ଫେସବୁକରେ ଲୋକପ୍ରିୟତାକୁ ନେଇ ଟ୍ରମ୍ପଙ୍କ ଡାହା ମିଛ

ଫେସବୁକରେ ଲୋକପ୍ରିୟତାକୁ ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ଭୁଲ ପ୍ରମାଣିତ

ଫେସବୁକରେ ଲୋକପ୍ରିୟତାକୁ ନେଇ ଟ୍ରମ୍ପଙ୍କ ଡାହା ମିଛ

ନୂଆଦିଲ୍ଲୀ: ଚଳିତ ମାସ ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଓ ତାଙ୍କର ପତ୍ନୀ ଉଭୟେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ତେବେ ଏହାକୁ ନେଇ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଗସ୍ତର ଅବ୍ୟବହିତ ପୂର୍ବରୁ ଫେସବୁକରେ ଫଲୋୟର୍ସଙ୍କୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଏବେ ଉଭୟ ରାଜନୈତିକ ତଥା କୂଟନୈତିକ ସ୍ତରରେ ବେଶ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି । ଫେସବୁକ ଫଲୋୟର୍ସଙ୍କ ସଂଖ୍ୟା ଟ୍ରମ୍ପଙ୍କର ସର୍ବାଧିକ ଓ ଏହି କ୍ଷେତ୍ରରେ ମୋଦି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବୋଲି ଟ୍ରମ୍ପ ପ୍ରକାଶ କରିଥିଲେ । 

ଏନେଇ ଡୋନାଲ୍ଡ ଟ୍ରମ୍ପ ଏକ ଟ୍ୱିଟ କରି କହିଥିଲେ କି, ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନିକଟରୁ ଏହି ସୂଚନା ମିଳିଛି । ସେ ମୋତେ କହିଥିଲେ କି, ଫେସବୁକରେ ଲୋକପ୍ରିୟତା ଦୃଷ୍ଟିରୁ ମୁଁ ପ୍ରଥମ ସ୍ଥାନରେ ରହିଛି ଏବଂ ଭାରତର ପ୍ରଧାନମନ୍ତ୍ରୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବୋଲି ସେ ଟ୍ୱିଟରରେ ଉଲ୍ଲେଖ କରିଥିଲେ । ତେବେ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ବହୁତ ପଛରେ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । 

ଫଳରେ ଟ୍ରମ୍ପ ଟ୍ୱିଟ କରି ଦାବି କରିଥିବା ଉକ୍ତି ସମ୍ପୂର୍ଣ୍ଣ ଭାବେ ଭୁଲ ପ୍ରମାଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଲୋଅର ମାମଲାରେ ଟ୍ରମ୍ପଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି । ଯଦି ଫେସବୁକରେ ଉଭୟଙ୍କ ଫଲୋଅର ସଂଖ୍ୟାକୁ ଦେଖାଯାଏ ତେବେ ମୋଦିଙ୍କ ଫଲୋଅର ସଂଖ୍ୟା ୪୪,୩୭୮,୬୨୫ ରହିଛି । ଏହି ସଂଖ୍ୟା ଅନୁଯାୟୀ ଟ୍ରମ୍ପଙ୍କ ଫଲୋଅରଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ପଛରେ ରହିଛି । ଟ୍ରମ୍ପଙ୍କ ଫଲୋଅର ସଂଖ୍ୟା ଫେସବୁକରେ ୨୭,୫୩୭,୧୭୭ ରହିଛି । ଅନୁପାତ ଅନୁଯୟୀ ଦେଖା ଗଲେ ଏହା ମୋଦିଙ୍କ ଅନୁପାତ ସଂଖ୍ୟାର ପ୍ରାୟ ଅଧା । 

