ସଫଳତାର ରହସ୍ୟ: ମାଗଣା କାର୍ଡ ବନାମ ବିକାଶର ମୁଦ୍ଦା
Advertisement

ସଫଳତାର ରହସ୍ୟ: ମାଗଣା କାର୍ଡ ବନାମ ବିକାଶର ମୁଦ୍ଦା

ବିକାଶର ମୁଦ୍ଦା ନା ମାଗଣା କାର୍ଡ

ସଫଳତାର ରହସ୍ୟ: ମାଗଣା କାର୍ଡ ବନାମ ବିକାଶର ମୁଦ୍ଦା

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଫଳାଫଳ ବାହାରି ସାରିଛି। ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଛି। ଗତଥର ଅପେକ୍ଷା କିଛିଟା ଆସନ ହରାଇଥିଲେ ମଧ୍ୟ ପୂର୍ଣ୍ଣ ବହୁମତ ପାଇବାରେ ସଫଳ ହୋଇଛି ଆମ୍ ଆଦମୀ ପାର୍ଟି। ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜରିଓ୍ୱାଲ। ସେପଟେ ଦୀର୍ଘ ୨୧ ବର୍ଷର ବନବାସକୁ ଦଳ ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛି ଗେରୁଆ ଦଳ। ମାତ୍ର, ଦଳର ଭୋଟ୍ ହାର ଯଦି ଦେଖିବା, ତେବେ ସେଥିରେ ଅଧିକ ହୋଇଛି। କଂଗ୍ରେସ ମଧ୍ୟ ଅନୁରୂପ ଭାବେ ପୂର୍ବ ଥର ଭଳି ଖାତା ଖୋଲିବାରେ ବିଫଳ ହୋଇଛି। କହିବାକୁ ଗଲେ ଦିଲ୍ଲୀ ରାଜନୈତିକ ମାହୋଲରୁ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି କଂଗ୍ରେସ। 

ବିପୁଳ ପରିମାଣରେ ବିଜୟ ହାସଲ କରିଥିବା ଆପର ସଫଳତାକୁ ନେଇ ମଧ୍ୟ ରାଜନୈତିକ ବିଶ୍ଲେଷଣ ଆରମ୍ଭ ହୋଇଯାଇଛି। ତୃଣମୂଳସ୍ତରରେ ମୌଳିକ ସୁବିଧାକୁ ମୁଦ୍ଦା କରି ନିର୍ବାଚନ ଲଢ଼ିଥିବାରୁ ଆପକୁ ଏହି ବିପୁଳ ସଫଳତା ମିଳିଥିବା ନେଇ କୁହାଯାଇଛି। ମାଗଣା ପ୍ରତିଶ୍ରୁତି ପାଇଁ ଆପ୍ ଏହି ବିପୁଳ ସଫଳତା ହାତେଇଥିବା କୁହଯାଉଛି। ତୃଣମୂଳସ୍ତରରେ ମଧ୍ୟବିତ୍ତ ପରିବାରଙ୍କ ଆବଶ୍ୟକତା ଓ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି କେଜରିଓ୍ୱାଲ 'ମାଗଣା' କାର୍ଡ ଖେଳିଥିଲେ। ଆଉ ଅନ୍ୟ ରାଜ୍ୟଗୁଡ଼ିକ ଭଳି ବିଜୟ ଲାଭ ମଧ୍ୟ କରିଥିଲେ।

ଅଧିକ ପଢନ୍ତୁ: ଝାଡ଼ଖଣ୍ଡରେ 'ମହା' ଝଟକା ପରେ ଦିଲ୍ଲୀରେ ଝାଡ଼ୁ ପାହାର

ନିର୍ବାଚନରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଟାର୍ଗେଟ୍ କରିବା ସହ ତୃଣମୂଳସ୍ତରରେ ଥିବା ସମସ୍ୟାକୁ ମୁଦ୍ଦା କରିଥିଲେ କେଜରିୱାଲ। ପ୍ରଶାସକରୁ ରାଜନେତା ପାଲଟିଥିବା କେଜରିଓ୍ୱାଲ ମଧ୍ୟ ରାଜନୀତି ରଣନୀତିକାର ପ୍ରଶାନ୍ତ ଭୂଷଣଙ୍କ ସହାୟତାରେ ମଜବୁତ ରଣନୀତି ପ୍ରସ୍ତୁତ କରିଥିଲେ। 'ମାଗଣା' କାର୍ଡ ମାଧ୍ୟମରେ ବିକାଶକୁ ମୁଦ୍ଦା କରି ନିର୍ବାଚନକୁ ସେ ଓହ୍ଲାଇଥିଲେ।

ସେପଟେ ଆରମ୍ଭରୁ ଦିଲ୍ଲୀବାସୀଙ୍କ ମୂଳ ସମସ୍ୟା ଥିଲା ପିଇବା ପାଣି। ତେଣୁ, ପ୍ରାଥମିକ ଭିତ୍ତିରେ ଏହାର ସମାଧାନ କରିଥିଲେ କେଜରିୱାଲ ସରକାର। ପ୍ରତି ଘରକୁ ମାସିକ ୨୦ ହଜାର ଲିଟର ପାଣି ମାଗଣାରେ ବାଣ୍ଟିବାକୁ ପ୍ରତିଶ୍ରୁତି ଦେଇଥିଲେ। କେବଳ ଏତିକି ନୁହେଁ, ବିଦ୍ୟୁତ୍ ସମସ୍ୟାକୁ ମଧ୍ୟ ସେ ସମାଧାନ କରିବାକୁ ପ୍ରୟାସ କରିଥିଲେ। 
ଦିଲ୍ଲୀବାସୀଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ସେବା ଯୋଗାଇ ଦେଇଥିଲେ।। ଏହା ମାଧ୍ୟମରେ ପ୍ରାୟ ୧୫ ଲକ୍ଷ ଲୋକଙ୍କ ବିଦ୍ୟୁତ୍ ବିଲ ଜିରୋ ଆସିଥିଲା। ସେହିପରି ଦିଲ୍ଲୀ ମହିଳାଙ୍କ ସୁରକ୍ଷା ସବୁଠାରୁ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଥିଲା, ଯାହାକୁ ନେଇ ପୂର୍ବରୁ ମଧ୍ୟ ସରକାର କାଠଗଡ଼ାରେ ଛିଡ଼ା ହୋଇଛି। ତେବେ ଏହି ପ୍ରସଙ୍ଗକୁ ଅବହେଳା ବା ଅଣଦେଖା କରି ନ ଥିଲା କେଜରିଓ୍ୱାଲ ସରକାର।

