ହଜୁଛି ଚିଲିକା ଚିଙ୍ଗୁଡ଼ି, ଦାଦନ ପାଲଟିଲେଣି ମତ୍ସ୍ୟଜୀବୀ

ପ୍ରଶାସନ ନିଷ୍କ୍ରିୟତା ମତ୍ସ୍ୟଜୀବୀମାନଙ୍କ ପାଇଁ କାଳ...

ହଜୁଛି ଚିଲିକା ଚିଙ୍ଗୁଡ଼ି, ଦାଦନ ପାଲଟିଲେଣି ମତ୍ସ୍ୟଜୀବୀ

ସୂର୍ଯ୍ୟ ନାରାୟଣ ମହାନ୍ତି, ଖୋର୍ଦ୍ଧା: ଚିଲିକା ଉପକୂଳରେ ଥିବା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମବାସୀଙ୍କ କୂଳବେଉସା  ହେଉଛି ଧଉଡ଼ି ବା ଜାଲ ବୁଣିବା ଓ ମାଛ ଧରିବା । ହେଲେ ବେଆଇନ ଚିଙ୍ଗୁଡ଼ି ଘେରୀ ଯୋଗୁଁ ଏବେ ନିଜର ଜୀବନ ଜୀବିକା ଛାଡ଼ି ଅନେକ ଦାଦନମୁହାଁ ହେବାରେ ଲାଗିଛନ୍ତି । ଦିନ ତମାମ ଚିଲିକାରେ ପରିଶ୍ରମ କଲେ ମଧ୍ୟ ମଜୁରୀ ଟଙ୍କା ଉଠୁନଥିବା ଅଭିଯୋଗ କରିଛନ୍ତି । ନାଁ ସରକାରଙ୍କ ଏମାନଙ୍କ ଶୁଣୁଛି, ନାଁ ଜିଲ୍ଳା ପ୍ରଶାସନର ଆନ୍ତରିକତା ଅଛି । ଯାହାକୁ ନେଇ ମତ୍ସ୍ୟଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସାଧାରଣତଃ ମାଛ ଧରିବା ପାଇଁ ଜାଲ କିମ୍ବା ମୁଗୁରା ବ୍ୟବହାର କରାଯାଇଥାଏ ବୋଲି ଅନେକ ଜାଣିଛନ୍ତି । ହେଲେ କାହିଁ କେଉଁ କାଳରୁ ଖୋର୍ଦ୍ଧା ଜିଲ୍ଳା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମର ମତ୍ସ୍ୟଜୀବୀମାନେ ନିଜ ହାଜରେ ଧଉଡ଼ି ବୁଣି, ସେହିଥିରେ ହିଁ ମାଛ ଧରିଥାନ୍ତି । ବାଉଁଶକୁ ଛୋଟଛୋଟ କରି ନଇ ଡ଼ୋରରେ ଏହି ଧଉଡ଼ି ବୁଣା ଯାଇଥାଏ । ଗୋଟିଏ ଗୋଟିଏ ଧଉଡ଼ିର ମୂଲ୍ୟ ୨୫୦ ଟଙ୍କା ଠାରୁ ଆରମ୍ଭ କରି ଏକ ହଜାର ଓ ଦେଢହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । କିନ୍ତୁ ଚିଲିକାରେ ଦିନକୁ ମାଛ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ଧଉଡ଼ିର ଚାହିଦା କମିବାରେ ଲାଗିଛି । ଯାହାକୁ ନେଇ ମତ୍ସ୍ୟଜୀବୀ ପରିବାର ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । 

ଚିଲିକାରେ ଦିନକୁ ଦିନ ବେଆଇନ ଚିଙ୍ଗୁଡ଼ି ଘେରି ବୃଦ୍ଧି ଓ ବ୍ୟାପକ ପରିମାଣର ନଳଘାସ ଯୋଗୁଁ ଚିଲିକାରେ ଏବେ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ହ୍ରାସ ପାଉଛି । ଫଳରେ ମତ୍ସ୍ୟଜୀବୀମାନେ ଚିଲିକାରେ ଧଉଡ଼ି ବସାଇ ଦୁଇ ଦିନ ପରେ ମାଛ ଝାଡ଼ିଲେ, ଖୁବ କମ୍ ସଂଖ୍ୟାରେ ମାଛ ପଢୁଛି । ଯାହା ଫଳରେ ପାରିଶ୍ରମିକ ଉଠୁନାହିଁ ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ସେହିପରି ଜିଲ୍ଳା ପ୍ରଶାସନ ପକ୍ଷରୁ ୩/୪ମାସରେ ଥରେ ନାଁକୁ ମାତ୍ର ଘେରି ଉଛେଦ କରି ଚୁପ୍ ବସିପଡ଼ୁଛି ପ୍ରଶାସନ । ଅନ୍ୟପଟେ ଚିଲିକା ଉନ୍ନୟନ କମିଟିଙ୍କ ଟାଳଟୁଳ ନୀତି ଯୋଗୁଁ ମତ୍ସ୍ୟଜୀବୀମାନେ ଏବେ ଦାଦନ ଖଟିବାକୁ ବାହାରିଲେଣି ।

ଧଉଡ଼ି ବୁଣି ଏବଂ ମାଛମାରି ନିଜର ପେଟପାଟଣା ଚଳାଇ ଥିବା ମଙ୍ଗଳାଯୋଡ଼ିର ମତ୍ସ୍ୟଜୀବୀମାନେ ଏବେ ନିଜ କୂଳବେଉଷା ଛାଡ଼ି ଦାଦନ ଖଟିବାକୁ ସହର ମୁହଁ ହେଲେଣି । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ମତ୍ସ୍ୟଜୀବୀ ଦୁଃଖ ବୁଝିବାକୁ ସାଧାରଣରେ ଦାବି ହୋଇଛି ।