ଧର୍ମଗଡ଼: କଳାହାଣ୍ଡିର ଧର୍ମଗଡ ଉପଖଣ୍ଡର ଚାଷୀ ଧାର କରଜ କରି ଖରିଫ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାର ଆଶା କରିଥିଲେ । ହେଲେ ସରକାରଙ୍କ ମଣ୍ଡି ଖୋଲା ନୀତି ଯୋଗୁଁ ଏବେ ଚାଷୀ ଚିନ୍ତାରେ ପଡିଛନ୍ତି । ଫଳରେ ବାଧ୍ୟ ହୋଇ କମ ଦରରେ କୁଇଣ୍ଟାଲ ପ୍ରତି ୧ ହଜାରରୁ ୧୨ଶହ ଟଙ୍କାରେ ଦଲାଲ ହାତରେ ଦେଉଥିବା କହିଛନ୍ତି ଚାଷୀ । ବାକି ବର୍ଷଙ୍କରେ ଏ ସମୟରେ ମଣ୍ଡି ଖୋଲି ଧାନ କିଣା ଆରମ୍ଭ ହୋଇଥିବା ବେଳେ ଏ ବର୍ଷ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଥିବା ଅଭିଯୋଗ ହୋଇଛି ।
ସରକାର ଠିକ ସମୟରେ ମଣ୍ଡି ଖୋଲୁ ନଥିବା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି । ଏବେ ଉପଖଣ୍ଡରେ ଚାଷ ହୋଇଥିବା ସମସ୍ତ ଧାନ ଦଲାଲ ହାତରେ ବିକ୍ରି ହୋଇଥିବା ଅଭିଯୋଗ କରି ସରକାରଙ୍କ ମଣ୍ଡି ଖୋଲା ନୀତି ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି ବୁଦ୍ଧିଜୀବି ।
ତେବେ ସରକାରଙ୍କ ମଣ୍ଡି ଖୋଲା ନୀତି ଫେଲ ମାରିଛି ବୋଲି କହିଛନ୍ତି ବିରୋଧି । ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଏବେ ଦେଖିବାକୁ ରହି ଗଲା କେବେ ସରକାର ମଣ୍ଡି ଖୋଲିବେ ଓ ଚାଷୀ ଉପଯୁକ୍ତ ଦରରେ ଧାନ ବିକି ପାରିବେ ।