କିନ୍ତୁ ସୋସିଆଲ ମିଡ଼ିଆରେ ସକ୍ରିୟ ରହିବାରେ ମୋଦିଙ୍କୁ ପଛରେ ପକାଇଛନ୍ତି ଟ୍ରମ୍ପ । ଗତ ଏକ ସପ୍ତାହ ମଧ୍ୟରେ ମୋଦି ମାତ୍ର ଗୋଟିଏ ପୋଷ୍ଟ କରିଥିବା ବେଶେ, ଟ୍ରମ୍ପ ପ୍ରାୟ ୧୨୫ଟି ପୋଷ୍ଟ କରିଛନ୍ତି । ଏହି ସଂଖ୍ୟା ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆରେ ସକ୍ରିୟତାକୁ ବେଶ ପ୍ରମାଣିତ କରୁଛି । ତେବେ ଚଳିତ ବର୍ଷର ଶେଷ ଆଡ଼କୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଫଳରେ ଏହି କାରଣରୁ ଟ୍ରମ୍ପ ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବା ଆଲୋଚନା ହେଉଛି । 

ଟ୍ରମ୍ପ ବନାମ ମୋଦି
ଫେସବୁକରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମରେ ଦୁଇଟି ଆକାଉଣ୍ଟ ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ ନାମରେ ଏକ ଆକାଉଣ୍ଟ ରହିଛି । ଯାହା ୨୦୧୮ ମସିହା ମେ ୧୮ ତାରିଖରୁ ନିଷ୍କ୍ରିୟ ହୋଇ ପଡ଼ିଛି । ଏହାକୁ ୨୦୧୭, ଜାନୁଆରୀ ୧୨ ତାରିଖରେ ଫେସବୁକରେ ଖୋଲାଯାଇଥିବା ବେଳେ ଏହାର ଦୁଇ ଜଣ ଆଡମିନ ରହିଛନ୍ତି । ଏହି ଆକାଉଣ୍ଟରେ ଟ୍ରମ୍ପଙ୍କର ୫,୩୮୭,୮୫୨ ଜଣ ଫଲୋଅର ରହିଥିବା ବେଲେ ପେଜର ଲାଇକ ସଂଖ୍ୟା ୩,୧୦୦,୦୨୮ ରହିଛି । ଏଥିରେ ୨୦୧୮ ମେ ୧୮ ତାରିଖରେ ଶେଷଥର ପାଇଁ ପୋଷ୍ଟ କରାଯାଇଥିଲା । 

ସେହିଭଳି ଟ୍ରମ୍ପଙ୍କର ଆଉ ଏକ ଆକାଉଣ୍ଟ ଡୋନାଲ୍ଡ ଜେ ଟ୍ରମ୍ପ ନାମରେ ରହିଛି । ଏହାକୁ ୨୦୦୯ ମସିହା ଏପ୍ରିଲ ୮ ତାରିଖରେ କରାଯାଇଥିଲା । ଏହି ଆକାଉଣ୍ଟରେ ୧୭ ଜଣ ଆଡମିନ ରହିଛନ୍ତି । ଏଥିରେ ଟ୍ରମ୍ପଙ୍କ ଫଲୋଅର ସଂଖ୍ୟା ୨୭,୫୩୭,୨୧୮ ଏବଂ ପେଜ ଲାଇକ ୨୫,୯୬୩,୯୯୩ ରହିଛି । ତେବେ ଏଥିରେ ଗତ ୧୨ ତାରିଖରେ ଶେଷ ଥର ପାଇଁ ପୋଷ୍ଟ କରାଯାଇଥିଲା । 

ଏହି କ୍ରମରେ ପ୍ରଧାନମନ୍ତ୍ରୀ ଆଗରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫେସବୁକ ଆକାଉଣ୍ଟ ନରେନ୍ଦ୍ର ମୋଦି ନାମରେ ରହିଛି । ଏହି ଆକାଉଣ୍ଟ ୨୦୦୯ ମସିହା ମେ ୫ ତାରିଖରେ କରାଯାଇଥିଲା । ଏଥିରେ ୫ ଜଣ ଆଡମିନ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସଙ୍କ ସଂଖ୍ୟା ୪୪,୩୭୮,୬୫୬ ରହିଥିବା ବେଳେ ପେଜ ଲାଇକ ସଂଖ୍ୟା ୪୪,୬୨୨,୭୬୩ ରହିଛି । ତେବେ ଏହି ଦୁଇ ନେତାଙ୍କ ଫେସବୁକ ଆକାଉଣ୍ଟକୁ ତୁଳନା କରାଯାଏ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଟ୍ରମ୍ପ ୧୬,୯୪୧,୪୩୮ରେ କମ ରହିଛନ୍ତି ।