ଜଗନ୍ନାଥଙ୍କ ଷୋଳକଳା ବିଷୟରେ ଜାଣିଛନ୍ତି କି ?

ଜାଣନ୍ତୁ ଜଗନ୍ନାଥଙ୍କ ଷୋଳକଳା ବିଷୟରେ

ଜଗନ୍ନାଥଙ୍କ ଷୋଳକଳା ବିଷୟରେ ଜାଣିଛନ୍ତି କି ?
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୋନିକା ମହାନ୍ତି, ନୂଆଦିଲ୍ଲୀ: ଜଗନ୍ନାଥ ଶଦ୍ଦର ଅର୍ଥ ହେଉଛି ଜଗତ ଉପରେ ବିଜେ କରୁଥିବା ନାଥ । ଅର୍ଥାତ ଜଗନ୍ନାଥଙ୍କ ଅର୍ଥ ସର୍ବୋଚ୍ଚ ସ୍ଥାନ ବା ରତ୍ନବେଦୀ ଉପରେ ବସିଥିବା ଠାକୁର, ତେବେ ଅଧିକାଂଶ ସମୟରେ ପଣ୍ଡିତମାନେ ଏହାକୁ ସଂସ୍କୃତ ସନ୍ଧି ପ୍ରକରଣ ଆଧାରରେ 'ଜଗତ୍ + ନାଥ' ବୋଲି ଯୁକ୍ତି ଦର୍ଶାଇଥାନ୍ତି, ତେବେ ବିଭିନ୍ନ ଯୁଗରେ ପ୍ରଭୁଙ୍କର ସ୍ଥିତି ଓ ଆଦର୍ଶ ବେଶ ଭିନ୍ନ ।

ତେବେ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କ ଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜା ପାଇଥାଆନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି । ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ତେବେ ଆପଣ ଜାଣିଛନ୍ତି କି ଜଗନ୍ନାଥଙ୍କ ଷୋଳକଳା କଣ ।

ପ୍ରଥମ କଳା - ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା ।
ଦ୍ୱିତୀୟ କଳ - ପ୍ରତିଷ୍ଠା : ସତମାର୍ଗରେ ଯଶ ଅର୍ଜନ କରିବାର କଳା ।
ତୃତୀୟ କଳା - ବିଦ୍ୟା : ନିଃସ୍ୱାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା ।
ଚତୁର୍ଥ କଳା - ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରଖି ସ୍ଥିର ଚିତରେ ରହିବାର କଳା ।
ପଞ୍ଚମ କଳା - ଇନ୍ଧିକା : ନିଜ ଅନ୍ତଃଶକ୍ତିକୁ ସଂଗ୍ରହ କରିବାର କଳା ।
ଷଷ୍ଠ କଳା - ଦୀପିକା: ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗର କଳା ।
ସପ୍ତମ କଳା - ରେଚିକା : ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚିହ୍ନି, ତାହାକୁ ସ୍ୱୀକାର କରି ପରିତ୍ୟାଗ କରିବାର କଳା ।
ଅଷ୍ଟମ କଳା- ମୋଚିକା : ମାୟା ଓ ମୋହରୁ ମୁକ୍ତ ହେବାର କଳା ।
ନବମ କଳା - ପରା : ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲକ୍ଷ ସ୍ଥାପନ କରିବାର କଳା ।
ଦଶମ କଳା - ସୂକ୍ଷ୍ମ : ସତ ସୂକ୍ଷଗତ ବିଚାର କରିବାର କଳା ।
ଏକାଦଶ କଳା - ସୁକ୍ଷ୍ମ ଅମୃତ : ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା ।
ଦ୍ୱାଦଶ କଳା - ଜ୍ଞାନ : ଠିକ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝାଇବା କଳା ।
ତ୍ରୟୋଦଶ କଳା- ଜ୍ଞାନ ଅମୃତ : ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା ।
ଚତୁର୍ଦ୍ଦଶ କଳା - ଅପ୍ୟାୟିନୀ : ନିଜ କର୍ମଦ୍ୱାରା ସମାଜ କଲ୍ୟାଣ କରିବାର କଳା ।
ପଞ୍ଚଦଶ କଳା - ବ୍ୟାପିନୀ : ସତ୍ୟକୁ ସର୍ବବ୍ୟାପୀ କରିବାର କଳା ।
ଷୋଡ଼ଶ କଳା - ବ୍ୟୋମରୂପା : ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ୱରେ ସମସ୍ତଙ୍କୁ ସମୋହିତ କରିବାର କଳା ।