ଜୁଆ ନିଶାରେ ନରହନ୍ତା ସ୍ୱାମୀ

 ପୂର୍ଣ୍ଣମୀର ଚନ୍ଦ୍ରମା ଉଇଁଲା ପରେ ଛାରଖାର୍ ହୋଇଗଲା ପରିବାର

ଜୁଆ ନିଶାରେ ନରହନ୍ତା ସ୍ୱାମୀ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ସୁନନ୍ଦନ ମିଶ୍ର, ବାଲିଗୁଡ଼ା: ସେଦିନ ଥିଲା କୁମାର ପୂର୍ଣ୍ଣିମା । ପୂର୍ଣ୍ଣମୀର ଚନ୍ଦ୍ରମା ଉଇଁଲା ପରେ ଛାରଖାର୍ ହୋଇଗଲା ପରିବାର  ଝିମିଟି ଖେଳରୁ ହେଲା ମହାଭାରତ । ସ୍ଥାନ ଥିଲା ବାଲିଗୁଡ଼ା ସୁଡ୍ରା ପଞ୍ଚାୟତ କତରିଭଟ୍ଟା ଗାଁ । ଦିନ ଥିଲା କୁମାର ପୂର୍ଣ୍ଣିମା । ଗାଁରେ ପୂର୍ଣ୍ଣମୀର ଚାନ୍ଦ ଉଇଁଥାଏ । ସମସ୍ତେ ନାଚଖେଳରେ ମସଗୁଲ । କିନ୍ତୁ ସେତେବେଳେ ଗୋଟିଏ ଘରେ ଚାଲିଥାଏ କଳିଝଗଡ଼ା । ଏଣେ ଆକାଶରେ ଚାନ୍ଦ ବଢ଼ୁଥାଏ ତେଣେ ଧୀରେ ଧୀରେ ବଚସା ବଢ଼ୁଥାଏ । ଗାଁର ଆଶାକର୍ମୀ ମଞ୍ଜୁଲତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟର ପାଟିତୁଣ୍ଡର ଆୱାଜ୍ ଏତେ ବଢ଼ିଯାଉଥାଏ, ଯେ ପଦାରେ ଲୋକେ ବି ତାକୁ ଶୁଣିବାକୁ ପାଉଥାନ୍ତି । ସେମାନଙ୍କ ପାଇଁ ଏ ଘଟଣା ନୂଆ ନଥିଲା
ବାହାଘରର ୧୦ ବର୍ଷ ପରେ ବି ଦୁହିଁଙ୍କ ମଧ୍ୟରେ ଏମିତି ଝଗଡ଼ା ପ୍ରାୟ ସବୁଦିନ ଲାଗି ରହୁଥିଲା । କାରଣ ମଞ୍ଜୁଙ୍କ ସ୍ୱାମୀ ଥିଲେ ଜଣେ ନିପଟ ଜୁଆଡ଼ି । ସବୁଦିନ ଜୁଆ ଖେଳି ଟଙ୍କା ହାରି ଘରକୁ ଫେରି ସ୍ତ୍ରୀ ସହ ଅଧିକ ଟଙ୍କା ପାଇଁ କରୁଥିଲେ ବଚସା । କିନ୍ତୁ ସେଦିନ ସେ କିଛି ଏମିତି କରିଦେଇଥିଲେ, ଯାହା ମଞ୍ଜୁଲତାଙ୍କ ପାଇଁ ଅସହ୍ୟ ହୋଇଯାଇଥିଲା । ମଞ୍ଜୁଙ୍କ ଜୁଆଡି ସ୍ୱାମୀ ସେଦିନ ତାଙ୍କ ଦରମା ଟଙ୍କାର ବି ଜୁଆ ଖେଳି ହାରିଯାଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ତୁମୁଳ ବଚସା । ଯାହାର ଫଳ ସ୍ୱରୂପ ଶେଷରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ପତ୍ନୀ ମଞ୍ଜୁଲତା ।
ମଞ୍ଜୁଲତାଙ୍କ ଶରୀର ଜଳୁଥିବା ଦେଖି ପରିବାର ଲୋକମାନେ ତାଙ୍କୁ ଉଦ୍ଧାର କରି ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଶରୀରର ୮୫ ପ୍ରତିଶତ ପୋଡ଼ିଯିବାପରେ ତାଙ୍କର ବଞ୍ଚିବାର ଆଶା ଖୁବ୍ କ୍ଷୀଣ ଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁଇ ଦିନର ସଂଘର୍ଷ ପରେ ସେ ଆଖି ବୁଜିଥିଲେ । ଆଉ ତିନି ସନ୍ତାନଙ୍କ ପରିବାର ହୋଇଯାଇଥିଲେ ବେସାହାରା ।
କାହାଣୀ ଏଇଠି ସରିନଥିଲା । କାରଣ ଏ କାହାଣୀ ମଧ୍ୟରେ ଲୁଚି ରହିଥିଲା ଦୁଇଟି ବଡ଼ ଟ୍ୱିଷ୍ଟ୍ । ପ୍ରଥମ ହେଉଛି, ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି ?  କାରଣ ମଞ୍ଜୁଙ୍କ ପରିବାର ଏନେଇ ଥାନାରେ ଏକ ଏତଲା ଦେଇଥିଲେ । ଯେଉଁଥିରେ ସେମାନେ ଅଭିଯୋଗ କରିଥିଲେ କି ମଞ୍ଜୁଙ୍କ ମୃତ୍ୟୁ ପାଇଁ ତାଙ୍କ ଜୁଆଡ଼ି ସ୍ୱାମୀ ଦାୟୀ । ପ୍ରକାରାନ୍ତରେ କହିଲେ, ସେ ହିଁ ହତ୍ୟାକାରୀ ।
 
