close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଧରମ ବାପା ପରିଚୟ ଦେଇ ଲୁଟୁଥିଲା ଇଜ୍ଜତ, ଜାଣନ୍ତୁ ଅଭିଶପ୍ତ ଉର୍ବଶୀ କାହାଣୀ

ହଜିଛି ମାନବିକତା। ପଶୁ ପାଲଟିଛି ମଣିଷ। ନାରୀ ଏବେ ଖାଲି ଏକ ପଣ୍ୟ ତା' ଉପରେ ମାଂସଲୋଭୀ ଶାଗୁଣାର ନଜର। ନିଜ ନାତୁଣୀ ବୟସର ଜଣେ ଯୁବତୀଙ୍କ ଅସହାୟତା ଓ ମାନସିକ ଦୁଃସ୍ଥିତିରୁ ଫାଇଦା ଉଠାଇଥିଲା ଜଣେ ବୃଦ୍ଧ ଭଣ୍ଡବାବା।  ସ୍ଥାନୀୟ ଅଞ୍ଚଳରେ ନିଜକୁ ଜଣେ ବାବାର ପରିଚୟ ଦେଇ ଆଉ ତାକୁ ନିଜ ନିଛାଟିଆ କୁଡ଼ିଆରେ ରଖି  ଜବରଦସ୍ତି ଅସାମାଜିକ କାମରେ ଲିପ୍ତ କରାଇ ରୋଜଗାର କରୁଥିଲା ଟଙ୍କା।

ଧରମ ବାପା ପରିଚୟ ଦେଇ ଲୁଟୁଥିଲା ଇଜ୍ଜତ, ଜାଣନ୍ତୁ ଅଭିଶପ୍ତ ଉର୍ବଶୀ କାହାଣୀ

ରଘୁନାଥ ସାହୁ, ଅନୁଗୁଳ: ମଣିଷର ପ୍ରକୃତି ଧୀରେ ଧୀରେ ପଶୁତୁଲ୍ୟ ହେବାକୁ ବସିଲାଣି। ବିପଦରେ ପଡ଼ିଥିବା ଜଣେ ଅସହାୟର ସହାୟତା କରିବା ଆଳରେ ଅନେକ ସମୟରେ ସାହାଯ୍ୟକାରୀ ତା'ର ଫାଇଦା ଉଠାଉଥିବାର ନଜର ରହିଛି। ଇଏ କି ପ୍ରକାର ମାନସିକତା? ଜଣକର ଅସହାୟତାର ସୁଯୋଗ ନେଇ ତାକୁ ଶୋଷଣ କରିବା ଏକ ପଶୁ ପ୍ରବୃତ୍ତି ନୁହେଁ ତ ଆଉ କ'ଣ? ଏଭଳି ଅନେକ ଘଟଣା ସାମ୍ପ୍ରତିକ ଦୁନିଆରେ ଘଟୁଛି, ଯାହା ଆଜିର ଦୁନିଆରେ ମନୁଷ୍ୟର ସମ୍ବେଦନା ହରାଇ ବସିଲାଣି।  

ଅନୁଗୁଳ ଜିଲ୍ଲାରେ  ଠିକ୍ ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିବା ସହ ଜିଲ୍ଲାବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିଜ ନାତୁଣୀ ବୟସର ଜଣେ ଯୁବତୀଙ୍କ ଅସହାୟତା ଓ ମାନସିକ ଦୁଃସ୍ଥିତିରୁ ଫାଇଦା ଉଠାଇଥିଲା ଜଣେ ବୃଦ୍ଧ ଭଣ୍ଡବାବା।  ସ୍ଥାନୀୟ ଅଞ୍ଚଳରେ ନିଜକୁ ଜଣେ ବାବାର ପରିଚୟ ଦେଇ ଆଉ ତାକୁ ନିଜ ନିଛାଟିଆ କୁଡ଼ିଆରେ ରଖି  ଜବରଦସ୍ତି ଅସାମାଜିକ କାମରେ ଲିପ୍ତ କରାଇ ରୋଜଗାର କରୁଥିଲା ଟଙ୍କା। ଶେଷରେ ସାମାଜିକ କର୍ମୀଙ୍କ ନଜରକୁ ଆସିବା ପରେ ବାବା ଏବେ ବନ୍ଧା ହୋଇ ଜେଲରେ। 

ଆଜ୍ଞା ହଁ, ଭଣ୍ଡାବାବାର ନାମଟି ସିନା ଥିଲା ବୃନ୍ଦାବନ ହେଲେ  ବୃନ୍ଦାବନ କରୁଥିଲା ବ୍ୟଭିଚାର। ବୃନ୍ଦାବନ ପିଲାବେଳୁ ନିଜ ଘର ଛାଡ଼ି ଥିଲା। ନିଜ ଘରୁ ପଳାଇ ଆସି ଦୀର୍ଘ  ୨୦ବର୍ଷ ଧରି ରହୁଥିଲା ଅନୁଗୁଳ ମଝିକା ଟ୍ରେନ ଲାଇନ ନିକଟରେ। ଶୂନଶାନ ଇଲାକା। ନିଛାଟିଆ ଅଞ୍ଚଳ। କେବଳ କାଉ କୋଇଲି ମାନଙ୍କ ରାଵ। କାଁ ଭାଁ ଗୋରୁ ଚରାଉ ଥିବା ଗାଈଆଳ ମାନେ ସେ ବାଟଦେଇ ଯିବାଆସିବା କରନ୍ତି। ସେଇଠି ଥିଲା ଛୋଟ ଏକ ଝୁମ୍ପୁଡି କୁଡ଼ିଆ। ଆଉ ବାବା ବୃନ୍ଦାବନ ରହୁଥିଲେ ଏହି ଝୁମ୍ପୁଡି କୁଡ଼ିଆରେ। ଅଞ୍ଚଳରେ ପରିଚୟ ଥିଲା ବାବା ବୃନ୍ଦାବନ। ଜାଣିଥିବା ଲୋକ ତାଙ୍କୁ ଡାକନ୍ତି ବାବା ବୃନ୍ଦାବନ। 

ବାବା ବୃନ୍ଦାବନ ମଝିକା ଶିବ ମନ୍ଦିର ଓ ଆଖପାଖ ଗାଁରେ ବୁଲି ବୁଲି ମାଗନ୍ତି ଭିକ। ବାବା ଗାଁ ଗଣ୍ଡାରେ କରନ୍ତି ଭିକ୍ଷାବୃତ୍ତି।  ଝୁମ୍ପୁଡି କୁଡ଼ିଆରେ କରନ୍ତି ମଙ୍ଗଳାଙ୍କ ସ୍ତୁତି। ଏକ ଖଣ୍ଡାକୁ ପୂଜା କରିବା ସହ କରନ୍ତି ଯନ୍ତ୍ର ,ମନ୍ତ୍ର ଓ ତନ୍ତ୍ର ପୂଜା। ନିଜେ ମଧ୍ୟ ଏଭଳି କାମ କରନ୍ତି ବୋଲି ସ୍ୱୀକାର କରିଛନ୍ତି ବାବା। ବାବା ବୃନ୍ଦାବନ କୁଆଡ଼େ ମହନୀ ଔଷଧର ଜଣେ ବଡ଼ ବିତରକ। କିଛି ଯୁବକଙ୍କୁ ଦେଇଛନ୍ତି ମହନୀ ଔଷଧ। ଯୁବକମାନେ ନିଜ ଇପସିତ ଯୁବତୀଙ୍କୁ ପ୍ରେମଫାସରେ ପକାଇବାକୁ ବ୍ୟବହାର କରନ୍ତି ଏହି ମହନୀ ଔଷଧ।  