ଅଧିକ ପଢନ୍ତୁ: ପରାଜୟର ୫ କାରଣ

ମହିଳାଙ୍କ ଯାତ୍ରା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଗଣା ବସଯାତ୍ରାର ଆରମ୍ଭ କରିଥିଲେ କେଜରିଓ୍ୱାଲ। ମହିଳାଙ୍କ ସୁରକ୍ଷା ପାଇଁ ବସରେ ଗାର୍ଡ ମଧ୍ୟ ନିଯୁକ୍ତ କରିଥିଲେ କେଜରିଓ୍ୱାଲ ସରକାର। କେବଳ ଏତିକି ନୁହେଁ, ସୁରକ୍ଷା ପାଇଁ ଦିଲ୍ଲୀର ଗଳିକନ୍ଦିରେ ସିସିଟିଭିର ବ୍ୟବସ୍ଥା ସେ କରିଥିଲେ। ଦିଲ୍ଲୀର ପ୍ରାୟ ଅର୍ଦ୍ଧାଧିକ ସ୍ଥାନରେ ଏହି ସିସିଟିଭିର ବ୍ୟବସ୍ଥା ମଧ୍ୟ କରି ସାରିଛନ୍ତି।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବ୍ୟାପକ ଭାବେ ପରିବର୍ତ୍ତନ ଆଣି ପାରିଛନ୍ତି। ମୋହଲ୍ଲା କ୍ଲିନିକ୍ ହେଉ ଅବା ମାଗଣା ଚିକିତ୍ସା ସେବା କ୍ଷେତ୍ରରେ ମଧ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଥିଲେ କେଜରିଓ୍ୱାଲ। ଦିଲ୍ଲୀର ସମସ୍ତ ନାଗରିକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ସେ ଯୋଗାଇ ଦେଇଥିଲେ। ସବୁ ଅଞ୍ଚଳରେ ମାଗଣା ଓ୍ୱାଇଫାଇ, ଗ୍ରାଜୁଏସନ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା, ଡିଟିସି ବସରେ ଛାତ୍ରୀମାନଙ୍କ ଗ୍ୟାରେଣ୍ଟି ଆଦି ଉପରେ ବେଶ୍ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ ଦିଲ୍ଲୀ ସରକାର। 

ଅଧିକ ପଢନ୍ତୁ: ଫଳାଫଳକୁ ନେଇ ବିଜେପି ସତରେ କ'ଣ ଦୁଃଖି ?

ବିକାଶ ଆଗରେ ହାର୍ ମାନିଛି ଧର୍ମୀୟ ରାଜନୀତି। ଶାହିନବାଗ୍ ହେଉ ଅବା ସିଏଏ କିମ୍ୱା ଜମ୍ମୁ କାଶ୍ମୀର। ବିଭିନ୍ନ ଜାତୀୟ ପ୍ରସଙ୍ଗ ନେଇ ବିଜେପି କେଜ୍ରିୱାଲଙ୍କୁ ଚେକ୍ ଦେବାକୁ ଯେଉଁ ଉଦ୍ୟମ କରୁଥିଲା, ତାହା ବିଫଳ ହେଲା। ସେହିପରି କେଜ୍ରିୱାଲଙ୍କ ସକରାତ୍ମକ ପ୍ରଚାର ଓ ଉତ୍ତମ ଶାଳୀନତା ଯୋଗୁ ବିଜେପି ମାଟି କାମୁଡ଼ିବାକୁ ବାଧ୍ୟ ହେଲା। ରାଜ୍ୟ କିମ୍ୱା କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ସମୟରେ ସ୍ଥାନୀୟ ମୁଦ୍ଦା ବା ରାଜ୍ୟ ପ୍ରସଙ୍ଗ ସର୍ବଦା କିମିଆ କରିଥାଏ। କିନ୍ତୁ ବିଜେପି ଯେଉଁ ଭୁଲ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କରିଥିଲା, ତାକୁ ଦଳ ଦିଲ୍ଲୀରେ ମଧ୍ୟ ଦୋହରାଇଲା। ଏହାସହ ଆରମ୍ଭରୁ ମୋଦି ଓ ଶାହଙ୍କ ଆକ୍ରମଣାତ୍ମକ ରଣନୀତି ଗେରୁଆ ଦଳ ପାଇଁ ବୁମେରାଂ ହେଲା। ଏହାସହ ଯୋଗୀ ଆଦିତ୍ୟନାଥ, ଅନୁରାଗ ଠାକୁରଙ୍କ ଭଳି ହାଇ ପ୍ରୋଫାଇଲ ନେତାଙ୍କ ବିବାଦୀୟ ବୟାନ ମଧ୍ୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ତେଣୁ, ଆତ୍ମଶ୍ଳାଘା ହିଁ ବିଜେପିକୁ ପରାଜୟ ବରଣ କରିବାକୁ ବାଧ୍ୟ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।