କ୍ଷମତା ଲଢ଼େଇରେ ଶତ୍ରୁ ବି ସାଜିପାରେ ମିତ୍ର

ମିଳିତ ସରକାର ଗଠନ କରିବା ହିଁ ଏକମାତ୍ର ବିକଳ୍ପ

କ୍ଷମତା ଲଢ଼େଇରେ ଶତ୍ରୁ ବି ସାଜିପାରେ ମିତ୍ର
ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ଗତ ଦୁଇ ସପ୍ତାହ ଧରି ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ସାପ ସିଡ଼ି ଖେଳ ଶେଷ ହୋଇଛି । କ୍ଷମତା ଓ ସମ୍ମାନ ପାଇଁ ଶେଷରେ ବୀପରିତ ଚିନ୍ତାଧାରା ଦଳ ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି ଶିବସେନା । ତିରିଶ ବର୍ଷର ସମ୍ପର୍କକୁ ଛିନ୍ନ କରିବା ପରେ କଂଗ୍ରେସ ଓ ଏନସିପି ସହ ହାତ ମିଳାଇଛି ଦେଶର ଅନ୍ୟତମ ହିନ୍ଦୁତ୍ୱବାଦୀ ଦଳ । କିଛିଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ସମସ୍ତେ ଯାହା ଅନୁମାନ କରୁଥିଲେ, ଶେଷରେ ସେଇଆ ହିଁ ହେଲା । କିନ୍ତୁ ଏସବୁ ଭିତରେ ମହାରାଷ୍ଟ୍ର ରାଜନୀତିରେ ଏଥର ଗେମ୍ ଚେଞ୍ଜର୍ ଭୂମିକା ନିଭାଇଛି ଏନସିପି । ରାଜନୀତି ଏତେ ଜଟିଳ ହୋଇପଡ଼ିଛି ଯେ, ସରକାର ଗଠନ କରିବାକୁ ଏନସିପିକୁ ୨୪ ଘଣ୍ଟାର ମହଲତ ଦିଆଯାଇଛି ।

  ସରକାର ଗଠନ କରିବା ପାଇଁ  ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଶିବସେନାକୁ ସରକାର ଗଠନ ନେଇ ଆମନ୍ତ୍ରଣ କରିବା ପରେ ସଂଖ୍ୟା ଗରିଷ୍ଠତା ଗଣିତ କଷିବାରେ ଲାଗି ପଡ଼ିଥିଲା ଦଳ । ଏହାପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ସୋନିଆ ଗାନ୍ଧି ଏବଂ ଶରଦ ପାୱାରଙ୍କ ସହ ଆଲୋଚନା କରିଥିଲେ । କଂଗ୍ରେସ ନିଜର ବିଧାୟକମାନଙ୍କୁ ଦିଲ୍ଲୀ ଡକାଇ ବୈଠକ କରିବା ପରେ ଶିବସେନାକୁ ସମର୍ଥନ କରିବା ନେଇ ଏକ ପ୍ରକାର ସ୍ପଷ୍ଟ କରିଛି । ବୈଠକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପୁଣି ଥରେ ଶରଦ ପାୱାରଙ୍କ ସହ ଆଲୋଚନା କରିବା କଥା କେବଳ ଲୋକ ଦେଖାଣିଆ । ସୁଯୋଗର ଅପେକ୍ଷାରେ ଥିବା ଏନସିପି ସନ୍ଧ୍ୟାରୁ ହିଁ ନିଜର ସମର୍ଥନ ଘୋଷଣା କରି ଦେଇଥିଲା । ଏହାସହ ଉଭୟ ଶିବସେନା ଓ କଂଗ୍ରେସ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିଛି ଶରଦ ପାୱାରଙ୍କ ଏହି ଦଳ । ଏହାପରେ ବଦଳିଗଲା ମହାରାଷ୍ଟ୍ର ରାଜନୀତିର ଚିତ୍ର ।

ତେବେ କଂଗ୍ରେସ ଓ ଶିବସେନାର ସମ୍ପର୍କ ନେଇ ଦେଶରେ ଯେଉଁ ନୂଆ ସମୀକରଣ ବୋଲି ଚର୍ଚ୍ଚା ହେଉଛି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଷାଠିଏ ଦଶକର ମଧ୍ୟ ଭାଗରେ ବମ୍ୱେରେ ଟ୍ରେଡ୍ ୟୁନିୟନ ଖୁବ ସଂଗଠିତ ଓ ଶକ୍ତିଶାଳୀ ହେବାରେ ଲାଗିଥିଲା । ସେତେବେଳେ ଇନ୍ଦିରା ଗାନ୍ଧି ବାଲ ଠାକରେଙ୍କୁ ଅସ୍ତ୍ର କରିଥିଲେ । ଏହାପରେ ଗଠନ ହୋଇଥିଲା ଶିବସେନା । ୧୯୭୫ ମସିହାରେ ଦେଶରେ ହୋଇଥିବା ଜରୁରୀକାଳୀନ  ପରିସ୍ଥିତି ସମୟରେ ଇନ୍ଦିରାଙ୍କ ପକ୍ଷରେ ଥିଲା ଶିବସେନା । ସେହି ଦିନଠାରୁ ହିଁ ଶିବସେନା ଓ କଂଗ୍ରେସ ମଧ୍ୟରେ ଗଢ଼ି ଉଠିଥିଲା ଏକ ନୂଆ ସମ୍ପର୍କ । କିନ୍ତୁ ହିନ୍ଦୁ ଆଇଡୋଲୋଜି ନେଇ ଚାଲିଥିବା ଏହି ଦଳ ୧୯୮୯ ଲୋକସଭା ନିର୍ବାଚନରେ ବିଜେପିର ହାତ ଧରିଥିଲା ଏବଂ ୧୯୯୮ରେ ଏନଡିଏରେ ସାମିଲ ହୋଇଥିଲା । କିନ୍ତୁ ପରିବାରବାଦ ଭିତରେ ପେଶି ହୋଇଥିବା ଶିବସେନା ଗତ ନିର୍ବାଚନ ଭଳି ଏଥର ମଧ୍ୟ କ୍ଷମତାକୁ ନେଇ ଭାଇ ବିଜେପି ସଙ୍ଗେ ଲଢ଼େଇ କରିବା ସହ ଏନଡିଏ ହାତ ବି ଛାଡ଼ି ଦେଇଛି ।

ସେହିପରି କଂଗ୍ରେସର ସମର୍ଥନ ପଛରେ ମଧ୍ୟ ନିହାତି ଭାବେ କିଛିଟା ରାଜନୈତିକ ଉଦ୍ଦେଶ୍ୟ ରହିଛି । ଜରୁରୀକାଳୀନ ପରିସ୍ଥିତିରେ ଦେଶବାସୀ ଅତିଷ୍ଠ ହୋଇ ପଡ଼ିବା ପରେ ୧୯୭୭ରେ ଇନ୍ଦିରା ଗାନ୍ଧିଙ୍କୁ ମୁହଁତୋଡ଼ା ଜବାବ ଦେବାକୁ ଯାଇ ମୋରାରଜୀ ଦେଶାଇଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ବସାଇଥିଲେ ଭାରତବାସୀ । କିନ୍ତୁ ମୋରାରଜୀ ସରକାର ଇନ୍ଦିରାଙ୍କ ଉପରେ ଅଧିକ ଫୋକସ ଦେବାରୁ ଏହି ସରକାର ବେଶୀ ଦିନ ତିଷ୍ଠି ପାରି ନଥିଲା । ଇନ୍ଦିରା ଗାନ୍ଧି ଓ ସଞ୍ଜୟ ଗାନ୍ଧିଙ୍କ ବିଚକ୍ଷଣ ରାଜନୀତି ଯୋଗୁ ଗାଦିଚ୍ୟୁତ ହୋଇଥିଲେ ମୋରାରଜୀ ଦେଶାଇ । ତେବେ ମୋରାରଜୀ ସରକାରକୁ ହଟାଇବା ପାଇଁ ଇନ୍ଦିରା ସେତେବେଳେ ଜନତା ପାର୍ଟିର ଅନ୍ୟତମ ବରିଷ୍ଠ ନେତା ରାଜ ନାରାୟଣଙ୍କୁ ମୋହରା ସଜାଇଥିଲେ । ରାଜ ନାରାୟଣ ଏବଂ ଚୌଧୁରୀ ଚରଣ ସିଂହଙ୍କ ସମେତ ଜଜ୍ ଫର୍ଣ୍ଣାଣ୍ଡିଜ ଓ କଂଗ୍ରେସର ପୂର୍ବତନ ନେତା ହେମୱତୀ ନନ୍ଦନ ବହୁଗୁଣା ପ୍ରମୁଖ ଦେଶାଇ ସରକାରରୁ ନିଜ ନିଜର ସମର୍ଥନ ପ୍ରତ୍ୟାହାର କରିଥିଲେ । ଏବଂ ପରେ ଚୌଧୁରୀ ଚରଣ ସିଂହ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମାତ୍ର ୨୩ ଦିନ ପ୍ରଧାନମନ୍ତ୍ରୀ ଆସନରେ ଅଭିସିକ୍ତ ହୋଇଥିବା ଚରଣ ସିଂହ ସରକାରକୁ ସେତେବେଳେ କଂଗ୍ରେସ ବାହ୍ୟ ସମର୍ଥନ ଦେଇଥିଲା । ନିଜର ସ୍ୱାର୍ଥ ସାଧନ ହେବା ପରେ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା ଦେଶର ସର୍ବ ପୂରାତନ ଦଳ କଂଗ୍ରେସ । ସେହିପରି ଏହି ଘଟଣା ବ୍ୟତୀତ ଭାରତ ରାଜନୀତି ଇତିହାସରେ ଆହୁରି ଅନେକ ଉଦାହରଣ ରହିଛି । ନିକଟ ଅତୀତରେ କର୍ଣ୍ଣାଟକ ରାଜନୀତିରେ ହୋଇଥିବା ପରିବର୍ତ୍ତନ ବିଷୟରେ ସମସ୍ତଙ୍କୁ ଅଳ୍ପେ ବହୁତେ ଜଣା ଅଛି । ପୁଣି ଥରେ ସେହି ଷ୍ଟ୍ରାଟେଜିକୁ ରିପିଟ୍ କରିବାକୁ ଦଳ ହୁଏତ ଭାବୁଥାଇ ପାରେ ।

ରାହୁଲଙ୍କ ରାଜନୈତିକ ବିଫଳତା ପରେ ପୁଣି ଥରେ ଦଳର ମଙ୍ଗ ଧରିଥିବା ସୋନିଆ ଗାନ୍ଧି ନିଜର ରଣନୀତିକୁ ପୁଣି ଥରେ ଆକ୍ଟିଭ କରିଛନ୍ତି । ଏବେ ସମୟ ବଦଳିଛି । କିନ୍ତୁ ରାଜନୀତିର ମହକ ମହାଭାରତ ଭଳି ଏବେ ବି ସତେଜ ରହିଛି । କ୍ଷମତା ପାଇଁ ଏଠି ଶତ୍ରୁକୁ ବି ମିତ୍ର କରାଯାଇପାରେ । ଅନ୍ୟପଟେ ଗତ ପାଞ୍ଚ ବର୍ଷ ଭିତରେ ସବୁଠୁ ଶକ୍ତ ଝଟକା ଖାଇଥିବା ବିଜେପି ଚୁପ୍ ହୋଇ ବସିବ ନାହିଁ। ମେଣ୍ଟ ସରକାରକୁ ଅସ୍ଥିର ଏବଂ ଭାଙ୍ଗିବା ଲାଗି ବାରମ୍ବାର ଉଦ୍ୟମ କରିବ ଗେରୁଆ ଦଳ । ତେଣୁ, ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ନେଇ ମନା କରିଦେବା ପରେ ଏବେ ଏଠାରେ କୌଣସି ବିକଳ୍ପ ହିଁ ନାହିଁ । କଂଗ୍ରେସ-ଶିବସେନା-ଏନସିପି ମିଳିତ ଭାବେ ସରକାର ଗଠନ କରିବା ହିଁ ଏକମାତ୍ର ବିକଳ୍ପ । ମହାରାଷ୍ଟ୍ର ରାଜନୀତିରେ ଲେଖା ଯାଇଥିବା ଏହି ନୂଆ ଇତିହାସ କେତେ ଦିନ ତିଷ୍ଠୁଛି, ତାହା ତ ସମୟ କହିବ କିନ୍ତୁ, କ୍ଷମତାର ଲାଳସାରେ ଲାଳାୟିତ ହୋଇଥିବା ବିଜେପି ପାଇଁ ଯେ ଏହା ଏକ ଉଚିତ୍ ଶିକ୍ଷା, ତାହା ଭୁଲିବା କଥା ନୁହେଁ ।