ଚନ୍ଦନ ପାଇକରାୟ, ଭୁବନେଶ୍ୱର: ଗୋଟିଏ କ୍ଲିକରେ ଅପରାଧୀର ସମସ୍ତ ବିବରଣୀ ମିଳିବ ହାତ ମୁଠାରେ । କୋର୍ଟ, ଥାନା, ଫରେନସିକ ଲାବ, ଜେଲ ମଧ୍ୟରେ ରହିବ ଉତ୍ତମ ସମନ୍ୱୟ। ସମସ୍ତେ ଅନଲାଇନ ଜରିଆରେ କରିବେ ଡାଟା ଆଦାନ ପ୍ରଦାନ । ଗୋଟିଏ ସିଷ୍ଟମ ସହ ଜଡିତ ହୋଇ ରହିବେ ସମସ୍ତ ଅଶୀଂଦାର। ଏଣିକି ପ୍ରମାଣ ଅଭାବରୁ ଖସି ଯିବନି ଅଭିଯୁକ୍ତ । ବର୍ଷ ବର୍ଷ ଧରି ଆଉ କୋର୍ଟରେ ଗଡ଼ିବନି ମାମଲା। ଜେଲରୁ ବାହାରି ଅପରାଧୀ ଆଉ କରିପାରିବନି ଅପରାଧ । ସଂପୂର୍ଣ୍ଣ ଅପରାଧ ମୁକ୍ତ ଓ ବିଚାରଧାରାକୁ କ୍ରିୟାଶୀଳ କରିବା ପାଇଁ ଲାଗୁ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ କ୍ରିମିନାଲ ଜଷ୍ଚିସ ସିଷ୍ଟମ(ICJS)। ସାରା ଦେଶରେ ଏବେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଥିବା ବେଳେ ଏବେ ଏହି ପ୍ରୋଜେକ୍ଟ ପାଇଁ ସମସ୍ତ ରାଜ୍ୟରେ ଆରମ୍ଭ ହୋଇ ଯାଇଛି କାର୍ଯ୍ୟ ।
ଏଣିକି ହାର୍ଡକୋର ଅପରାଧୀଙ୍କର ସମସ୍ତ ତଥ୍ୟ ମିଳିବ ଅନଲାଇନରେ। କିଏ କେତେଥର ଜେଲ ଯାଇଛି। କେଉଁ ମାମଲାରେ ଜେଲ ଯାଇଛି। ଏବେ କେଉଁଠି ଅଛି। ରାଜ୍ୟରେ ଥିବା ଜେଲ ମଧ୍ୟରେ ଥିବା କଏଦୀଙ୍କ ମଧ୍ୟରେ କେଉଁ ନାମରେ କେତେ ମାମଲା ରହିଛି । ମାମଲାର ସ୍ଥିତି କଣ । ପୋଲିସ କିଭଳି ତଦନ୍ତ କରୁଛି । କି କି ପ୍ରମାଣ ଗୋଟିଏ ମାମଲାରେ ଅଭିଯୁକ୍ତ ବିରୋଧରେ ଦାଖଲ କରିଛି । ଫରେନସିକ ଲାବର ରିପୋର୍ଟ କଣ କହୁଛି। ହତ୍ୟା ହେଉ କି ଦୁଷ୍କର୍ମ। ଚୋରୀ ହେଉ କି ଡକାୟତି। କୌଣସି ମାମଲାରେ ଆଉ ଦୋଷୀ ପାଇବେନି ଛାଡ଼ । ବଳିଷ୍ଟ ପ୍ରମାଣ ସହ ଦୋଷୀ ସାବ୍ୟସ୍ତ ସଂଖ୍ୟା ହେବ ବୃଦ୍ଧି । ଗୋଟିଏ କ୍ଲିକରେ ମିଳିବ ଅଭିଯୁକ୍ତର ସମସ୍ତ ତଥ୍ୟ । ଲାଗୁ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ କ୍ରିମି୍ନାଲ ଜଷ୍ଟିସ ସିଷ୍ଟମ ICJS । ଯେଉଁଥିରେ ଜେଲ ବିଭାଗର ସମସ୍ତ ତଥ୍ୟ, ପୋଲିସର ସମସ୍ତ ତଥ୍ୟ ସହ ଫରେସିକ ଲାବ ଓ କୋର୍ଟ ମିଳିତ ଭାବେ ସମସ୍ତଙ୍କ ତଥ୍ୟ ଅନଲାଇନରେ ରେକର୍ଡ ହୋଇ ରହିବ । ଅଦ୍ୟାବଧି ରାଜ୍ୟରେ ପାଖାପାଖି ୧୫ ଲକ୍ଷରୁ ଅଧିକ ମାମଲା ପୋଲିସ ରୁଜୁ କରିସାରିଥିବା ବେଳେ ଏହି ପ୍ରୋଜେକ୍ଟ ମାଧ୍ୟମରେ ୧ ଲକ୍ଷରୁ ଅଧିକ ମାମଲାର ଅନଲାଇନ ବ୍ୟବସ୍ଥା କରାଯାଇସାରିଲାଣି। ସେହିପରି ପାଖାପାଖି ୧୦ ଲକ୍ଷରୁ ଉର୍ଦ୍ଧ ଅଭିଯୁକ୍ତଙ୍କ ଡାଟା ଖୁବଶୀଘ୍ର ଏହି ପ୍ରକଳ୍ପ ମାଧ୍ୟମରେ ସିଷ୍ଟମେଟିକ କରାଯିବାର ଲକ୍ଷ୍ୟ ରଖା ଯାଇଛି । ଯେଉଁଥି ପାଇଁ ଆରମ୍ଭ ହୋଇଛି ଇ ପ୍ରିଜନ ସିଷ୍ଟମ ।
୨୦୧୫ରେ ସାରା ରାଜ୍ୟରେ ୩୨ ହଜାର ୯୩୭ଟି ମାମଲା ବିଭିନ୍ନ ଥାନାରେ ପଡି ରହିଥିଲା। ୮୩ ହାଜାର ୩୬୦ ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ୧ ଲକ୍ଷ ୧୬ ହାଜାର ୨୬୨ ଟି ମାମଲାର ହୋଇଥିଲା ତଦନ୍ତ। ସମସ୍ତ ରିପୋର୍ଟ ପ୍ରସ୍ତୁତ କରି ପୋଲିସ ଚାର୍ଜସିଟ ଫାଇଳ କରିଥିଲା । ପାଖାପାଖି ୪୦ ପ୍ରତିଶତ ମାମଲାର। ତେବେ ଏହି ବର୍ଷ ୩୯ ହଜାର ୬୬ଟି ମାମଲାର ବିଚାର କରାଯାଇଥିଲା। ହେଲେ ମାତ୍ର ୩୬୯୨ ମାମଲାରେ ଅଭିଯୁକ୍ତ ଦୋଶୀ ସାବ୍ୟସ୍ତ ହୋଇଥିଲେ। ୩୫ ହଜାର ୩୭୪ ଟି ମାମଲାରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ । ଯେଉଁଠି ଦୋଷୀ ସାବ୍ୟସ୍ତ ହାର ମାତ୍ର ୯.୧ ପ୍ରତିଶତ ରହିଥିଲା । ଦୀର୍ଘ ୪ ବର୍ଷ ମଧ୍ୟରେ ଏବେ କୋର୍ଟରେ ପାଖାପାଖି ୨ ଗୁଣା ମାମଲା ପଡି ରହିଥିବା ବେଳେ କମି ଚାଲିଛି ଦୋଷୀ ସାବ୍ୟସ୍ତ ପ୍ରତିଶତ। ସାରା ଦେଶରେ ୨୦୧୮ରେ ୩ କୋଟି ୩ ଲକ୍ଷ ମାମଲା ପଡି ରହିଛି। ସେହି ଅନୁସାରେ ରାଜ୍ୟରେ ୨୦୧୮ରେ ୧୯୭୦ ମାମଲାରୁ ୧୬୩୫ ମାମଲାରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ବିନା ଦୋଷରେ ଖଲାସ ହୋଇଥିବା ବେଳେ ମାତ୍ର ୩୩୫ ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି । ଦିନକୁ ଦିନ ମାମଲା ସଂଖ୍ୟା ବଢି ଚାଲିଥିବା ବେଳେ ନିର୍ଦ୍ଦୋଷରେ ଖଲାସ ହୋଇ ଅଭିଯୁକ୍ତ ବାହାରକୁ ବାହାରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯାହାକୁ ନେଇ ଚିନ୍ତାରେ ସରକାର । ପୋଲିସ, ସରକାରୀ ଓକିଲ, ଫରେନସିକ ଲାବ ଓ ଜେଲ ମଧ୍ୟରେ ସମନ୍ୱୟ ରହୁନଥିବା ବେଳେ ପ୍ରମାଣ ଅଭାବରୁ ଅଭିଯୁକ୍ତ ଖସି ଯାଉଥିବା ଲକ୍ଷ୍ୟ କରାଯାଇଛି । ଯାହାକୁ ଦୂର କରିବା ପାଇଁ ଏବେ କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ସିଷ୍ଚମର ଏକ ଅଂଶ ବିଶେଷ ଭାବେ ଏବେ ଇଣ୍ଟିଗ୍ରେଟେଡ଼ କ୍ରିମିନାଲ ଜଷ୍ଚିସ ସିଷ୍ଟମ ICJS ଲାଗୁ କରିବା ପାଇଁ ଯାଉଛନ୍ତି ସରକାର । ଏହା ମାଧ୍ୟମରେ ଏବେ ସରକାରୀ ଓକିଲ, ପୋଲିସ ସହ ଜେଲ ଓ ଫରେନସିକ ଲାବ ମଧ୍ୟରେ ରହିବ ଉତ୍ତମ ସମନ୍ୱୟ । ଯେଉଁଥି ପାଇଁ କୌଣସି ମାମଲାର କୋର୍ଟରେ ଶୁଣାଣୀ ସମୟରେ ହେଉ କି ପୋଲିସ ମାମଲା କରିବା ସହ କୌଣସି ଅଭିଯୁକ୍ତକୁ ଗିରଫ କରିବା ସମୟରେ ତାର ପୂର୍ବାପରି ମାମଲା ସଂପର୍କରେ ଅତି ସହଜରେ ଜାଣି ପାରିବେ । ICJS ମାଧ୍ୟମରେ ଥାନାରେ ରୁଜୁ ହେଉଥିବା ମାମଲାର ସମସ୍ତ ରହସ୍ୟ, ତଦନ୍ତ ଅଗ୍ରଗତି, ଫରେନସିକ ଲାବର ରିପୋର୍ଟ ରହିବା ସହ ଜେଲ କର୍ତ୍ତୃପକ୍ଷ ମଧ୍ୟ ସମସ୍ତ କଏଦୀଙ୍କ ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବେ । ଗୋଟିଏ ପ୍ଲାଟଫର୍ମରେ ସଫ୍ଟୱେର ମାଧ୍ୟମରେ ଏହି ସମସ୍ତ ତଥ୍ୟ ସହ କୋର୍ଟରେ ସରକାରୀ ଓକିଲ ମଧ୍ୟ କୋର୍ଟର ସମସ୍ତ ତଥ୍ୟ ପ୍ରଦାନ ସହ ମାମଲାର ଶୁଣାଣୀ ସମୟରେ ଅତି ସହଜରେ ତଥ୍ୟ ଉପସ୍ଥାପନ କରିପାରିବେ ।