ଦ୍ୱିତୀୟ ଟ୍ୱିଷ୍ଟଟି ଆସିଥିଲା, ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ଖବର ଆଣିବାକୁ ଗାଁରେ ପହଞ୍ଚିଥିଲେ । ସେଠି ଜଣାପଡ଼ିଥିଲା କି ପୋଷ୍ଟମର୍ଟମ୍ କି ଡିସଚାର୍ଜ ରିପୋର୍ଟ ବିନା ଶବକୁ ହସପିଟାଲରୁ ଅଣାଯାଇ ଦାହ ସଂସ୍କାର କରାଯିବାକୁ ବସିଛି । ତେବେ ଏ ବାବଦରେ ବାଲିଗୁଡ଼ା ପୋଲିସକୁ ଜଣାଯିବା ପରେ ପୋଲିସ ଏଥିରେ ହସ୍ତକ୍ଷେପ କରିଥିଲା ଓ ଶେଷରେ ଶବ ବ୍ୟବଚ୍ଛେଦ କରାଯାଇଥିଲା ।
ଏହା ଆତ୍ମହତ୍ୟା ନା ଜୁଆ ନିଶାରେ ନରହନ୍ତା ସାଜିଥିଲା ସ୍ୱାମୀ । ପୋଲିସ ଏବେ ଏହାର ଖୋଳତାଡ଼ କରୁଛି । ତେବେ ସ୍ୱାମୀର  ପ୍ରତିଦିନର ଜୁଆ ଖେଳ ନିଶା ଓ କଳିଝଗଡ଼ାରୁ ବିତସ୍ପୃହ ହୋଇ ମଞ୍ଜୁଲତା ଆତ୍ମହତ୍ୟା କରିଛି ବୋଲି ବାଲିଗୁଡ଼ା ଆଇଆଇସି ପ୍ରସାନ୍ତ ବେହେରା କହିଥିବାବେଳେ ପୋଲିସ ଏବେ ବି ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ।

ତେବେ ଝିମିଟି ଖେଳରୁ ମହାଭାରତ ଭଳି ଏହି ଘଟଣାରେ ମଧ୍ୟ ଦୌପଦୀ ସାଜି ବାଜିରେ ଲାଗିଗଲେ ମଞ୍ଜୁଲତା । ସାମାନ୍ୟ ଜୁଆ ନିଶା ଓ ଟଙ୍କାର ଲାଳସା ପାଇଁ  ସାତଜନ୍ମର ସାଥିକୁ ହରାଇଲା ସ୍ୱାମୀ ।