close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିସିସିଆଇର 'ଗୋଲାପୀ' ମୁଣ୍ଡବଥା

ବାଂଲାଦେଶ ବିପକ୍ଷରେ ଇଡେନ୍ ଗାର୍ଡେନ୍ସରେ ଭାରତ ଖେଳିବ ପ୍ରଥମ ଦିବାରାତ୍ର ଟେଷ୍ଟ । ଟେଷ୍ଟରେ ଏସଜିର ଗୋଲାପୀ ବଲ୍ ବ୍ୟବହାରକୁ ନେଇ ବଢ଼ିଛି ବିସିସିଆଇର ଚିନ୍ତା । ଭାରତୀୟ ପରିବେଶରେ ଏସଜିର ଗୋଲାପୀ ବଲର ପ୍ରୟୋଗ କେତେ ସଫଳ ହେବ, ତା' ଉପରେ ଏବେ ପ୍ରଶ୍ନବାଚୀ ।

ବିସିସିଆଇର 'ଗୋଲାପୀ' ମୁଣ୍ଡବଥା
ସୌଜନ୍ୟ: ସୋସିଆଲ ମିଡିଆ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ବିସିସିଆଇର ନୂଆ ସଭାପତି ସାଜିବା ପରେ ଏବେ ଭାରତରେ ଡେ ଆଣ୍ଡ୍ ନାଇଟ୍ ଟେଷ୍ଟ ବା ଦିବାରାତ୍ର ଟେଷ୍ଟ ମ୍ୟାଚକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭାରତ ଏହାର ପ୍ରଥମ ଦିବାରାତ୍ର ଟେଷ୍ଟ ବାଂଲାଦେଶ ବିପକ୍ଷରେ ନଭେମ୍ବର ୨୨ରେ ଖେଳିବ ବୋଲି ଜଣାପଡ଼ିଛି । ଏହି ମ୍ୟାଚକୁ କୋଲକାତାର ଇଡେନ୍ ଗାର୍ଡେନ୍ସ ଆୟୋଜନ କରିବ ।
କିନ୍ତୁ ଏସବୁ ଭିତରେ ଏବେ ବିସିସିଆଇର ମୁଣ୍ଡବ୍ୟଥା ମଧ୍ୟ ବଢ଼ିଯାଇଛି । ଦିବାରାତ୍ର ଟେଷ୍ଟ ମ୍ୟାଚରେ ଧଳା କିମ୍ବା ଟେଷ୍ଟରେ ବ୍ୟବହାର କରାଯାଉଥିବା ନାଲି ରଙ୍ଗର ବଲର ବ୍ୟବହାର କରାଯାଇ ପାରିବ ନାହିଁ । ନିୟମ ଅନୁଯାୟୀ ଦିବାରାତ୍ର ଟେଷ୍ଟରେ ଗୋପାଲୀ ରଙ୍ଗର ବଲ୍ ବ୍ୟବହାର କରାଯିବା କଥା । କିନ୍ତୁ ବିସିସିଆଇକୁ ବଲ୍ ଯୋଗାଉଥିବା କମ୍ପାନୀ ଏସଜିର ଗୋଲୀପୀ ବଲକୁ ନେଇ କିଛି ସମସ୍ୟା ରହିଛି । ଯାହାକୁ ନେଇ ଏବେ ମାନସମନ୍ଥନ ଚାଲିଛି । ଏହାର ଗୁଣବତ୍ତା ନେଇ ଏବେ ବି ସନ୍ଦିହାନ ଅଛି ବିସିସିଆଇ ।
ଆମ ପାଠକମାନେ ଜାଣିଥିଲେ, ଭାରତରେ ଏସଜି ବଲର ବ୍ୟବହାର କରାଯାଇଥାଏ । ସେହିପରି ବିଦେଶରେ କୁକାବୁରା କିମ୍ବା କିଛି ଦେଶରେ ଡ୍ୟୁକ୍ସ ବଲର ବ୍ୟବହାର ମଧ୍ୟ କରାଯାଇଥାଏ । ଅଷ୍ଟ୍ରେଲିଆରେ ପୂର୍ବରୁ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳା ଯାଇସାରିଛି । ସେଠାରେ କୁକାବୁରା କମ୍ପାନୀର ଗୋଲାପୀ ବଲର ବ୍ୟବହାର କରାଯାଇଥିଲା । ଯାହାର ପ୍ରୟୋଗ ସଫଳ ହୋଇଥିଲା । କିନ୍ତୁ ଭାରତରେ ଏସଜିର ଗୋଲାପୀ ବଲକୁ ବ୍ୟବହାର କରିବା ଏକ ବଡ଼ ଚ୍ୟାଲେଞ୍ଜ ହେବ ।
