close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଜେପିକୁ ଲାଗିବ ଝଟକା, ଶିବସେନା-ଏନସିପି-କଂଗ୍ରେସ ମିଶି ଗଢିବ ସରକାର!

ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି । ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟା କମ ହୋଇଛି । ଯାହା ପରେ ଶିବସେନା ୫୦-୫୦ ଫର୍ମୁଲା ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଦର ଦାବି କରୁଛି । ଅନ୍ୟପକ୍ଷେ ବିଜେପି ଶିବସେନାର ଏହି ପ୍ରସ୍ତାବ ମାନିବାକୁ ନାରାଜ । ଦେବେନ୍ଦ୍ର ଫଡନାବିସ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ସ୍ପଷ୍ଟ କରିଛି । ସେପଟେ ଶିବସେନା ବିନା ମୁଖ୍ୟମନ୍ତ୍ରୀ ପଦରେ ବିଜେପି ସହ ସରକାର ଗଢିବାକୁ ଅନିଚ୍ଛା ପ୍ରକାଶ କରିଛି । 

ବିଜେପିକୁ ଲାଗିବ ଝଟକା, ଶିବସେନା-ଏନସିପି-କଂଗ୍ରେସ ମିଶି ଗଢିବ ସରକାର!

ମୁମ୍ୱାଇ: ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି । ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟା କମ ହୋଇଛି । ଯାହା ପରେ ଶିବସେନା ୫୦-୫୦ ଫର୍ମୁଲା ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଦର ଦାବି କରୁଛି । ଅନ୍ୟପକ୍ଷେ ବିଜେପି ଶିବସେନାର ଏହି ପ୍ରସ୍ତାବ ମାନିବାକୁ ନାରାଜ । ଦେବେନ୍ଦ୍ର ଫଡନାବିସ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ସ୍ପଷ୍ଟ କରିଛି । ସେପଟେ ଶିବସେନା ବିନା ମୁଖ୍ୟମନ୍ତ୍ରୀ ପଦରେ ବିଜେପି ସହ ସରକାର ଗଢିବାକୁ ଅନିଚ୍ଛା ପ୍ରକାଶ କରିଛି । 

ଏହି ପରିସ୍ଥିତି ମଧ୍ୟରେ ଶିବସେନାର ବରିଷ୍ଠ ନେତା ତଥା ପ୍ରବକ୍ତା ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ କରିଛନ୍ତି । ଯାହା ପରେ ରାଜନୈତିକ ଗତିବିଧିରେ ବୃଦ୍ଧି ଦେଖା ଦେଇଛି । ଉଦ୍ଧବ ଠାକରେ ପ୍ରଥମରୁ ସ୍ଥିର କରି ନେଇଛନ୍ତି ଯେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକରେ ହିଁ ହେବେ । ବର୍ତ୍ତମାନ ସଞ୍ଜୟ ରାଉତ ଓ ପାୱାରଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ଏହାର ସମ୍ଭାବନା ଆହୁରି ବଢିଯାଇଛି । ଏହି ପରିସ୍ଥିତିରେ କଂଗ୍ରେସ ଓ ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ଦେଇ ପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି ।

ଶୁକ୍ରବାର ସକାଳେ ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପି ସହ ସରକାର ଗଢିବାକୁ ନେଇ କୌଣସି ଆଲୋଚନା ହେଉନାହିଁ । ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବ ବୋଲି ସେ ଦମ୍ଭୋକ୍ତି ଭରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛୁ ଶିବସେନା କଣ ଏନସିପିର ସମର୍ଥନ ନେବା ପାଇଁ ପ୍ରସ୍ତୁତ? ତେବେ କଂଗ୍ରେସର ସମର୍ଥନ ମଧ୍ୟ ଶିବସେନା ନେବ? କଂଗ୍ରେସ ଓ ଶିସେନା ମଧ୍ୟରେ ବିଚାରଗତ ମତଭେଦ ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ଶିବସେନା କଂଗ୍ରେସକୁ ସମର୍ଥନ ପ୍ରଦାନ କରି ଆସିଛି ।

 

