close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କନ୍ଧମାଳର ଏହି ସ୍ଥାନ ବୁଲିଯାଇଛନ୍ତି କି?

ଓଡ଼ିଶାରେ ବି ଅଛି ଏପରି ସ୍ଥାନ ଯେଉଁଠି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପ୍ରକୃତି 

କନ୍ଧମାଳର ଏହି ସ୍ଥାନ ବୁଲିଯାଇଛନ୍ତି କି?
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶୁଭଦ୍ରା ବେହେରା, ଭୁବନେଶ୍ୱର: ଆସିଲାଣି ଶୀତଋତୁ । ଶୀତଋତୁ  ଆସିବା ସହ ପିକନିକର ଋତୁ ମଧ୍ୟ ଆସିଥାଏ । ଶୀତଋତୁରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ତଥା ପିକନିକ ସ୍ପଟରେ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୁଏ । ଜଞ୍ଜାଳମୟ ଜୀବନରୁ ଟିକିଏ ଫୁରସତ ମିଳିଲେ ଲୋକେମାନେ ଖୋଜନ୍ତି ଶାନ୍ତିପୂର୍ଣ୍ଣ ସ୍ଥାନ । ଯେଉଁଠାରେ ପରିବାର ତଥା ନିଜର ଆତ୍ମୀୟ ସ୍ୱଜନଙ୍କ ସହ କିଛି ବିଶେଷ ମୂହୂର୍ତ୍ତ କଟାଇପାରିବେ । ସେହିପରି ସ୍କୁଲ କଲେଜରେ ମଧ୍ୟ ଶୀତ ଋତୁରେ ପିକିନିକର ଆୟୋଜନ କରାଯାଏ । ଛାତ୍ରଛାତ୍ରୀମାନେ ବିଭିନ୍ନ ପିକିନିକ ସ୍ପଟ ବୁଲିବା ସହ ସେହି ସ୍ଥାନ ବିଷୟରେ ଜ୍ଞାନ ଆହରଣ କରନ୍ତି । ତେବେ ଆମ ରାଜ୍ୟରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ ଯେଉଁଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ ଶୀତ ଋତୁରେ ।

ବିଶେଷ କରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଜମେ ପର୍ଯ୍ୟଟକଙ୍କ ଭିଡ଼ । ଏହା ଓଡ଼ିଶାର ଏକମାତ୍ର ପର୍ବତୀୟ ସ୍ଥାନ ଯେଉଁଠାରେ ଶୀତ ଦିନେ ବରଫପାତ ହୁଏ । କେବଳ ଦାରିଙ୍ଗବାଡ଼ି ପାଇଁ ନୁହେଁ ବରଂ କନ୍ଧମାଳ ଜିଲ୍ଲାରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀକୁ ମଧ୍ୟ ଦୂରଦୂରାନ୍ତରୁ ପର୍ଯ୍ୟଟଙ୍କ ସୁଅ ଛୁଟିଥାଏ ।

ତେବେ ଆପଣମାନେ ଯଦି ଏହି ଶୀତଋତୁରେ ପିକନିକର ପ୍ଲାନ କରୁଛନ୍ତି ତାହେଲେ ଥରେ ପଢିନିଅନ୍ତୁ ଆମର ଏହି ରିପୋର୍ଟ :

ଦାରିଙ୍ଗବାଡ଼ିରେ ଆପଣ କଣ ଦେଖିବେ?
ହିଲ ଭିୟୁ ପାର୍କ: ଦାରିଙ୍ଗବାଡି ଠାରୁ ୧ କିମି ଦୂରରେ ଅବସ୍ଥିତ ହିଲ ଭିୟୁ ପାର୍କ । ଚାରିପଟେ ପର୍ବତ ମାଳା  ଏବଂ ଦାରିଙ୍ଗବାଡିର କିଛି ଗାଁ ମଧ୍ୟ ଏହି ପର୍ବତମାଳାରୁ ଦେଖାଯାଏ । ସୁନ୍ଦର ପରିବେଶ ସାଙ୍ଗକୁ ଏଠାରେ ଏକ  ଚିଲଡ୍ରେନ୍ସ ପାର୍କ ମଧ୍ୟ ରହିଛି । ବଣ ଭୋଜି ପାଇଁ ଏଠାରେ ପର୍ଯ୍ୟାପ୍ତ ପରିମାଣର ଜାଗା ମଧ୍ୟ ରହିଛି । ଏଠାରେ ପ୍ରାୟତଃ ବଣଭୋଜି ପାଇଁ  ପର୍ଯ୍ୟଟକଙ୍କ ଭିଡ଼ ଜମେ ।

