)
ଅନୁଗୁଳ: ଜିଲ୍ଲାର ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗ୍ରାମର ଏକ କୂଅରେ ଗୋଟିଏ ମାଈ ହାତୀ ରାତି ପ୍ରାୟ ୨ଟା ବେଳେ ଗଳି ପଡିଥିବା ୮ ଘଣ୍ଟା ପରେ ତାକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛି ବନବିଭାଗ। ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ଅଧିନସ୍ଥ ବାଳିଜେରେଙ୍ଗ ଗ୍ରାମରେ କିଛି ଦିନ ହେଲା ହାତୀପଲଙ୍କ ଉପଦ୍ରବ ଲାଗି ରହିଥିଲା।
ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ଏକ ହାତୀ ଗ୍ରାମର ସୁରଥ ସାହୁଙ୍କ ବାଡ଼ିରେ ଥିବା ଖୋଲା କୂଅରେ ପଡି ଯାଇଥିଲା। ଗୁରୁବାର ସକାଳେ ଗ୍ରାମବାସୀ ଏହି ହାତୀକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି, ଅଗ୍ନିଶମ ବାହିନୀ ସହାୟତାରେ ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏକ ଜେସିବି ମେସିନ ସହାୟତାରେ ଏକ ଟ୍ରେଞ୍ଜ ଖୋଳାଯିବା ପରେ ହାତୀଟି କୂଅରୁ ବାହାରି ଜଙ୍ଗଲ ଅଭିମୁଖେ ଦୌଡି ପଳାଇଥିଲା ।