)
ଅଜୟ କୁମାର ନାଥ, ସମ୍ବଲପୁର: ବନ୍ୟାରେ ରାଜ୍ୟ ଉବୁଟୁବୁ ହେଉଥିବା ବେଳେ, ହୀରାକୁଦ ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳରେ ଚାଲିଛି ବେଧଡକ ମାଛଧରା । କିଛିଦିନ ପୂର୍ବରୁ ୪୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ସମୟରେ ତଳିଆ ଅଞ୍ଚଳରେ ମହାନଦୀ କରାଳ ରୂପ ଧାରଣ କରି ପ୍ରବାହିତ ହେଉଛି । ତଥପି ମତ୍ସ୍ୟଜୀବୀ ଏଭଳି ସ୍ଥିତିରେ ଅତି ବିପଦଜନକ ଭାବରେ ହୀରାକୁଦ ଜଳ ଭଣ୍ଡାରର ସ୍ପିଲ୍ୱେ ଠାରୁ ଅଳ୍ପଦୂରରେ ଥିବା ଏକ ସ୍ଥାନରେରେ ମାଛ ମାରୁଥିଲେ ।

ପ୍ରଶ୍ନ ଉଠୁଛି ମତ୍ସ୍ୟଜୀବୀଙ୍କୁ ଏପରି କରିବାକୁ ପ୍ରୋତ୍ସାହନ କିଏ ଦେଉଛି? ହୀରାକୁଦ ଜଳ ଭଣ୍ଡାରର ନିଷିଦ୍ଧାଞ୍ଚଳରେ ମାଛ ମାରିବା ଉପରେ କାହିଁକି କଟକଣା ଲଗାଉ ନାହାଁନ୍ତି ଡ୍ୟାମ କର୍ତ୍ତୃପକ୍ଷ? ଚଳିତ ବର୍ଷ ବନ୍ୟାଜଳ ନିଷ୍କାସନ ହେବା ପର ଠାରୁ ଏଭଳି ଦୃଶ୍ୟ କ୍ରମାଗତ ଦେଖିବାକୁ ମିଳୁଛି । ଡ୍ୟାମ୍ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ଡ୍ୟାମ୍ ସୁରକ୍ଷା କର୍ମୀ ବା ଓଆଇଏସ୍ଏଫ୍ ଯବାନ୍ (OISF-Odisha Industrial Security Force) କାହିଁକି ଚୁପ୍ ବସିଛି ତାହା ହିଁ ସବୁଠାରୁ ବଡ ପ୍ରଶ୍ନବାଚୀ ସାଧାରଣରେ ସୃଷ୍ଟି କରିଛି ।

ପ୍ରତିବର୍ଷ ବର୍ଷା ଦିନ ଆସିଲେ ଡ୍ୟାମ ଭିତରକୁ ବନ୍ୟାଜଳ ପ୍ରବେଶ କରିବା ସମୟରେ ମତ୍ସଜୀବୀ ମାଛ ଧରିଥାନ୍ତି । ମାଛ ଧରିବା ଲାଗି ଜଳଭଣ୍ଡାରର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟସମସ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ଯେଉଁ ଅଞ୍ଚଳରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ଯଦି କେହି ଏହି ଅଞ୍ଚଳ ମଧ୍ୟରେ ମାଛ ଧରିବେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡ୍ୟାମ ସୁରକ୍ଷା ଦାୟିତ୍ୱରେ ଥିବା ଓଆଇଏସଏଫ ଯବାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ଡ୍ୟାମରର ଗେଟ ସ୍ପିଲ୍ୱେ ଠାରୁ ମାତ୍ର ୨ଶହ ମିଟର ଦୂରରେ ମତ୍ସ୍ୟଜୀବି ମାଛ ଧରୁଥିବାର ଭିଡିଓ ଭାଇରାଲ ହୋଇଛି । ମତ୍ସ୍ୟଜୀବୀ ମାନେ ବେଫିକର୍ ଭାବେ ମାଛ ଧରୁଛନ୍ତି । ହେଲେ ଏହି ମାଛ ମରାରେ ଖୋଦ୍ ଓଆଇଏସ୍ଏଫ୍ ଯବାନଙ୍କ ଜାଣତରେ ହେଉଥିବା ବେଳେ ଏଭଳି ବିପତ୍ଜନକ ଅବସ୍ଥାରେ ମାଛ ମରାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ଯେଉଁ ସ୍ଥାନରେ ଏହି ମାଛଧରା ଚାଲିଛି ତାହା ଡ୍ୟାମର ଡାହାଣ ପାଶ୍ୱର୍ ଗେଟ୍ ବା ମାଉଥ୍ ଠାରୁ ୨୦୦-୩୦୦ ମିଟର ମଧ୍ୟରେ ରହିଛି ଏହି ସ୍ଥାନ । ଏହି ସ୍ଥାନକୁ ଯିବାକୁ ହେଲେ ଗାଁ ବୁର୍ଲା ଠାରୁ ପ୍ରାୟ ୧ କି.