ପୂର୍ବରୁ ୨୦୧୬ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ବିସିସିଆଇର ବୈଷୟିକ କମିଟି ଦୁଲୀପ୍ ଟ୍ରଫିରେ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଥିଲା । ଯେଉଁଥିରେ ପିଙ୍କ୍ ବା ଗୋଲାପୀ ବଲର ବ୍ୟବହାର କରାଯାଇଥିଲା । କିନ୍ତୁ ସେତେବେଳେ ସେହି ପରୀକ୍ଷଣ ଏତେଟା ସଫଳ ହୋଇ ନଥିଲା । ଫଳରେ ବୋର୍ଡ ପ୍ରଥମେ ଏସଜି ବଲ୍ ଏବଂ ପରେ ଡ୍ୟୁକ୍ସ ବଲର ବ୍ୟବହାର କରିଆସୁଥିଲା । ଭାରତରେ ବଲକୁ ନେଇ ସବୁବେଳେ କିଛି ନା କିଛି ସମସ୍ୟା ରହି ଆସିଛି । କାରଣ ଭାରତୀୟ ପିଚରେ ବଲ୍ ଖୁବ୍ ଶୀଘ୍ର ଏହାର ରଙ୍ଗ ହରାଇବସେ । ପ୍ରଥମ ୨୦ ଓଭର ପରେ ବଲରୁ ରଙ୍ଗ ଛାଡ଼ିଯାଏ ଏବଂ ଏହା ଠିକ୍ ଭାବେ ଦୃଶ୍ୟମାନ ହୁଏ ନାହିଁ । ଏଣୁ ଏହି କ୍ଷେତ୍ରରେ ଏସଜିର ପିଙ୍କ୍ ବଲର ବ୍ୟବହାର କେତେ ସଫଳ ହେବ, ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।
ଏସଜିର ବଲକୁ ନେଇ ମଧ୍ୟ ପୂର୍ବରୁ ଅନେକଥର ସମାଲୋଚନା କରାଯାଇଛି । ଗତବର୍ଷ ସମାଲୋଚନା ପରେ କମ୍ପାନୀକୁ ବଲର ଗୁଣବତ୍ତା ବୃଦ୍ଧି କରିବାକୁ ବିସିସିଆଇ କହିଥିଲା । ଯାହା ପରେ ଦୁଲୀପ ଟ୍ରଫିରେ ବ୍ୟବହାର ହେବାକୁ ଥିବା ପିଙ୍କ୍ ବଲରେ ଏସଜି କିଛିଟା ପରିବର୍ତ୍ତନ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିସିସିଆଇ ଏଥିରୁ ୟୁ-ଟର୍ଣ୍ଣ ମାରି ପାରମ୍ପରିକ ନାଲି ରଙ୍ଗର ବଲରେ ହିଁ ଦୁଲୀପ ଟ୍ରଫିର ଆୟୋଜନ କରିଥିଲା ।
ତେବେ ଗାଙ୍ଗୁଲି ବିସିସିଆଇର ନୂଆ ସଭାପତି ହେବା ପରେ ଭାରତୀୟ ଘରୋଇ କ୍ରିକେଟିଂ ସର୍କିଟରେ କିଛିଟା ପରିବର୍ତ୍ତନର ଆଶା କରାଯାଉଛି । ଦିବାରାତ୍ର ଟେଷ୍ଟର ଆୟୋଜନ ସେ ଦିଗରେ ଏକ ଛୋଟ ପଦକ୍ଷେପ । ତେବେ ଭାରତରେ ଏହାର ଆୟୋଜନ କେତେ ସଫଳ ହେବ, ତାହା ଉପରେ ଏକ ବଡ଼ ପ୍ରଶ୍ନବାଚୀ ରହିଛି । ଯେଉଁ ଦେଶରେ ଆଇପିଏଲ୍ ଭଳି ଫଟାଫଟା କ୍ରିକେଟ୍ ଲୋକଙ୍କ ଦେହସୁହା ହୋଇଗଲାଣି । ସେଠି ଦିବାରାତ୍ର କ୍ରିକେଟ୍ ଦେଖିବାକୁ ଦର୍ଶକଙ୍କୁ ବିସିସିଆଇ କେତେ ମାତ୍ରାରେ ଆକୃଷ୍ଟ କରିପାରୁଛି, ତାହା ଦେଖିବାର କଥା । ସେପଟେ ଭାରତରେ ବ୍ୟବହୃତ ଏସଜି ବଲର ଗୁଣବତ୍ତାକୁ ନେଇ ବି ପ୍ରଶ୍ନ ରହିଛି । ଏଣୁ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ବିସିସିଆଇ ଏସଜି ଉପରେ ଭରସା କରୁଛି ନା ଏହା ନିଜର ନୀତିରେ ପରିବର୍ତ୍ତନ କରି ବିଦେଶ ବଲ୍ ପ୍ରସ୍ତୁତକାରୀ କମ୍ପାନୀଙ୍କ ଉପରେ ନିର୍ଭର କରୁଛି, ତାହା ବି ଏକ ବଡ଼ ବିଷୟ ହେବ ।