ନେଚର ପାର୍କ: ଦାରିଙ୍ଗବାଡି ଠାରୁ ୧ କିମି ଦୂରରେ ଅବସ୍ଥିତ ନେଚର ପାର୍କ । ଏଠାରେ କୃତ୍ରିମ ଝରଣା ରହିଛି । ଏଥିସହ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାରର ଫୁଲ ବଗିଚା ସାଙ୍ଗକୁ ଆୟୁର୍ବେଦିକ ଗଛ ଉଦ୍ୟାନ ମଧ୍ୟ ରହିଛି । ଏଠାରେ ପିଲାଙ୍କ ପାଇଁ ବିଭିନ୍ନ ଖେଲଣା ସରଞ୍ଜାମ ମଧ୍ୟ ରଖାଯାଇଛି । ଏହି ପାର୍କଟି ପିଲାମାନଙ୍କୁ ବେଶ ଆକର୍ଷିତ କରେ ।
ଡୁଲୁରି ପିକନିକ ସ୍ପଟ:  ଏହା ଦାରିଙ୍ଗବାଡି ଠାରୁ ୩ କିମି ଦୂରରେ ଅବସ୍ଥିତ  । ଏହା ଏକ ପଥରରେ ପରିପୂର୍ଣ୍ଣ ନଦୀ । ଏଠାରେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଣ ଭୋଜି କରିପାରିବେ ।
କିରିକୁଟି ପିକନିକ ଗ୍ରାଉଣ୍ଡ: ଏହା ଦାରିଙ୍ଗବାଡିରୁ ୧୭ କିମି ଦୂରରେ ଅବସ୍ଥିତ । ଏହି ପିକିନିକ ଗ୍ରାଉଣ୍ଡରେ ଆପଣ ମାନେ ଏମୁ ପକ୍ଷୀଙ୍କୁ ଦେଖିପାରିବେ । ଏଠାରେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଣ ଭୋଜି କରିପାରିବେ
କଫି ବଗିଚା: ଏହା ଦାରିଙ୍ଗବାଡି ଠାରୁ ୫୦୦ ମିଟର ଦୂରରେ ଅବସ୍ଥିତ । ଏଠାରେ ଆପଣ କଫି ଗଛ ସହ ଆମ୍ବ, ପଣସ, ଗୋଲମରିଚ, ନୀଳଗିରି, ପାଇନ୍, ଝାଉଁ, ଚନ୍ଦନ ଆଦି ଗଛ ଦେଖିପାରିବେ । ଏହି ବଗିଚାରେ ବିଶେଷ କରି କଫି ଗଛ ଉପେ ଧ୍ୟାନ ଦିଆଯାଏ  । ଏଠାରେ ଏକ ଛୋଟ ଚିଡିଆଖାନା ମଧ୍ୟ ରହିଛି । ଏହି ଚିଡିଆଖାନରେ  ଠେକୁଆ , ପାଟ୍ଟ ମୂଷା ଓ ଶୁଆ ରଖାଯାଇଛି ।
ହର୍ବାଲ ଗାର୍ଡେନ ପିକନିକ ସ୍ପଟ:  ଏହା କଫି ବଗିଚା ସାମ୍ନାରେ ଅବସ୍ଥିତ । ଏହି ଜାଗାଟି ବଣ ଭୋଜି କରିବା ପାଇଁ ଉଦ୍ଧିଷ୍ଟ ।
ଦାସିଂବାଡି ୱାଟର ଫଲ : ଏହା ଦାରିଙ୍ଗବାଡି ଠାରୁ ୧୩ କିମି ଦୂରରେ ଅବସ୍ଥିତ । ଏହି ଜଳପ୍ରପାତରେ ପ୍ରାୟ ୪୦ ଫୁଟ ଉଚ୍ଚରୁ ପାଣି ପଡ଼ିଥାଏ । ଏହା ଚାରିପଟେ ସବୁଜ ଜଙ୍ଗଲ ରହିଛି ।  
ଦାରବାଡି ଜଳପ୍ରପାତ:  ଏହା ଦାରିଙ୍ଗବାଡିରୁ ୨୨ କିମି ଦୂରରେ ଅବସ୍ଥିତ । ଏଠାରେ ଆପଣ ବଣଭୋଜି କରିପାରିବେ । ତେବେ ଦାରିଙ୍ଗବାଡି ଏବଂ କୋଟଗଡ ସୀମାନ୍ତରେ ରହିଛି ଏହି ଜଳପ୍ରପାତ 