୨୦୦୭ରେ ରାଷ୍ଟ୍ରପତି ନିର୍ବାଚନରେ ଶିବସେନା କଂଗ୍ରେସ ପ୍ରାର୍ଥୀ ପ୍ରତିଭା ପାଟିଲଙ୍କୁ ସମର୍ଥନ ଦେଇଥିଲା । ଏହାପରେ ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ଶିବସେନା ସମର୍ଥନ ପ୍ରଦାନ କରିଥିଲା । ସେହିପରି ୨୦୧୮ରେ ଶିବସେନାର ମୁଖପାତ୍ର 'ସାମନା'ରେ ସଞ୍ଜୟ ରାଉତ ଲେଖିଥିଲେ ଯେ, କେବଳ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଇନ୍ଦିରା ଗାନ୍ଧୀଙ୍କ ଯୋଗଦାନ ଭୁଲି ହେବନାହିଁ । ଇନ୍ଦିରା ଗାନ୍ଧି ଲୋକତନ୍ତ୍ରର ସମର୍ଥକ ଥିଲେ ଓ ଜରୁରୀକାଳୀନ ପରେ ସେ ନିର୍ବାଚନ କରାଇ ପରାଜିତ ମଧ୍ୟ ହୋଇଥିଲେ ।

ଏହାପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭ ନିର୍ବାଚନରେ ବାଲା ସାହେବ ଠାକରେ ଓ ତାଙ୍କ ସଙ୍ଗଠନ ଶିବସେନା ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସକୁ ସମର୍ଥନ ଦେଇଥିଲା । ଏହାପରେ ୧୯୮୦ରେ ମଧ୍ୟ କଂଗ୍ରେସର ସାଥ ଶିବସେନା ଦେଇଥିଲା । ଏହି ଦୁଇ ଲୋକସଭା ନିର୍ବାଚନରେ ଶିବସେନା କୌଣସି ପ୍ରାର୍ଥୀଙ୍କୁ ମୈଦାନରେ ଓହ୍ଲାଇ ନଥିଲା । ବର୍ତ୍ତମାନ ଦେଖିବାର ଅଛି । ଶିବସେନା କେବଳ ହିନ୍ଦୁତ୍ୱର ଏଜେଣ୍ଡାକୁ ନେଇ ବିଜେପି ସହ ଆଗକୁ ବଢିବ ନା ମୁଖ୍ୟପଦ ପାଇଁ କଂଗ୍ରେସ ସହ ମିଶି ସରକାର ଗଢିବ ।  

ଅନ୍ୟପକ୍ଷେ ବିଗତ ଦିନରେ କଂଗ୍ରେସ ସଙ୍କେତ ଦେଇଥିଲା ଯେ ସେ ଶିବସେନା ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେଇପାରେ । ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ବାଲାସାହେବ ଥୋରାଟ କହିଥିଲେ ଯେ, ଆମେ ଏହା ଉପରେ ଶିବସେନା ସହ କୌଣସି ଆଲୋଚନା କରିନାହୁଁ । ଯଦି ଏପରି କିଛି ସ୍ଥିତି ଆସୁଛି, ତେବେ ହାଇକମାଣ୍ଡ ଏହାର ନିଷ୍ପତ୍ତି ନେବେ । 

ଏନସିପିର ବରିଷ୍ଠ ନେତା ଛଗନ ଭୁଜବଲ କହିଥିଲେ ଯେ, ଶିବସେନାକୁ ଖୋଲା ଅଫର ଦେଉଛି, ସେମାନେ ମୁଖ୍ୟମନ୍ତ୍ରୀ ପଦ ନେଇ ଆମ ସହ ମିଶି ସରକାର ଗଢନ୍ତୁ । ବିଜେପି ସହ ସରକାର ଗଢିଲେ ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ କିନ୍ତୁ ଆମ ସହ ଆସିଲେ ମୁଖ୍ୟମନ୍ତ୍ରୀ ପଦ ମିଳିବ । ବର୍ତ୍ତମାନ ଶିବସେନା ସ୍ଥିର କରୁ ସେ କଣ କରିବ ।

ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନଙ୍କ ଏକ ମନ୍ତବ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା ।  ବିଜେପିକୁ ରାଜ୍ୟ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ସହ ହାତ ମିଶାଇ ପାରନ୍ତି ଏନସିପି ଓ କଂଗ୍ରେସ । ଚୌହ୍ୱାନ କହିଛନ୍ତି ଯେ, ନିର୍ବାଚନୀ ଫଳାଫଳ ଆସିବା ସହ ମହାରାଷ୍ଟ୍ରରେ ଆଗାମୀ ସରକାର ଗଢିବାର ରୋଚକ ସମ୍ଭାବନା ମଧ୍ୟ ଦେଖା ଦେଇଛି । 

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।