୬ରେ ପ୍ରଥମ ଟି-ଟ୍ୱେଣ୍ଟି, କୋହଲିଙ୍କ କମବ୍ୟାକ୍, ଶିଖର ଆଉଟ-ସାମସନ ଇନ୍

ବାଂଲାଦେଶ ପରେ ଏବେ ୱେଷ୍ଟଇଣ୍ଡିଜର ପାଳି ।  ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ । ୬  ତାରିଖ ରାତି ୭ଟାରେ ହାଇଦ୍ରାବାଦରେ ଖେଳାଯିବ ପ୍ରଥମ ମ୍ୟାଚ୍ ।

୬ରେ ପ୍ରଥମ ଟି-ଟ୍ୱେଣ୍ଟି, କୋହଲିଙ୍କ କମବ୍ୟାକ୍, ଶିଖର ଆଉଟ-ସାମସନ ଇନ୍
ସୌଜନ୍ୟ: ସୋସିଆଲ ମିଡିଆ

ଦେବେଶ ନାହକ, ଭୁବନେଶ୍ୱର: ବାଂଲାଦେଶ ବିପକ୍ଷରେ ୨-୧ ରେ ଟି-ଟ୍ୱେଣ୍ଟି ସିରିଜ୍ ବିଜୟ ପରେ ଏବେ ୱେଷ୍ଟଇଣ୍ଡିଜକୁ ହରାଇବା ପାଇଁ ଭାରତର ଜୋରଦାର ଅଭ୍ୟାସ । ବିଜୟରୁ ଅଭିଯାନ ଆରମ୍ଭ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ଦଳକୁ ରେଗୁଲାର କ୍ୟାପ୍ଟେନ କୋହଲି କମବ୍ୟାକ୍ କରିଛନ୍ତି । କିନ୍ତୁ ବାଦ୍ ପଡ଼ିଛନ୍ତି ଓପନର ଶିଖର ଧାୱନ । ତାଙ୍କ ସ୍ଥାନରେ ଟିମରେ ସାମିଲ୍ ହୋଇଛନ୍ତି ସଞ୍ଜୁ ସାମସନ ।  ସେହିପରି, କୁଳଦୀପ ଯାଦବ, ସାମି, ଭୁବନେଶ୍ୱର କୁମାର, ଜାଡେଜା ଦଳକୁ ଫେରିଛନ୍ତି । ରୋହିତ, ଆୟାର, ରାହୁଲ, ମନୀଷ ପାଣ୍ଡେ, ୱାଶିଂଟନ ସୁନ୍ଦର ଓ ଶିବମ ଡୁବେ  ମଧ୍ୟ ୧୫ ଜଣିଆ ସ୍କ୍ୱାଡରେ ଅଛନ୍ତି । ଘରୋଇ ପରିବେଶରେ ଚମତ୍କାର ପ୍ରଦର୍ଶନ କରିବା ପାଇଁ ଦଳ ବେଶ୍ ଆଶାବାଦୀ ।

ସେପଟେ, ଟି-ଟ୍ୱେଣ୍ଟିରେ ସର୍ବଦା ଉନ୍ନତ ପ୍ରଦର୍ଶନ କରିଆସିଛି ୱେଷ୍ଟଇଣ୍ଡିଜ୍ । ଖାସକରି ଭାରତରେ ଦଳର ପରଫରମାନ୍ସ ବେଶ୍ ପ୍ରଶଂସନୀୟ ରହିଛି । ଅଧିକାଂଶ ଖେଳାଳି IPL ଖେଳୁଥିବାରୁ ଫାଇଦାରେ ରହିପାରେ ୱେଷ୍ଟଇଣ୍ଡିଜ । ସର୍ଟ ଫର୍ମାଟରେ ଭାରତକୁ ହରାଇବା ପାଇଁ ପ୍ରୟାସ କରିବ ଟିମ୍ । ଏବେ ପାୱାର ହିଟର ପୋଲାର୍ଡ ଦଳର କ୍ୟାପ୍ଟେନ୍ । ତେଣୁ ଦଳ ବେଶ୍ ଫାଇଦା ନେଇପାରେ । ଲୁଇସ୍, ସିମନ୍ସ, ହେଟମାର, ହୋଲ୍ଡରଙ୍କ ପରି ଖେଳାଳି ଟିମ୍ ଇଣ୍ଡିଆକୁ ଅଡୁଆରେ ପକାଇପାରନ୍ତି । ତେଣୁ ଟି-ଟ୍ୱେଣ୍ଟି ମୁକାବିଲା ବେଶ୍ ରୋମାଞ୍ଚକ ହେବା ଆଶା କରାଯାଉଛି ।  ଦୁଇ ଦେଶ ମଧ୍ୟରେ ୬ ତାରିଖରୁ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ସେହିପରି, ୧୫ ତାରିଖରୁ ଅନୁଷ୍ଠିତ ହେବେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ।