କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ
Advertisement

କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ଯବାନମାନେ ମାଓ କ୍ୟାମ୍ପ୍‌ ଦଖଲ କରିବା ପରେ ବହୁ ବିସ୍ଫୋରକ ସାମଗ୍ରି ଏବଂ ମାଓବାଦୀଙ୍କ ବ୍ୟବହୃତ ଜିନିଷ ମିଳିଛି । 

ପ୍ରତୀକାତ୍ମକ ଫଟୋ

ପ୍ରିୟବ୍ରତ ସାହୁ, କନ୍ଧମାଳ: ଜିଲ୍ଲାରେ କେକେବିଏନ୍‌ ଓ ବିଜିଏନ୍‌ ମାଓବାଦୀ ସଙ୍ଗଠନ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି । ତୁମୁଡ଼ିବନ୍ଧ, ବାଲିଗୁଡ଼ା, ଫିରିଙ୍ଗିଆ, ଗୋଛାପଡ଼ା, ବେଲଘର, କ।ନୂଆଗାଁ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ରହିଛି । ଶୁକ୍ରବାର ରାତିରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । 

ମାଓବାଦୀମାନେ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା ଚଳାଇଥିବା କୌଣସି ସୁତ୍ରରୁ ଖବର ପାଇ ପୁଲିସ କମ୍ବିଂ ଅପରେସନ୍ ଜୋରଦାର କରିଛି । ଫିରିଙ୍ଗିଆ ବ୍ଳକ ସୁମେରବନ୍ଧ ପଞ୍ଚାୟତ ବନ୍ଧଦାନି ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ପରେ ମାଓବାଦୀ କ୍ୟାମ୍ପ୍‌ ଛାଡ଼ି ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି । ତେବେ ଯବାନମାନେ ମାଓ କ୍ୟାମ୍ପ୍‌ ଦଖଲ କରିବା ପରେ ବହୁ ବିସ୍ଫୋରକ ସାମଗ୍ରି ଏବଂ ମାଓବାଦୀଙ୍କ ବ୍ୟବହୃତ ଜିନିଷ ମିଳିଛି । 

ବନ୍ଧଦାନି ଜଙ୍ଗଲରେ ୨୦ରୁ ୨୫ ଜଣ ମାଓବାଦୀଙ୍କ ଏକ କ୍ୟାମ୍ପ୍‌ ଚାଲିଥିବା ବିଶେଷ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ଆଉ ସେହି ଆଧାରରେ ଯବାନମାନେ ସମ୍ପୃକ୍ତ ସ୍ଥାନକୁ ଅଗ୍ରସର ହେଉଥିବା ବେଳେ ମାଓବାଦୀଙ୍କ ପକ୍ଷରୁ ଗୁଳିମାଡ଼ ହୋଇଥିଲା । ଯବାନଙ୍କ ପକ୍ଷରୁ ପାଲଟା ଗୁଳିମାଡ଼ କରା ଯାଇଥିଲା । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ଜୀବନ ଭୟରେ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ମାଓବାଦୀଙ୍କ ଏହି କ୍ୟାମ୍ପରେ ୧୦ରୁ ୧୨ ଜଣ କ୍ୟାଡର ପାହ୍ୟାର ମାଓବାଦୀ ଥିବା କୁହାଯାଉଛି । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ୍‌କୁ ଜୋର୍‌ଦାର୍‌ କରାଯାଇଛି । 

ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ମାଓବାଦୀ କ।ନୂଆଗାଁ ଥାନା ବୁଡ୍ରୁମାହା ଗାଁରେ ଘରୁ ଡାକି ନେଇ ଜଣଙ୍କୁ ହତ୍ୟା କରିଥିଲେ । ବିଭିନ୍ନ ସମୟରେ ଗଛକାଟି ରାସ୍ତା ଅବରୋଧ କରିବା ଓ ମାଓ ପୋଷ୍ଟର ମାରି ସେମାନଙ୍କ ସ୍ଥିତି ଜାହିର ମଧ୍ୟ କରିଆସୁଛନ୍ତି ମାଓବାଦୀ । ଆଉ ଏବେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟଣା ବନ୍ଧଦାନି ଜଙ୍ଗଲରେ ମାଓ ସକ୍ରିୟ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । 

ଆହୁରି ପଢ଼ନ୍ତୁ; ଯାହାର ସନ୍ଦେହ ଅଛି କାଶ୍ମୀର ଯାଅ, ଆମର ନାହିଁ: ଋଷ