close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିକାଶ ଠାରୁ ବହୁ ଦୂରରେ ଦିଗଛିଆ ଗାଁ

ବାଲେଶ୍ୱର  ଜିଲ୍ଲାର ଶେଷ ସୀମାରେ ରହିଛି  ଦିଗଛିଆ ଗାଁ । ଏମାନଙ୍କ ପାଇଁ  ମୌଳିକ ସୁବିଧା  ସ୍ୱପ୍ନ ପ୍ରାୟ । 

ବିକାଶ ଠାରୁ ବହୁ ଦୂରରେ ଦିଗଛିଆ ଗାଁ

ବାଲେଶ୍ୱର: ଚାରିଆଡେ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ନେଇ ଡିଣ୍ଡିମ ବାଜୁଛି । ହେଲେ ବାସ୍ତବ  ଚିତ୍ର ଏବେ ବି ଯଥା ପୂର୍ବଂ ତଥା ପରଂ । ବିକାଶ ଏହି ଗ୍ରାମବାସୀଙ୍କ ପାଇଁ ସତେ ଯେମିତି ସାତସପନ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା  ସବୁ ଏଠି ଅପହଁଞ୍ଚ । ସମାଧାନ  ନାଁରେ ମିଳୁଛି କେବଳ ପ୍ରତିଶ୍ରୁତି । ଆମେ କହୁଛୁ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ  ରପେୟା ପଞ୍ଚାୟତ ଅଧିନ ଦିଗଛିଆ ଗାଁର କଥା  ।

ବାସ୍ତବରେ ସରକାରଙ୍କ ଯୋଜନା ସବୁ କିଭଳି କାର୍ଯ୍ୟକାରୀ ହେଉଛି ତାହାର ନଗ୍ନ ନମୂନା ଏହି ଗାଁରେ ଦେଖିବାକୁ ମିଳୁଛି । ବାଲେଶ୍ୱର  ଜିଲ୍ଲାର ଶେଷ ସୀମାରେ ରହିଛି  ଦିଗଛିଆ ଗାଁ । ଏହି ଗାଁରେ  ୩୫ରୁ ଅଧିକ  ହରିଜନ ପରିବାର ବସବାସ କରନ୍ତି । ଏମାନଙ୍କ ପାଇଁ  ମୌଳିକ ସୁବିଧା  ସ୍ୱପ୍ନ ପ୍ରାୟ । ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ ସବୁଥିରେ ପଛୁଆ ଏହି ଗାଁ ।  ଗାଁରୁ  ମୁଖ୍ୟ ରାସ୍ତାକୁ ଯିବାକୁ  ବିଲଡିହ  ହିଁ ଭରଷା ।  ବିଲଡିହରେ ୨କିଲୋମିଟର  ରାସ୍ତା  ଓ  ୪ଟି ନାଳ ଅତିକ୍ରମ  କରି ମୁଖ୍ୟ ରାସ୍ତାକୁ ଯିବାକୁ ହୁଏ । ବର୍ଷା ଦିନ ହେଲେ ପାଦରେ ଚାଲି ଯିବା  ବି କଷ୍ଟକର ହୋଇପଡେ ।
ଏହା ଛଡା ଗାଁରେ କାହାର ଦେହ ଖରାପ ହେଲେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ନିଆଯାଏ । ଫଳରେ ବହୁ ସମୟ ବିଳମ୍ବରେ ମେଡିକାଲ  ପହଁଞ୍ଚିବା ଯୋଗୁ ଅନେକ ନିରୀହ ଜୀବନ ମଧ୍ୟ  ଯାଇସାରିଛି । ଏନେଇ ପ୍ରଶାସନକୁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ   ନିଦାବିଷ୍ଣୁ ପାଲଟିଛି  ପ୍ରଶାସନ । ଗାଁରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ଅଙ୍ଗନବାଡି କିମ୍ବା  ସ୍କୁଲ ଟିଏ ନଥିବାରୁ  ପିଲା ମାନେ ପାଠ ପଢିବାକୁ ୨, ୩ କିଲୋମିଟର ବାଟ ଅତିକ୍ରମ କରି ଭଦ୍ରକ ଜିଲ୍ଲାର କାଳିଦାସପୁର  ଓ  ବନ୍ଧଗାଁ ସ୍କୁଲକୁ ଯାଆନ୍ତି । ବର୍ଷା ଦିନେ ଅଧିକାଂଶ ସମୟ  ପିଲାଙ୍କ ପାଠପଢ଼ା ଠପ୍ ହୋଇଯାଏ ।  ନିର୍ବାଚନ ଆସିଲେ ରାଜନେତା ମାନେ ଡେରା ପକାଇ  ପୁଳାପୁଳା ପ୍ରତିଶ୍ରୁତି  ବି  ଦିଅନ୍ତି । ହେଲେ ଭୋଟ୍ ହାତେଇବା ପରେ କାହାର ଦେଖା ମିଳେନି । ସେପଟେ ରାସ୍ତା ନିର୍ମାଣ ପାଇଁ ଦୁଇଥର ଟଙ୍କା ସାଂକ୍ସନ ହୋଇସାରିଲାନି ।  ହେଲେ ଏଯାଏଁ କାର୍ଯ୍ୟାଦେଶ ମିଳନଥିବା କହିଛନ୍ତି ସରପଞ୍ଚ ।  କିଛି ମୁଷ୍ଟିମେୟ ଲୋକ ତାଙ୍କୁ କାମ କରିବାକୁ ସହଯୋଗ କରୁନଥିବା ସେ କହିଛନ୍ତି ।  ତୁରନ୍ତ ରାସ୍ତା ନିର୍ମାଣ ସହ ଅନ୍ୟାନ ସୁବିଧା ଯୋଗାଇ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।