ବଢୁଛି ମତ୍ସ୍ୟଜୀବୀ ପରିବାରର ଦୁଃଖ, ପୂରୁନି ପେଟ ଦାଦାନ ଖଟିବାକୁ ସଜବାଜ
Advertisement

ବଢୁଛି ମତ୍ସ୍ୟଜୀବୀ ପରିବାରର ଦୁଃଖ, ପୂରୁନି ପେଟ ଦାଦାନ ଖଟିବାକୁ ସଜବାଜ

ଚିଙ୍ଗୁଡ଼ି ମାଫିଆଙ୍କ ପାର୍ଦୁଭାବରେ ଅଣନିଶ୍ୱାସୀ ଚିଲିକାର ମତ୍ସ୍ୟଜୀବୀ

ବଢୁଛି ମତ୍ସ୍ୟଜୀବୀ ପରିବାରର ଦୁଃଖ, ପୂରୁନି ପେଟ ଦାଦାନ ଖଟିବାକୁ ସଜବାଜ

ସୁଚିତ୍ରା ସେଣ୍ଡ୍, ଭୁବନେଶ୍ୱର: ଚିଲିକା କୂଳରେ ରହୁଥିବା ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ଚିଲିକା ହ୍ରଦ । ଚିଲିକାରୁ ମାଛମାରି ପରିବାର ପ୍ରତିପୋଷଣ କରୁଛନ୍ତି ମତ୍ସ୍ୟଜୀବୀ ପରିବାର । ରାତିପାହିଲେ ଡଙ୍ଗା ଧରି ବାହାରନ୍ତି ମାଛ ଧରିବାକୁ । ହେଲେ ଏବେ ପୂର୍ବ ପରି ମାଛ ଧରିବାକୁ ଯାଉଥିଲେ ମଧ୍ୟ ସେମାନଙ୍କ ପେଟ ପୂରୁନି । ଫଳରେ ଚିଲିକା ଉପରେ ନିର୍ଭର କରି ଚଳୁଥିବା ଶହ ଶହ ମତ୍ସ୍ୟଜୀବୀ ପରିବାର ଏବେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯିବାକୁ ଆରମ୍ଭ କଲେଣି । ଗୋଟିଏ ପଟେ ଚିଲିକାରେ ଚିଙ୍ଗୁଡ଼ି ମାଫିଆଙ୍କ ପାର୍ଦୁଭାବ, ଅନ୍ୟପଟେ ନଳଘାସ ଯୋଗୁ ଡ଼ଙ୍ଗା ଯାତାୟାତରେ ଅସୁବିଧା ହେଉଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁ ହଇରାଣ ହେଉଛନ୍ତି ମତ୍ସ୍ୟଜୀବୀ । ସେପଟେ କାଳୁପଡ଼ାଘାଟରେ ଥିବା ଜେଟି ଏବେ ଲିନ ହେବାକୁ ବସିଲାଣି ।

ଚିଲିକାରେ ବଢିବାରେ ଲାଗିଛି ବେଆଇନ୍ ଚିଙ୍ଗୁଡ଼ି ଘେରି । ଚିଙ୍ଗୁଡ଼ି ମାଫିଆଙ୍କ ପାର୍ଦୁଭାବରେ ଅଣନିଶ୍ୱାସୀ ଚିଲିକାର ମତ୍ସ୍ୟଜୀବୀ । ଗୋଟିଏ ପଟେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଅନ୍ୟପଟେ ନଳଘାସ ଯୋଗୁ ଚିଲିକାରେ ଦିନକୁ ଦିନ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ମତ୍ସ୍ୟଜୀବୀମାନେ ଚିଲିକାରେ ଦିନ ତମାମ ମାଛ ମାରୁଥିଲେ ମଧ୍ୟ ମଜୁରୀ ଉଠିପାରୁନାହିଁ । ବିଗତ ଦିନରେ ଦେଖିବାକୁ ମିଳୁଥିବା ଖଇଁଗା, ଡ଼ାଙ୍ଗଳା, ଖୁରାଣ୍ଟି, କୁଣ୍ଡଳ, ଭେକ୍ଟି, ସାଆଳ ଆଦି ମାଛ ଆଉ ସେଭଳି ଦେଖାଯାଉନାହାନ୍ତି । ଯାହାକୁ ନେଇ ମତ୍ସଜୀବୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

fallback

ସରକାର ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ବହୁ ଯୋଜନା କରିଛନ୍ତି । ଚିଲିକାର ଉନ୍ନତି ପାଇଁ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ସେହି ଯୋଜନା ସବୁ ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଉପକୃତ ହୋଇପାରୁନାହାନ୍ତି ମତ୍ସ୍ୟଜୀବୀ । ଗତ ତିନି ବର୍ଷ ତଳେ କାଳୁପଡ଼ାଘାଟ ଜେଟିର ଉନ୍ନତି ପାଇଁ କୋଟିଏରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଥିଲା । ହେଲେ ସିଡିଏ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ଟଙ୍କା ଅନ୍ୟ ସ୍ଥାନରେ କାର୍ଯ୍ୟ କରାଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଫଳରେ ଧୀରେ ଧୀରେ ଲୀନ ହେବାକୁ ବସିଲାଣି ଏହି ଜେଟି । ଏଠାରେ ପୂର୍ବରୁ ମାଛ ବ୍ୟବସାୟୀଙ୍କ ଭିଡ ଜମୁଥିଲା । ହେଲେ ଏଠାରେ ନା ଅଛି  ବରଫ କଳ ନା ମତ୍ସ୍ୟଜୀବୀଙ୍କ ପାଇଁ ଆଶ୍ରୟସ୍ଥଳୀ । ଫଳରେ ବାହାର ବ୍ୟବସାୟୀ ଏଠାକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି । ସେପଟେ ଚିଲିକାରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ସତ୍ସ୍ୟଜୀବୀ ପରିବାର ବାରମ୍ୱାର ଉପରିସ୍ତ ଅଧିକରୀ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ । ସେପଟେ  ଜିଲ୍ଲାପାଳ ଓ ସିଡ଼ିଏ କର୍ତୁପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହୁଛନ୍ତି ।

ଚିଲିକାରେ ନଳଘାସର ପରିମାଣ ବଢିବାରୁ ଜାଳ ଓ ଡଙ୍ଗା ଚଳାଚଳରେ ବାଧା ସୃଷ୍ଟି ହେଉଛି । ଏହି ସମସ୍ୟା ମତ୍ସ୍ୟଜୀବୀଙ୍କୁ ଯେତିକି ପଛକୁ ଟାମୁଛି  ଚିଙ୍ଗୁଡ଼ି ମାଫିଆଙ୍କ ପାର୍ଦୁଭାବ ମଧ୍ୟ ତାହା ଠାରୁ ଅଧିକ ଚିନ୍ତା ବଢାଇଛି ।   ତେଣୁ ଆଶା ଓ  ଆଶଙ୍କା ଭିତରେ ଗତି କରୁଛନ୍ତି ମତ୍ସ୍ୟଜୀବୀ । ଗୋଟିଏ ପଟେ ସିଡ଼ିଏ କର୍ତ୍ତୃପକ୍ଷ ଙ୍କ ଦାଦାଗିରି ତ ଅନ୍ୟପଟେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ , ଏବେ ଚିଲିକା ମତ୍ସ୍ୟଜୀବୀ ପେଟପୋଷିବାକୁ  ଦାଦାନ ଖଟିବାକୁ ବାହାରୁଛନ୍ତି ।