ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ୪ଟି ଟ୍ରକ ଜାଳିଦେଇଛନ୍ତି ମାଓବାଦୀ |
Trending Photos
ମୁମ୍ବାଇ: ବେଆଇନ ଘୋଷିତ ସିପିଆଇ(ଏମ) ମାଓବାଦୀ ସଙ୍ଗଠନ ପକ୍ଷରୁ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ବୁଧବାର ୪ଟି ଟ୍ରକ ଜାଳି ଦେବା ସହ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ | ଏହା ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି | ରାଜ୍ୟର ପୂର୍ବ ଭାଗରେ ଅବସ୍ଥିତ ଏହି ଅଞ୍ଚଳରେ ମାଓବାଦୀ ଉପସ୍ଥିତି ଜାହିର କରିଛନ୍ତି |
କସାନସୁର ଦଳମ ସଙ୍ଗଠନର ପ୍ରାୟ ୨୦ ମାଓବାଦୀ ଝାରବନ୍ଦୀ ଠାରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି | ସୁରକ୍ଷା ବଳ ସହ ହୋଇଥିବା ଏନକାଉଣ୍ଟରରେ ଗଡଚିରୋଲି ଡିଭିଜନାଲ କମିଟିର ୪୮ ବର୍ଷୀୟ ସୁରଜନକ୍କା ପ୍ରାଣ ହରାଇବା ପରେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି ମାଓବାଦୀ | ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି |
୧୯୮୮ ମସିହାରୁ ନକ୍ସଲ ଆନ୍ଦୋଳନରେ ସାମିଲ ହୋଇଥିଲା ସୁରଜନକ୍କା | ଯିଏକି ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟିର ସଦସ୍ୟ ଦେବଜୀଙ୍କ ପତ୍ନୀ | ସେ ୧୪୪ଟି ଅପରାଧ ସମେତ ପୋଲିସ ଏବଂ ସାଧାରଣ ଲୋକଙ୍କୁ ହତ୍ୟା କରିବା ଭଳି ଅପରାଧରେ ଜଡିତ ରହିଛି |
ଏନକାଉଣ୍ଟରରେ ସୁରଜନକ୍କାର ମୃତ୍ୟୁ ଘଟିବା ପରେ ମାଓ ଅଧ୍ୟୁଷିତ ଗଡଚିରୋଲି ଜିଲ୍ଲାରେ ସକ୍ରିୟ ମାଓବାଦୀ ସଙ୍ଗଠନକୁ ଜୋରଦାର ଝଟକା ଲାଗିଛି | ଏହା ଚଳିତ ବର୍ଷ ଦ୍ୱିତୀୟ ନକ୍ସଲ ନେତାର ମୃତ୍ୟୁ ଘଟିଛି | ଡିଭିଜନାଲ କମିଟି(ଡିଭିସି) କ୍ୟାଡରର ତୃତୀୟ ସଦସ୍ୟ ଥିଲା ସେ | ପୂର୍ବରୁ ଡିଭିସି ସଦସ୍ୟ ବିଳାସ କୋଲ୍ହା ଆତ୍ମ ସମର୍ପଣ କରିଥିବା ବେଳେ, ଦିନକ ଗୋତା ପୋଲିସ ହାତରେ ଧରା ପଡିଥିଲା |