କେମିତି ଯିବେ ଦାରିଙ୍ଗବାଡି?
ଦାରିଙ୍ଗବାଡି ଆମ ରାଜ୍ୟର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ । ଆପଣ ଏଠାକୁ ବସ୍ କିମ୍ବା ଟ୍ରେନ ମାଧ୍ୟମରେ ଯାଇପାରିବେ ।  ଭୁବନେଶ୍ୱର ଠାରୁ ଦାରିଙ୍ଗବାଡିର ଦୂରତା ୨୫୧ କିମି । ରାଜ୍ୟର ଯେକୌଣସି ସ୍ଥାନରୁ ଆପଣ ବସ୍  ଯୋଗେ ମଧ୍ୟ ଯାଇପାରିବେ ।  ଫୁଲବାଣୀ ବସ୍ ଷ୍ଟାଣ୍ଡରୁ ଏହା ୨୦୦ କିମି ଦୂରତାରେ ଅବସ୍ଥିତ  ।  ଦାରିଙ୍ଗବାଡିର ନିକଟତମ ରେଲୱେ ଷ୍ଟେସନ ବ୍ରହ୍ମପୁର । ଏହା ଦାରିଙ୍ଗବାଡି ଠାରୁ ୧୨୦ କିମି ଦୂରରେ ଅବସ୍ଥିତ ।  ବହ୍ମପୁରରୁ ଟ୍ୟାକ୍ସି ଯୋଗେ ଦାରିଙ୍ଗବାଡି ଯାଇପାରିବେ । ୩ଟି ରୁଟ୍ ମାଧ୍ୟମରେ ଆପଣ ଦାରିଙ୍ଗବାଡି ଯାଇପାରିବେ । ପ୍ରଥମଟି ସୋରଡା଼ ଦେଇ ଗଲେ ଆପଣଙ୍କୁ ୧୨୦ କିମି ଦୂରତ୍ୱ  ପଡ଼ିବ, ୨ୟଟି ଭଞ୍ଜନଗର-ଜି.ଉଦୟଗିରି ଦେଇ ଗଲେ ଆପଣଙ୍କୁ ପଡ଼ିବ ୧୮୦ କି.ମିର ଦୂରତ୍ୱ । ଏବଂ ୩ୟଟି ମୋହନା-ବ୍ରାହ୍ମଣୀଗାଁ ଦେଇଗଲେ ଆପଣଙ୍କୁ ପଡ଼ିବ ୧୦୫ କ.ମି .

ତେବେ ଏଥିସହିତ ଆପଣ କନ୍ଧମାଳ ଜିଲ୍ଲାରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀର ମଧ୍ୟ ମଜା ଉଠାଇ ପାରିବେ:
ବେଲଘର ପର୍ଯ୍ୟଟନ ସ୍ଥଳୀ: ଏଠାରେ  ଆପଣ କାଠବଙ୍ଗଳା, ବେଲଘର ହାତୀ ସଂରକ୍ଷାଞ୍ଚଳ ଏବଂ ନେଚର କ୍ୟାମ୍ପର ମଜା ଉଠାଇପାରିବେ । ଏହି ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗଙ୍କୁ ହାତୀ ଆଦି ବନ୍ୟ ପ୍ରାଣୀରେ ପରିପୂର୍ଣ୍ଣ । ଏଠାରେ କୁଟିକନ୍ଧ ଜନଜାତିର ଲୋକେ ବସବାସ କରନ୍ତି ।
ବରାଳ ଦେବୀ ମନ୍ଦିର: ଏହି ମନ୍ଦିର ମା ବରାଳ ଦେବୀଙ୍କ ପାଇଁ ପ୍ରସିଦ୍ଧ ଅଟେ । ମା ବରାଳ ଦେବୀଙ୍କୁ ଜଗତର ଉଦ୍ଧାରକର୍ତ୍ତା ଭାବେ ବିଶ୍ୱାସ ରହିଛି । ଏଠାରେ ଏକ ପିଲାସାଲୁଙ୍କି ଡ୍ୟାମ ମଧ୍ୟ ରହିଛି । ଏହା ବରାଳଦେବୀ ମନ୍ଦିର ଠାରୁ ୩ କିମି ଦୂରରେ ଅବସ୍ଥିତ ।
ପତୁଡି ଜଳ ପ୍ରପାତ: ଏହା ଫୁଲବାଣୀରୁ ୧୮ କ.ମି. ଦୂରରେ ଅବସ୍ଥିତ । ଏହା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ, ଏଠାରେ ସାଲୁଙ୍କି ନଦୀ ୬୦ ଫୁଟ ଉଚ୍ଚରୁ ପ୍ରବାହିତ ହୋଇଥାଏ ।
ଜଗନ୍ନାଥ ମନ୍ଦିର:  ଏହା ଫୁଲବାଣୀରେ ଅବସ୍ଥିତ । ଏଠାକୁ ଆପଣ ବସ୍ କିମ୍ବା ଟାକ୍ସି ମାଧ୍ୟମରେ ଭ୍ରମଣ କରିପାରିବେ ।