ମି ଦୂରତା ରହିଛି । ଏହି ସ୍ଥାନକୁ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଯାଇଛି । ଏଠାକୁ ସାଧାରଣ ଲୋକ ଏପରିକି ଗଣମାଧ୍ୟମ ପ୍ରତିନଧିଙ୍କୁ ଯିବା ପାଇଁ ବାରଣ କରାଯାଉଛି ହେଲେ ମତ୍ସ୍ୟଜୀବୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଗେଟ ଖୋଲାଯାଇଥିବା ଦୃଶ୍ୟ ଉପରେ ଖବର ସଂଗ୍ରହ ପାଇଁ ଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଯିବା ପାଇଁ ସେଠାରେ ଉପସ୍ଥିତ ଥିବା ଜଣେ ଘରୋଇ ସଂସ୍ଥାର ସୁରକ୍ଷା କର୍ମୀ ଭିତରକୁ କାହାକୁ ଛାଡିବା ପାଇଁ ଅନୁମତି ନଥିବା କହିଥିଲେ । ହେଲେ ଭିତରେ କିଛି ମତ୍ସ୍ୟଜୀବୀ ନିଜ ଜାଲ ରଖି ମାଛ ଧରୁଥିବାର ଦୃଶ୍ୟ ଖେିବାକୁ ମିଳିଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଗଣମାଧ୍ୟମକୁ ଡ୍ୟାମ୍ ପରିସରକୁ ପ୍ରବେଶ କରିବାରେ ବାରଣ କରାଯାଇ ବିଭାଗୀୟ କର୍ତ୍ତୃପକ୍ଷ ମନମୁଖୀ କାମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏହି ନିଷିଦ୍ଧାଞ୍ଚଳକୁ ମତ୍ସ୍ୟଜୀବୀ କିଭଳି ପ୍ରବେଶ କରୁଛନ୍ତି ତାହା ଏବେ ବଡ ପ୍ରଶ୍ନ ପାଲ୍ଟିଛି । ପ୍ରତିଦିନ ଉପରମୁଣ୍ଡର ଜଳ ପ୍ରବାହର ସ୍ଥିତିକୁ ଦେଖି ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଗେଟ୍ ଖୋଲିବା ଏବଂ ବନ୍ଦ କରୁଛନ୍ତି । ଏହି ସମୟରେ ଯଦି ଏକକାଳୀନ ବହୁସଂଖ୍ୟକ ଗେଟ୍ ଖୋଲାରହିଥିବା ବେଳେ କୌଣସି ମତ୍ସ୍ୟଜୀବୀଙ୍କ ଗୋଡ ଖସି ଯାଏ, କ'ଣ ହେବ ତାହା କଳ୍ପନା କରିବା ମୁସ୍କିଲ୍ । ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଡ୍ୟାମ୍ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ସେଠାରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମୀ ଏହି ମତ୍ସ୍ୟଜୀବୀଙ୍କୁ ପ୍ରୋତ୍ସାହନ ଦେଉଥିବା ବେଳେ ଏମାନଙ୍କ ବିରୁଦ୍ଧରେ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ସେତେବେଲେ ହୀରାକୁଦ ଜଳଭଣ୍ଡାରର ୧୫ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ସ୍ପିଲୱେ ଠାରୁ ପ୍ରାୟ ୨ ଶହ ମିଟର ମଧ୍ୟରେ ଥିବା ବିପଦ ସଙ୍କେତ ସ୍ଥାନରେ ବେଫିକର ମାଛ ମରା ଉପରେ କେବେ ନିଆଯିବ କାର୍ଯ୍ୟନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା ।