ଆସନ୍ତା ଜୁନ ପହିଲାରୁ ଟ୍ରାକରେ ଦୌଡିବ ୨୦୦ ନନ ଏସି ଟ୍ରେନ |
Trending Photos
ନୂଆଦିଲୀ: ଦେଶବ୍ୟାପୀ ପ୍ରବାସ ଶ୍ରମିକଙ୍କ ସମସ୍ୟାକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି | କୋରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲାଗୁ ହୋଇଥିବା ଲକ ଡାଉନ କାରଣରୁ ପାଖାପାଖି ଦୁଇ ମାସ ଧରି ରହିଥିଲା ରେଳସେବା | ଆସନ୍ତା ଜୁନ ପହିଲାରୁ ଟ୍ରାକରେ ଦୌଡିବ ୨୦୦ ଟ୍ରେନ | ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି | ଯାହାର ଲାଭ ସମସ୍ତଙ୍କୁ ମିଳିବ |
ରେଳସେବାକୁ ପୁନର୍ବାର ଚାଲୁ କରିବା ନେଇ ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି, ଜୁନ ପହିଲାରୁ ଟ୍ରାକରେ ଗଡିବାକୁ ଥିବା ୨୦୦ଟି ଟ୍ରେନର ସମୟ ସାରଣୀ ସହ ଏହାର ରୁଟ ସମ୍ପର୍କରେ ଜଣାଇ ଦିଆଯିବ | ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରମିକ ସ୍ପେଶାଲ ଟ୍ରେନ ସହ ଏହାକୁ ସଞ୍ଚାଳିତ କରାଯିବ | ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଅନ୍ ଲାଇନ ବୁକିଂ କରିବାକୁ ହେବ | ରେଳଷ୍ଟେସନରେ ଥିବା ଟିକେଟ କାଉଣ୍ଟର ବର୍ତ୍ତମାନ ଖୋଲିବ ନାହିଁ | ଟ୍ରେନର ଚଳାଚଳକୁ ନିୟମିତ କରିବା ଦିଗରେ ଏହା ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ | ଏହି ଟ୍ରେନ ବ୍ୟତୀତ ଶ୍ରମିକ ଟ୍ରେନ୍ ଚାଲୁ ରହିବ|
ଏହା ମଧ୍ୟରେ ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଥିଲେ ଯେ, ବିଭିନ୍ନ ରାଜ୍ୟର ସରକାରଙ୍କ ଉଦ୍ଦେଶ୍ୟରେ ଜଣାଇ ଦିଆଯାଇଛି ବର୍ତ୍ତମାନ ରାସ୍ତାରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ମେନ ରୋଡ ନିକଟସ୍ଥ ରେଳ ଷ୍ଟେସନରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ | ଯାହା ଫଳରେ ସେମାନେ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିପାରିବେ | ବର୍ତ୍ତମାନ ପ୍ରବାସୀଙ୍କ ଉଦ୍ଦେଶ୍ୟରେ ଚଳିତ ମେ ପହିଲାରୁ ଚଳାଚଳ କରୁଛି ଶ୍ରମିକ ସ୍ପେଶାଲ ଟ୍ରେନ | ବିଗତ ୧୯ ଦିନ ମଧ୍ୟରେ ପ୍ରାୟ ସାଢେ ୨୧ ଲକ୍ଷ ଲୋକ ଏହି ଟ୍ରେନରେ ଯାତ୍ରା କରି ସାରିଛନ୍ତି | ଏ ପର୍ଯ୍ୟନ୍ତ ୧୬ ଶହରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିସାରିଛି | ଦୈନିକ ୪୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ଘୋଷଣା କରିଛି ରେଳବାଇ|
ବର୍ତ୍ତମାନ ସମସ୍ୟା ଏହା ଥିଲା ଯେ, ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ନିଜ ରାଜ୍ୟରେ ପଞ୍ଜୀକରଣ କରିବାକୁ ପଡୁଥିଲା | ଏହା ପରେ ସମ୍ପୃକ୍ତ ରାଜ୍ୟ ସରକାର ପଞ୍ଜୀକୃତ ଶ୍ରମିକଙ୍କ ତାଲିକା ରେଳବାଇକୁ ପଠାଉଥିଲେ | ଏହା ପରେ ରେଳଯାତ୍ରା କରିବାରେ ସକ୍ଷମ ହେଉଥିଲେ ପ୍ରବାସୀ ହେଲେ ଜୁନ ପହିଲାରୁ ଏଥିରେ ପରିବର୍ତ୍ତନ ଆସିବ | ଲୋକ ରେଜିଷ୍ଟ୍ରେସନ କରିବା ପରିବର୍ତ୍ତେ ସିଧା ଟ୍ରେନ ଟିକେଟ ବୁକିଂ କରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିପାରିବେ | କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକ ଏବଂ ସାଧାରଣ ଲୋକଙ୍କୁ ଭୟଭୀତ ନହେବାକୁ ଜଣାଇ ଦିଆଯାଇଛି | ସେମାନଙ୍କ ଉଦ୍ଦେଶ୍ୟରେ ଜୁନ ପହିଲାରୁ ଟ୍ରେନ ଚଳାଚଳ କରିବ | ଏଥିପାଇଁ ଧୈର୍ଯ୍ୟ ରଖନ୍ତୁ | ପାଦରେ ଚାଲିଚାଲି ଘରକୁ ନଯାନ୍ତୁ |
ଚଳିତ ବର୍ଷ ଜୁନ ୧ ତାରିଖରୁ ନନ-ଏସି ଟ୍ରେନ ଚାଲିବ | ଏହି ଟ୍ରେନର ସମୟ ସାରଣୀ ଏବଂ ରୁଟ ସ୍ଥିର ହେବା ପରେ ବୁକିଂ ଆରମ୍ଭ କରାଯିବ | ଏ ସମ୍ପର୍କରେ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଭାବେ ଅବଗତ କରାଯିବ|