ଗତ ଛଅ ବର୍ଷ ତଳେ  ଝୁମ୍ପୁଡି କୁଡ଼ିଆରୁ ବାହାରି ବାବା ବୃନ୍ଦାବନ ବାହାରିଲେ ଭିକ୍ଷାବୃତ୍ତି କରିବାକୁ। ରାସ୍ତାର ଏକ ପୋଲ ନିକଟରେ ହଠାତ ଦେଖାହୁଏ ଜଣେ ଯୁବତୀଙ୍କ ସହ।  ଯୁବତୀଙ୍କ  ନାମ ଦେଉଛୁ ଉର୍ବଶୀ। ଉର୍ବଶୀଙ୍କୁ ପାଖରେ ପାଇ ବୃନ୍ଦାବନ ବାବା ଭାଵବିହ୍ୱଳ ହୋଇଗଲେ। ବାବା ବୃନ୍ଦାବନଙ୍କ କେଇପଦ କଥା  ଉର୍ବଶୀଙ୍କ ମନକୁ ବି ଛୁଇଁଲା। ଏହାପରେ  ଉର୍ବଶୀଙ୍କ ହାତ ଧରି ବୃନ୍ଦାବନ ନେଇଗଲେ ତାଙ୍କର ସେହି ଝୁମ୍ପୁଡି କୁଡ଼ିଆକୁ।   

 ଯୁବତୀଙ୍କ ସହ କିଛି ଦିନ ବିତାଇବା ପରେ ଗାଆଁର ଗାଈଆଳ ମାନେ ବାବା ବୃନ୍ଦାବନଙ୍କୁ ପଚାରିଥିଲେ ଏ ଯେଉଁ ଝିଅ ତୁମ ପାଖରେ ଅଛି ସେ କିଏ ? ବୃନ୍ଦାବନଙ୍କ ଉତ୍ତର ଥିଲା, ରାସ୍ତାରେ ବୁଲୁଥିଲା ତାକୁ ଝିଅ କରି ରଖିଛି।  ଖାଉଛି , ଶୋଉଛି, ରହୁଛି।  ସେମାନଙ୍କ ଆଗରେ ନିଜକୁ ଉର୍ବଶୀଙ୍କ ବାପର ପରିଚୟ ଦେଇଥିଲେ ବାବା ବୃନ୍ଦାବନ। ଦୀର୍ଘ ଦିନ ଧରି ଉର୍ବଶୀ ରହୁଥିଲା ଏହି ଝୁମ୍ପୁଡି କୁଡ଼ିଆରେ। ବାପାର ପରିଚୟ ଦେଇ ବୃନ୍ଦାବନ, ଉର୍ବଶୀ ସହ ଯାହା କାର୍ଯ୍ୟକଳାପ କରୁଥିଲା ଜାଣିଲେ ଆପଣଙ୍କ ପାଦ ତଳେ ମାଟି ରହିବନି। ନାରୀ ମାଂସଲୋଭୀ ବୃନ୍ଦାବନ ପ୍ରତ୍ୟେକ ଦିନ  ଉର୍ବଶୀକୁ କରୁଥିଲା ବଳାତ୍କାର। ବୃନ୍ଦାବନ ଔରସରୁ ଦୁଇଟି ଝିଅ ମଧ୍ୟ ଥିଲେ ଉର୍ବଶୀର। ବଡ଼ ଝିଅକୁ କେଉଁ ଆଡ଼େ ଦେଇଛି ତାହାର ଠା' ଠିକଣା ନାହିଁ।  ଆଉ ଦ୍ୱିତୀୟ ସନ୍ତାନଟି ୫ ମାସର ହୋଇଥିବା ବେଳେ ତା'ର ମଧ୍ୟ ମୃତ୍ୟୁ ହୋଇଥିଲା। ସେ ଶିଶୁର ମୃତ୍ୟୁପରେ ସେହି ଅଞ୍ଚଳରେ ତା'କୁ ମାଟି ତଳେ ପୋତି ଦେଇଥିଲା। ଆଉ ସେ ଶିଶୁର ମୃତ୍ୟୁ ମଧ୍ୟ ଏବେ ସନ୍ଦେହ ଘେରରେ।  ସେ ୫ମାସର ଶିଶୁକୁ ହତ୍ୟା କରାଯାଇଥିଲା  ନା ତା'ର ସ୍ଵାଭାବିକ ମୃତ୍ୟୁ ହୋଇଥିଲା ? ଯୁବତୀକୁ ଅସହାୟ ଅବସ୍ଥାରେ ଉଦ୍ଧାର କରିଥିଲେ ସାମାଜିକ କର୍ମୀମାନେ। ଉର୍ବଶୀ ପାଖରେ ପଡ଼ିଥାଏ ବିଭିନ୍ନ ଆପତ୍ତିଜନକ ଜିନିଷ।  ଗର୍ଭ ନିରୋଧକ.।  ତା' ସାଙ୍ଗକୁ ଏକ ନିଶା ଇଞ୍ଜେକ୍ସନ। ଝୁମ୍ପୁଡି କୁଡ଼ିଆରୁ ବାହାରି ଆସି ସାମାଜିକ କର୍ମୀ ମାନେ ଯୋଗାଯୋଗ କରିଥିଲେ ଅନୁଗୁଳ ଆଦର୍ଶ ଥାନା କୁ।

