Trending Photos
ମୁମ୍ୱାଇ: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ବିଜେପି) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦର ଦାବି କରୁଥିବା ବେଳେ ବିଜେପି ଏଥିରେ ରାଜି ହେଉନାହିଁ । ଏହା ମଧ୍ୟରେ ଗୁରୁବାର ଶିବସେନା ବିଧାୟକ ଦଳର ବୈଠକ ହୋଇଯାଇଛି । ଏହି ବୈଠକରେ ଏକନାଥ ଶିନ୍ଦେଙ୍କୁ ବିଧାନସଭାରେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ବର୍ଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଆଦିତ୍ୟ ଠାକରେଙ୍କୁ ଏହି ପଦ ମିଳିବ ।
ବିଧାୟକ ଦଳର ନେତା ପାଇଁ ଆଦିତ୍ୟ ଠାକରେ ହିଁ ଏକନାଥ ଶିନ୍ଦେଙ୍କ ନାଁର ପ୍ରସ୍ତାବ ରଖିଥିଲେ । ଏହା ବ୍ୟତୀତ ଦଳ ସୁନୀଲ ପ୍ରଭୁଙ୍କୁ ବିଧାନସଭାରେ ମୁଖ୍ୟ ସଚେତକ ଭାବେ ନିର୍ବାଚିତ କରାଯାଇଛି । ଏହି ବୈଠକ ପରେ ଶିବସେନା ବିଧାୟକ ରାଜ୍ୟପାଳଙ୍କୁ ସାକ୍ଷାତ କରିବାକୁ ଯିବେ । ପାର୍ଟି ତରଫରୁ କୁହାଯାଇଛି ଯେ, ବିଧାୟକମାନେ ମରୁଡି ପରିସ୍ଥିତିକୁ ନେଇ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବେ ।
As an elected MLA, it was my privilege to propose the name of @mieknathshinde ji as the leader of the @ShivSena Parliamentary Party for the working the legislature. @prabhu_suneel ji has been elected as chief whip of the party for the legislature. #महाराष्ट्र pic.twitter.com/ofMln0A7ku
— Aaditya Thackeray (@AUThackeray) October 31, 2019
ରାଜ୍ୟପାଳଙ୍କ ସହ ସାକ୍ଷାତ କରିବାକୁ ଆଦିତ୍ୟ ଠାକରେ, ଏକନାଥ ଶିନ୍ଦେ, ଦିବାକର ରାଉତ, ସୁଭାଷ ଦେସାଇ ଓ ଅନ୍ୟାନ୍ୟ ନବ ନିର୍ବାଚିତ ବିଧାୟକ ସାମିଲ ଅଛନ୍ତି । ଅନ୍ୟପକ୍ଷେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ନିଜ ଦାବିରୁ ପଛଘୁଞ୍ଚା ଦେଇନାହୁଁ, ବରଂ ଆମର ବନ୍ଧୁ ବିଜେପି ନିଜ ପ୍ରତିଶ୍ରୃତିରୁ ଓହରିଯାଇଛି । ଶିବସେନା କ୍ରମାଗତ ୫୦-୫୦ ଫର୍ମୁଲାକୁ ନେଇ ବିଜେପି ଉପରେ ଦାବି ପକାଉଛି ।
ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ, ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା ।