ଦିଲ୍ଲୀରେ କେହି ଭୋକିଲା ଶୋଇବେନି...

ଉପରାଜ୍ୟପାଳଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ମୋଧନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । 

ଦିଲ୍ଲୀରେ କେହି ଭୋକିଲା ଶୋଇବେନି...
ଫାଇଲ ଫଟୋ

ନୂଆଦିଲ୍ଲୀ: ଯେତେବେଳେ କୋରୋନା ମୁକାବିଲା କରିବାକୁ ଯାଇ ସମଗ୍ର ଦେଶକୁ ଲକ୍ ଡାଉନ ଘୋଷଣା କରାଯାଇଛି, ସେତେବେଳେ ଏକ ବଡ଼ ସମସ୍ୟା ମୁଣ୍ଡ ଟେକୁଛି । ସେ ହେଉଛି ଗରିବ ଲୋକଙ୍କ ସମସ୍ୟା । ଗରିବ ଲୋକଙ୍କ ପାଖରେ ୨୧ ଦିନର ଖାଇବା ଅଛି ତ ? ୨୧ ଦିନ ଚଳିବା ପାଇଁ ସେମାନଙ୍କ ପାଖେ ଟଙ୍କା ଅଛି ତ ? ଯେଉଁ ଲୋକ ଦିନରେ ଉପାର୍ଜନ କରିଥିବା ଟଙ୍କାରେ ରାତି ପାଇଁ ସଉଦା କିଣେ, ସେ ଏବେ ଚଳିବ କେମିତି ? ତେବେ ଏସବୁ ଭିତରେ ଦିଲ୍ଲୀ ସରକାର ଯେପରି କାହାକୁ ମଧ୍ୟ ଭୋକିଲା ରହିବାକୁ ନପଡ଼େ, ସେଉପରେ ଗୁରୁତ୍ୱାରୋପ କରିଛନ୍ତି । 

ଆଜି ଉପରାଜ୍ୟପାଳଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ମୋଧନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ଏହି ସମ୍ମିଳନୀରେ ସେ ସ୍ପଷ୍ଟ କରିଛନ୍ତି, ଲକ୍ ଡାଉନ ପାଇଁ ଦିଲ୍ଲୀରେ କେହି ମଧ୍ୟ ଭୋକିଲା ଶୋଇବେନି । ଦିଲ୍ଲୀ ସରକାର ଏନେଇ ସବୁକିଛି ବ୍ୟବସ୍ଥା କରିବେ । ତେଣୁ ଜନସାଧାରଣ ମଧ୍ୟ ଲକ୍ ଡାଉନକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନିବେଦନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 

ଏବେ ଦିଲ୍ଲୀର କିଛି ସ୍ଥାନରେ ମାଗଣା ମିଲର ବ୍ୟବସ୍ଥା ହୋଇଛି । ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ମିଳୁଛି । ଆଜି ବାବା ଖରକ ସିଂହ ମାର୍ଗରେ ଲୋକଙ୍କୁ ମାଗଣାରେ ଖାଦ୍ୟ ବଣ୍ଟା ଯାଇଛି । ଦିଲ୍ଲୀ ସରକାର ଆଗକୁ ଅନ୍ୟ ସ୍ଥାନରେ ମଧ୍ୟ ଗରିବ ଲୋକଙ୍କ ପାଇଁ ଏପ୍ରକାର ବ୍ୟବସ୍ଥା ଆରମ୍ଭ କରିବେ । ଯେପରି ଲକ୍ ଡାଉନ ବେଳେ କେହି ଭୋକିଲା ନରୁହନ୍ତି, ସେଉପରେ ଗୁରୁତ୍ୱାରୋପ କରାଯାଇଛି ।