ଏ ସଂକ୍ରାନ୍ତରେ ଖବର ପାଇ ପୋଲିସ ମଧ୍ୟ ତୁରନ୍ତ ପହଞ୍ଚିଥିଲା ଘଟଣାସ୍ଥଳରେ ଥିବା ଝୁମ୍ପୁଡ଼ି କୁଡ଼ିଆରେ। ଆଉ ସେଠାରେ ପହଞ୍ଚି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ ପୂରା ପୋଲିସ ଟିମ୍। ଉର୍ବଶୀ ଥିଲା ମାନସିକ ବିକାରଗ୍ରସ୍ତ।  ନିୟମିତ ନିଶା ଇଞ୍ଜେକ୍ସନ ଦିଆ ଯାଉଥିବାରୁ ତା'ର ପାଟି ମଧ୍ୟ ଖୋଲି ପାରୁ ନ ଥିଲା। କେବଳ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ  ଚାହୁଁଥିଲା।  ତୁରନ୍ତ ସେଠାରୁ ତା'କୁ ଉଦ୍ଧାର କରିବା ସହ ବାବା ବୃନ୍ଦାବନକୁ ଥାନାକୁ ଆଣିଥିଲା ପୋଲିସ। ଉର୍ବଶୀର ଭାଇ ଲିଖିତ ଅଭିଯୋଗ କରିବାପରେ ଆତ୍ମଘୋଷିତ ଭଣ୍ଡବାବା ବୃନ୍ଦାବନକୁ ପଚରା ଉଚୁରା ଆରମ୍ଭ କରିଥିଲା ପୋଲିସ। 

 ମାନସିକ ବିକାରଗ୍ରସ୍ତ ଜଣେ ଯୁବତୀ ସହ ବଳାତ୍କାର କରିବା ଅଭିଯୋଗରେ ଭାରତୀୟ ପିଙ୍ଗଳ କୋଡର ଧାରା 376(2)(L)(N)  ବଳରେ ବାବା ବୃନ୍ଦାବନ ଦାସକୁ କୋର୍ଟ ଚାଲାଣ କଲା ଅନୁଗୁଳ ଜିଲ୍ଲା ପୋଲିସ।  ଆଉ ଯେଉଁପରି ଅନୁମାନ କରାଯାଉଥିଲା ତାହା ହିଁ ଘଟିଲା।  ଅର୍ଥାତ୍ ଭଣ୍ଡବାବାର ଜାମିନ ହେଲା ନାମଞ୍ଜୁର। ଫଳରେ ଅନୁଗୁଳ ଜେଲର ଚାରିକାନ୍ଥ ଘେରା କାଳ କୋଠରୀ  ଭିତରେ ବିଚାରାଧୀନ ବନ୍ଦୀ ଭାବରେ ଜୀବନ କାଟୁଛି ବାବା ବୃନ୍ଦାବନ।