାଉନସିଲର ତାହିର ହୁସେନଙ୍କ ଘରେ ପେଟ୍ରୋଲ ବୋମା ଓ ଇଟା ରଖାଯାଇଥିବା ଚିତ୍ର ଘୂରି ବୁଲୁଥିଲା । ଆଇବି ଅଫିସରଙ୍କ ହତ୍ୟା ଘଟଣାରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । କିନ୍ତୁ ସିଏ ଯେଉଁ ଦଳର ନେତା, ସେହି ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କାହିଁକି ? ତେବେ ଆମେ ବୁଝିବା କି ଯେ ଅରବିନ୍ଦ କେଜ୍ରିୱାଲ ହିଂସାକୁ ପ୍ରଶ୍ରୟ ଦେଉଛନ୍ତି ? ସେହିପରି ବିଜେପି ନେତା କପିଲ ମିଶ୍ରାଙ୍କ କଠୋର ମନ୍ତବ୍ୟ ଏବଂ ପ୍ରତିବାଦ ସ୍ଥଳ ନିକଟରେ ଶୋଭାଯାତ୍ରା କରିବା ଏଭଳି ସ୍ଥିତିକୁ ଜନ୍ମ ଦେଇଛି କି ? ଏକ ଜାତୀୟ ଖବର କାଗଜରେ ପ୍ରକାଶ ପାଇଥିଲା ଯେ, ହିଂସା ପୂର୍ବରୁ ପୋଲିସ ଓ ତଦନ୍ତକାରୀ ସଂସ୍ଥା ଅବଗତ ଥିଲା । ଯଦି ହିଂସା ବିଷୟରେ ସେମାନେ ଜାଣିଥିଲେ, ତେବେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ? ଆମେ କହିପାରିବା କି ଯେ, ସେମାନେ ଜାଣିଶୁଣି ହିଂସା କରିଛନ୍ତି ? ସେହିପରି ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଦଙ୍ଗା ଅଞ୍ଚଳ ଗସ୍ତ କରି ଲୋକମାନଙ୍କୁ ବୁଝାସୁଝା କରିଥିଲେ ଏବଂ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ୩୮ ଜଣ ଲୋକ ପ୍ରାଣ ହରାଇବା ପରେ କାହିଁକି ସେ ଆସିଲେ ? ଦିଲ୍ଲୀ ପୋଲିସର ବିଫଳତା ତଥା ଅପାରଗତା ଯୋଗୁ ଜାତୀୟ ସୁରକ୍ଷା ପରାମର୍ଶଦାତା ନିଜେ ଦଙ୍ଗା ଅଞ୍ଚଳ ପରିଦର୍ଶନ କରିବା କେତେ ଯଥାର୍ଥ ?

fallback

ଜଣେ ପ୍ରତିଷ୍ଠିତ ସାମ୍ୱାଦିକ ରିପୋର୍ଟିଂ କଲାବେଳେ ତାଙ୍କୁ ହିଂସାକାରୀମାନେ ଘେରି ଯାଇଥିଲେ ଏବଂ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ । ଏଥିରେ ସେ ଚୁପ୍ ରହିବାରୁ ତାଙ୍କ ଗୋଡ଼କୁ ବାଡ଼େଇଥିଲେ । ଏହାସହ ତାଙ୍କର ପରିଚୟପତ୍ର ମାଗି ତାଙ୍କୁ ଦୁର୍ବ୍ୟବହାର ମଧ୍ୟ କରାଯାଇଥିଲା । 'ଆଚ୍ଛା, ତମେ ହିନ୍ଦୁ, ସେଥିପାଇଁ ବଞ୍ଚିଗଲ' ଭଳି ଧମକ କ'ଣ ସୂଚାଉଛି ? ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କର କଥା କହିବାର ଅଧିକାର ଅଛି । କିନ୍ତୁ କାହାର ଅମଙ୍ଗଳ କଥା ଚିନ୍ତା କରିବା କିମ୍ୱା ଅମଙ୍ଗଳ କରିବାର ଅଧିକାର ନାହିଁ । ସିଏ ହିନ୍ଦୁ ହେଉ, ଅବା ମୁସଲମାନ, ହିଂସାପୂର୍ଣ୍ଣ ଭାବ ଆଚରଣ କରି ଜୀବନ ନେବା, ପୋଡ଼ାଜଳା କରିବା କାହାର ଅଧିକାର ନାହିଁ । କେଉଁ ଅଧିକାରରେ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀମାନେ ହିଂସା କଲେ ? ଜୀବନ ଦେବା ଲୋକ ହେଉଛନ୍ତି ଭଗବାନ । ତେଣୁ, କାହାର ଜୀବନ ନେବା ପାଇଁ ଆମର ଅଧିକାର ନାହିଁ । ଜଣଙ୍କୁ ଜୀବନଦାନ କରି ନ ପାରିଲେ, କେଉଁ ଅଧିକାରରେ ଆମେ ଜଣଙ୍କ ଜୀବନ ନେବା ?

fallback

ପୁରୁଣା ଭାରତରେ ବି ହିଂସା ହୋଇଥିଲା, ଲୋକେ ପ୍ରାଣ ହରାଇଥିଲେ । ଏଇ ଦେଶ ଭାଇଚାରା ଦେଖିଛି, ଦୁର୍ଭିକ୍ଷ ଦେଖିଛି । ବ୍ରିଟିଶ ଶାସନର ଜୁଲୁମ୍ ବି ସହିଛି । ଏବେ ନୂଆ ଭାରତର ବି ଦଙ୍ଗା ଦେଖିଲା, ଲୋକଙ୍କ ଜୀବନ ଯାଉଥିବା ବେଳର ଛାତିପଟା ଦୃଶ୍ୟକୁ ବି ନିରବ ରହି ହୃଦବୋଧ କଲା । କିନ୍ତୁ, କେତେ ଦିନ ? କେତେଦିନ ଦେଖିବାକୁ ମିଳିବ ଏହି ହିଂସାର ହିଂସ୍ରକ ରୂପ ? 

fallback

ଗୀତାର ୧୮ତମ ଅଧ୍ୟାୟର ୬୬ ନମ୍ୱର ଶ୍ଲୋକରେ ଲେଖାହୋଇଛି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।  ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ । ଏହାର ଅର୍ଥ ହେଉଛି ସକଳ ଧର୍ମ ପରିତ୍ୟାଗ କରି କେବଳ ଏକମାତ୍ର ମୋରି (ଭଗବାନଙ୍କ) ଶରଣ ନିଅ । ମୁଁ (ଭଗବାନ) ତୁମକୁ ସର୍ବପାପରୁ ମୁକ୍ତ କରିଦେବି, ତେଣୁ ତୁମେ କେବେ ଶୋଚନା କରନାହଁ । ହିଂସା କେବେହେଲେ ସମାଧାନର ରାସ୍ତା ନୁହେଁ । ଏହା ସବୁବେଳେ ଅଶାନ୍ତିକୁ ଜନ୍ମ ଦେଇଥାଏ । ୧୮୯୩ ଚିକାଗୋ ସମ୍ମିଳନୀରେ ସ୍ୱାମୀ ବିବେକାନନ୍ଦ କହିଥିଲେ, ମୁଁ ସେଇ ଧର୍ମର ବୋଲି ନିଜକୁ ଗର୍ବ ଲାଗୁଛି, ଯେଉଁ ଧର୍ମ ସାରା ଦୁନିଆକୁ ସହିଷ୍ଣୁତା ଓ ସାର୍ବଭୌମତ୍ୱ ସ୍ୱୀକାରର ପାଠ ପଢ଼ାଇ ଥାଏ। ଏବେ ସିଏ ଥିଲେ କ'ଣ ଭାବିଥାନ୍ତେ ! ମହାଭାରତରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । କିନ୍ତୁ ଏହି ମହାଭାରତରେ କିଏ ପାଣ୍ଡବ ଓ କିଏ କୌରବ ତାହା କହିବା ମୁସକିଲ । ଏଠି ଯୁଦ୍ଧ ଚାଲିଛି ଦୁଇ ଗୋଷ୍ଠୀ ମଧ୍ୟରେ, ଦୁଇଟି ଚିନ୍ତାଧାରା ମଧ୍ୟରେ । କିଛିଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ କରି ବିବେକାନନ୍ଦଙ୍କୁ ମନେ ପକାଇଥିଲେ । ଅର୍ଥାତ୍ ବାହାରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେଣୁ, ଏବେ ନିଜକୁ ପ୍ରଶ୍ନ ପଚାରିବାର ବେଳ, ଏକ ନୂଆ ଭାରତର ସ୍ୱପ୍ନକୁ ପୂରଣ କରିବାକୁ, ଆଗକୁ ବଢ଼ିବାକୁ ଆଉ ଦୁନିଆ ଆଗରେ ନିଜର ପୂର୍ବ ପୁରୁଷଙ୍କ ନାଁକୁ ଚିରକାଳ ପାଇଁ ଅମର ରଖିବାକୁ ।