ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ !

ଫାଲକନ୍ ପ୍ଲାଣ୍ଟ ପରି ରାଜ୍ୟରେ ଅନେକ ପ୍ଲାଣ୍ଟରେ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି ଶ୍ରମିକ!

ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ !
ସୌଜନ୍ୟ: ସୋସିଆଲ ମିଡିଆ

ସୌମ୍ୟ ରଞ୍ଜନ ନାୟକ, ଭୁବନେଶ୍ୱର: ରାଜ୍ୟର ବଡ଼ ଚିଙ୍ଗୁଡ଼ି ପ୍ରୋସେସିଂ ୟୁନିଟ୍ ପ୍ଲାଣ୍ଟ ଫାଲକନରେ ଗ୍ୟାସ୍ ଲିକ୍ ଘଟଣା ପରେ ୧୦୦ରୁ ଅଧିକ ଅସୁସ୍ଥ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଏଭଳି ଅନେକ ପ୍ଲାଣ୍ଟ ରହିଛି ଯେଉଁଠି ଏଭଳି ଅବ୍ୟବସ୍ଥା ରହିଛି ଓ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ଅଛି । ଏଭଳି ଅଭିଯୋଗ ପରେ ବିବାଦ ଘେରକୁ ଆସିଛନ୍ତି ବାଲେଶ୍ଵର ଜିଲ୍ଲାର ଡିଭିଜନାଲ୍ ଶ୍ରମ ବିଭାଗ ଅଧିକାରୀ ।

ପ୍ଲାଣ୍ଟ ସଫା କରାଯିବା ବେଳେ ଆବଶ୍ୟକତା ଠାରୁ ଅଧିକ ବ୍ଲିଚିଂ ପାଉଡର ପକାଇବା ଯୋଗୁଁ ଏହା ଏସି ସଂଯୋଗରେ ଆସି ଏଭଳି ଘଟିଥିବା ଡିଏଲସି ନିଜ ରିପୋର୍ଟରେ ଦର୍ଶାଯାଇଛନ୍ତି । ଏହି ଗ୍ୟାସ୍ ଲିକ୍ ନେଇ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେଇ ନ ଥିଲେ । କିନ୍ତୁ ଏବେ ତରବରିଆ ରିପୋର୍ଟ ଦେଇ ନିଜ ମୁଣ୍ଡରୁ ଅଠା ପୋଛି ବାକୁ ଉଦ୍ୟମ କରୁନାହାଁନ୍ତି ତ ବିଭାଗୀୟ ଅଧିକାରୀ ? ଏପରିକି ଫାଲକନ ଚିଙ୍ଗୁଡି ପ୍ଲାଣ୍ଟ ଓ ଶ୍ରମବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ଥିବା କଥା ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେଣୁ କିଛି ତଳତଳିଆ କର୍ମଚାରୀଙ୍କୁ ଗିରଫ କରି ନିରବରେ ବସିଛି ପ୍ରଶାସନ । କିନ୍ତୁ ତାରା ପଟ୍ଟନାୟକ ଯିଏ ପ୍ଲାଣ୍ଟର ମାଲିକ ତାଙ୍କୁ ପୋଲିସ ବାନ୍ଧିବାକୁ ସାହାସ କରୁନି ।  ପ୍ରଶ୍ନ ଉଠୁଛି କାହା ଚାପରେ ପୋଲିସ ତାରାଙ୍କୁ ଗିରଫ କରୁନାହିଁ ?

ସେତିକିରେ ସରିଲାନି, ଫାଲକନ୍ ପ୍ଲାଣ୍ଟ ଗ୍ୟାସ୍ ଲିକ୍ ଘଟଣା ପରେ ଚିକିତ୍ସାଳୟରେ ଚିକିତ୍ସା ବେଳେ କିଛି ଶିଶୁ ଶ୍ରମିକ ଅସୁସ୍ଥ ହୋଇ ଚିକିତ୍ସା ହେଉଥିବା ଜଣାପଡ଼ିଲା । ଅର୍ଥ ଫାଲକନ୍ ପ୍ଲାଣ୍ଟରେ କାମକରୁ ଥିଲେ ଛୋଟ ଛୋଟ ପିଲା ।ଏହାର ପ୍ରମାଣିତ ହେବା ପରେ ଜିଲ୍ଲାପାଳ କହୁଛନ୍ତି ତଦନ୍ତ କରାଯିବ । କିନ୍ତୁ ବର୍ଷ ବର୍ଷ ଧରି କିପରି ପ୍ଲାଣ୍ଟରେ କାମ କରୁଥିଲେ ଶିଶୁ ଶ୍ରମିକ ? ସବୁ ଜାଣି କାହା ଚାପରେ ନୀରବ ଥିଲା ଜିଲ୍ଲା ପ୍ରଶାସନ ? ତେଣୁ ଏବେ ସାରା ରାଜ୍ୟରେ ଏମିତି ଚର୍ଚ୍ଚା ହେଉଛି ଯେ ତାରାଙ୍କ ପଛରେ କ୍ଷମତାଶାଳୀ ରାଜନେତାଙ୍କ ହାତ ଥିବାରୁ କେହି ତାଙ୍କୁ ହାତ ମାରି ପାରୁ ନାହାନ୍ତି । ତେବେ ଏହା ଦୁର୍ଭାଗ୍ୟଜନକ ନୁହେଁ କି ?

ଏ ତ ଗଲା ଗୋଟିଏ ପ୍ଲାଣ୍ଟର କଥା । ଏଭଳି ଅନେକ ପ୍ଲାଣ୍ଟ ଏଯାଏଁ ରହିଛି ଯାହାର ସଠିକ ଯାଞ୍ଚ ହେଉ ନାହିଁ ଏବଂ ଅନେକ ଶ୍ରମିକ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି ।