ରାଷ୍ଟ୍ର ମୋହଠୁ ବଡ଼ ପୁତ୍ର ମୋହ: ଧ୍ରୁତରାଷ୍ଟ୍ର ଉଦ୍ଧବ !

ଚରିତ୍ର ବଦଳାଇ ଦେଲା କ୍ଷମତାର ଲୋଭ...ଏମାନଙ୍କ ପାଇଁ ରାଷ୍ଟ୍ର ନୁହେଁ, ପୁତ୍ର ବଡ଼

ରାଷ୍ଟ୍ର ମୋହଠୁ ବଡ଼ ପୁତ୍ର ମୋହ: ଧ୍ରୁତରାଷ୍ଟ୍ର ଉଦ୍ଧବ !
ସୌଜନ୍ୟ: ସୋସିଆଲ ମିଡିଆ

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର:  ମହାରାଷ୍ଟ୍ର ରାଜନୀତି । ମହାଭାରତ ଠୁ ବି କମ ନୁହେଁ । ସେତେବେଳେ ମହାଭାରତ ୧୮ ଦିନ ଚାଲିଥିବା ବେଳେ, ଆଜି ବି ମହାରାଷ୍ଟ୍ର ରାଜନୀତିର କ୍ଲାଇମ୍ୟାକ୍ସ ୧୮ ଦିନରେ ପହଁଞ୍ଚିଛି । ସେତେବେଳେ ସିନା କୌରବମାନେ ପରାସ୍ତ ହୋଇଥିଲେ ହେଲେ ଏଠି କ୍ଷମତାର ଲୋଭ । ମହାରାଷ୍ଟ୍ର ମହାଭାରତରେ ଘଡିକେ ଘୋଡ଼ା ଛୁଟୁଛି । କିଏ ଜିତିବ, କିଏ ହାରିବ ତାହା ତ ସମୟ କହିବ । ହେଲେ ଏଠି ଯାହାକୁ କାଲି ରାଜ ଦରବାରରେ ବସିବାକୁ ସୁଯୋଗ ଦିଆଯାଇଥିଲା, ଆଜି ସିଏ ରାଜ ସିଂହାସନ ଦଖଲ କରିବାକୁ ମନ ବଳାଇଛି । ଯାହା ୩୦ ବର୍ଷର ସମ୍ପର୍କରେ ନାଲିଗାର ଟାଣିବାକୁ ବାଧ୍ୟ କରୁଛି । କେବଳ ସେହି କ୍ଷମତାର ରାଜନୀତି ପାଇଁ, ଆଉ ସେ କ୍ଷମତା ପୁଣି ପୁତ୍ର ମୋହ ପାଇଁ । ପୁତ୍ର ମୋହ ଯେ ଏତେ ତଳକୁ ନେଇଯାଇପାରେ, ଯେଉଁଠି ସମ୍ପର୍କର ମାନେ କଣ କିଛି ବୁଝାପଡ଼େନା । ଆଉ ପ୍ରମାଣିତ କରେ ଏଠି ରାଷ୍ଟ୍ର ମୋହ ଠୁ ପୁତ୍ର ମୋହ ବଡ଼ । ଯେମିତିକି ପୁତ୍ର ମୋହରେ ଧ୍ରୁତରାଷ୍ଟ୍ର ହସ୍ତିନାପୁରକୁ, ସେହିଭଳି ମୁଲାୟମ ସିଂହ ଯାଦବ ଉତ୍ତରପ୍ରଦେଶ, ପ୍ରକାଶ ସିଂହ ବାଦଲ ପଞ୍ଜାବ, ଲାଲୁ ପ୍ରସାଦ ଯାଦବ ବିହାର, ସୋନିଆ ପୂରା ଭାରତ, ଆଉ ଏବେ ଉଦ୍ଧବ ଠାକରେ ପୁତ୍ର ମୋହରେ ମହାରାଷ୍ଟ୍ରକୁ ପୂରା ଭୁଲିବାକୁ ଯାଉଛନ୍ତି । ଯାହା ଏକ ହିନ୍ଦୁତ୍ୱବାଦୀ ଦଳ ପାଖରୁ ଆଶା କରାଯାଉ ନଥିଲା । ଶେଷରେ ସେୟା ହିଁ ହେବାକୁ ଯାଉଛି କେବଳ ପୁତ୍ର ମୋହରେ ମହାରାଷ୍ଟ୍ରକୁ ଭୁଲିବାକୁ ଯାଉଛନ୍ତି ଉଦ୍ଧବ ।

ସେତେବେଳେ ମହାଭାରତ ସିନା ୧୮ ଦିନରେ ଶେଷ ହୋଇଥିଲା । ହେଲେ ମହାରାଷ୍ଟ୍ର ମହାଭାରତ ଶେଷ ହେବାର ନାଁ ନେଉନି । ରାଷ୍ଟ୍ରର ଉନ୍ନତି ନୁହେଁ, କେବଳ କ୍ଷମତା ରାଜନୀତିର ଟିକିଏ ସ୍ୱାଦ ଚାଖିବା ପାଇଁ ଦୁଇ ଘୋର ବିରୋଧୀ ଶିବସେନା ଓ କଂଗ୍ରେସ ଶେଷରେ କୋଳାକୋଳି ହେବାର ଚର୍ଚ୍ଚା ହେଉଛି । ଶିବସେନା ନେତୃତ୍ୱରେ ସରକାର ଗଠନ ହେବ ବୋଲି ଗୋଟିଏ ପ୍ରକାର ଚର୍ଚ୍ଚା ଆଗକୁ ବଢୁଥିଲେ ହେଁ, ଚିତ୍ର ସ୍ପଷ୍ଟ ହେବାର ନାଁ ଧରୁନି । ଧିରେ ଧିରେ ଜଟିଳ ହେଉଛି ମହାରାଷ୍ଟ୍ର ନାଟକ । ସରକାର ଗଠନ ନିମନ୍ତେ ପ୍ରୟାସ ଚଳାଇଥିବା ଶିବସେନାକୁ ଲାଗିଛି ବଡ଼ ଝଟକା । ଶିବସେନା ନେତା ଆଦିତ୍ୟ ଠାକରେଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଥିଲେ ମଧ୍ୟ ସରକାର ଗଠନ ପାଇଁ ଦୁଇ ଦିନ ସମୟ ମାଗିଥିଲେ । ମାତ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶିବସେନାକୁ ସମୟ ଦେବାକୁ ମନା କରି ଦେଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଓ ଏନସିପିର ଘନଘନ ବୈଠକ ପରେ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ । ଯାହା ୧୮ ଦିନ ପୂର୍ବରୁ ସ୍ପଷ୍ଟ ହେବା କଥା । ହେଲେ ବିଜେପି ସହ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଶିବସେନା ଦାବି କରୁଥିଲା, ଯାହାକି ଦାବି ଥିଲା ଆଦିତ୍ୟ ଠାକରେ ହିଁ ହେବେ ମୁଖ୍ୟମନ୍ତ୍ରୀ । ଆଉ ସେହି ଦାବି ଯେ ଏତେ ସାଙ୍ଘାତିକ ମୋଡ ନେବ, ତାହା କେହି ଭାବି ନ ଥିଲେ ।