ଲଢେଇର ନାଁ ଅଢେଇ ବର୍ଷ@୫୦/୫୦ ଫର୍ମୁଲା
Advertisement

ଲଢେଇର ନାଁ ଅଢେଇ ବର୍ଷ@୫୦/୫୦ ଫର୍ମୁଲା

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯେଉଁ ୫୦/୫୦ ଫର୍ମୁଲା କଥା ଉଠାଇଛନ୍ତି, ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ଖୋଦ ନିଜ ପୁଅ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ଉଦ୍ଧବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ନାଟକୀୟ ମୋଡ ନେଉଛି ମହାରାଷ୍ଟ୍ର ରାଜନୀତି । ବିଜେପି-ଶିବସେନା ସରକାର କରିବେ ନା ଭାଙ୍ଗିଯିବ ମେଣ୍ଟ ? ଶିବସେନାର ୫୦/୫୦ ଫର୍ମୁଲାକୁ ଗ୍ରହଣ କରିବ କି ବିଜେପି ? ନା ନିଜ ସର୍ତ୍ତରୁ ଓହରିବେ ଉଦ୍ଧବ ? ଏ ତମାମ ସସପେନ୍ସ ଭିତରେ ଆହୁରି ଏକ ଚମକାଇଦେଲା ପରି ଖବର ସାମ୍ନାକୁ ଆସୁଛି । 

ଆଜି ପୃଥକ ପୃଥକ ଭାବରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଶିବସେନା ନେତା ଦିୱାକର ରାୱତେ । ଯଦିଓ ଦୀପାବଳି ଅବସରରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ରାଜଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି, ତଥାପି ଏହା ଭିତରେ କେଉଁଠି ନା କେଉଁଠି ରାଜନୈତିକ ଗନ୍ଧ ବାରି ହୋଇପଡିଛି । 

ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି-ଶିବସେନା ମୁହାଁମୁହିଁ ସ୍ଥିତି ଦେଖାଦେଇଛି । ମେଣ୍ଟ ଭାଙ୍ଗିଯିବା ଉପରେ । ଠିକ୍ ଏତିକି ବେଳେ ଉଭୟ ଦଳର ନେତା ପୃଥକ ପୃଥକ ଭାବରେ ରାଜ୍ୟପାଳଙ୍କୁ ଭେଟିବା ଘଟଣାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି ସହଜରେ ଗ୍ରହଣ କରିହେଉନାହିଁ । ବିଜେପିର କ'ଣ ରହିଛି ରଣନୀତି, ତାହା ବି ବୁଝିବା ମୁସକିଲ ।  କାହିଁକିନା ଏବେ ଶିବସେନାକୁ ମନାଇବା ଦଳ ପାଇଁ କାଠିକର ପାଠ । 

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯେଉଁ ୫୦/୫୦ ଫର୍ମୁଲା କଥା ଉଠାଇଛନ୍ତି, ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ଖୋଦ ନିଜ ପୁଅ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ଉଦ୍ଧବ । ଖାଲି ଶିବସେନା ମୁଖ୍ୟ କାହିଁକି, ବହୁ ଶିବ ସୈନିକ ମଧ୍ୟ ଏହି ଦାବି ଉଠାଇଛନ୍ତି । ହେଲେ ମନ୍ତ୍ରୀ ପଦରେ ୫୦/୫୦ ଫର୍ମୁଲା ହୁଏତ ବିଜେପି ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ୨.୫ ବର୍ଷ ଶିବସେନାକୁ ଦେବା ବିଜେପି ପାଇଁ ସହଜ ହେଉନାହିଁ । ଏପଟେ ଏନେଇ ଲିଖିତ ପ୍ରତିଶ୍ରୁତି ମାଗିଛନ୍ତି ଉଦ୍ଧବ । 

କିନ୍ତୁ ବର୍ତ୍ତମାନ ବିଜେପି ପାଇଁ ଅନ୍ୟ ବାଟ ବି ନାହିଁ । ଯଦି ଉଦ୍ଧବ ଠାକରେ ନିଜ ଜିଦରେ ଅଡି ବସନ୍ତି, ତେବେ ବିଜେପି ମୁଖ୍ୟମନ୍ତ୍ରୀ ପଦ ବି ଛାଡିବାକୁ ବାଧ୍ୟ ବୋଲି କୁହାଯାଉଛି । ହେଲେ ଏହାସହ ଅନ୍ୟ ଏକ ପ୍ରଶ୍ନ ବି ମୁଣ୍ଡ ଟେକୁଛି । ପ୍ରଥମ ଅଢେଇ ବର୍ଷ ନା ଶେଷ ଅଡେଇ ବର୍ଷ, କେଉଁ ସମୟ ଶିବସେନାକୁ ଦେବ ବିଜେପି ? ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନିଶ୍ଚୟ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଚାହିଁବ । ହୁଏତ ଆଉ କିଛି ଦିନ ଭିତରେ ପୁରା ରାଜ୍ୟର ରାଜନୈତିକ ଚିତ୍ର ସ୍ପଷ୍ଟ ହେବ । 

ମହାରାଷ୍ଟ୍ର ବିଧାନସଭାରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ । କିନ୍ତୁ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଜାରି ରହିଛି କୁସ୍ତି । ସରକାର ଗଢିବାକୁ ନେଇ ୫୦-୫୦ ଫର୍ମୁଲାରେ ଅଡ଼ି ବସିଛି ଶିବସେନା । ବିଜେପି ଠାରୁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଲିଖିତ ଆଶ୍ୱାସନା ମାଗିଛି । ସେପଟେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଆଉ ଏହାରି ଭିତରେ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ଏକ ଭିନ୍ନଦିଗକୁ ମୁହାଁଉଥିବା କୁହାଯାଉଛି ।