ଲକ ଡାଉନ: ବନ୍ଦ ରହିଛି ସଂସଦୀୟ କାର୍ଯ୍ୟ, ଜୁନ ପହିଲାରୁ ହୋଇପାରେ ଆରମ୍ଭ

ଚଳିତ ବର୍ଷ ଜୁନ ପହିଲାରୁ ଆରମ୍ଭ ହୋଇପାରେ ସଂସଦୀୟ କାର୍ଯ୍ୟକ୍ରମ | 

ଲକ ଡାଉନ: ବନ୍ଦ ରହିଛି ସଂସଦୀୟ କାର୍ଯ୍ୟ, ଜୁନ ପହିଲାରୁ ହୋଇପାରେ ଆରମ୍ଭ

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା ଲାଗି ଦେଶ ବ୍ୟାପୀ ପ୍ରାୟ ୨ ମାସ ଧରି ଜାରି ହୋଇଛି ଲକ ଡାଉନ | ଏହା ଯୋଗୁଁ ବନ୍ଦ ରହିଛି ସଂସଦୀୟ କାର୍ଯ୍ୟ | ଏପରିକି ଆୟୋଜିତ ହୋଇ ପାରିନଥିଲା ଅନେକ ସଂସଦୀୟ ସମିତିର ବୈଠକ | ଏହା ବଦଳରେ ବିରୋଧି ଦଳର ସଦସ୍ୟ ଶଶୀ ଥରୁର, ଜୟରାମ ରମେଶ, ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ ଅନେକ ସାଂସଦ  ଅନ ଲାଇନ(ଭର୍ଚ୍ୟୁଆଲ) ମିଟିଂ କରିବା ନେଇ ଦାବି ଉଠାଇଥିଲେ | ହେଲେ ଏହା ଦ୍ୱାରା ସଂସଦୀୟ ସମିତିର  ରିପୋର୍ଟ ଲିକ ହେବାର ସମ୍ଭାବନା ରହିଥିଲା | ଏନେଇ କୌଣସି ନିଷ୍ପତ୍ତି ନିଆଯାଇନଥିଲା | ଏବେ ଲକ ଡାଉନକୁ ଅନେକ ମାତ୍ରାରେ କୋହଳ କରାଯିବା ସହ ବିମାନ ସେବା ଆରମ୍ଭ କରିବା ନେଇ ଘୋଷଣା କରାଯାଇଛି | ଏହାକୁ ଦୃଷ୍ଟିରେ ରଖି ଜୁନ ପହିଲାରୁ ସଂସଦୀୟ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି |   

ବିଭିନ୍ନ ସଂସଦୀୟ ସମିତିର ଭର୍ଚ୍ୟୁଆଲ ମିଟିଂ ହେବାର ସମ୍ଭାବନା କମ ରହିଛି | ବିମାନ ସେବା ଚାଲୁ କରିବା ନେଇ ଜଣାଇ ଦିଆଯିବା ପରେ ସାଂସଦଙ୍କ ଦିଲ୍ଲୀ ଆସିବାରେ କୌଣସି ସମସ୍ୟା ହେବ ନାହିଁ | ଶନିବାର  ଏନେଇ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କ ମଧ୍ୟରେ ଶନିବାର ବୈଠକ ହେବାର ଅଛି | ସଂସଦୀୟ ସମିତି ମିନି ସଂସଦ ଭାବେ ଜଣାଶୁଣା | ଏହାର ପ୍ରୋସେଡିଂ(କାର୍ଯ୍ୟକାରିତା) ଗୋପନୀୟ ହେବା ସହ ଏହାର ରିପୋର୍ଟ ସଂସଦରେ ରଖାଯାଏ | ଏହି କାରଣରୁ ବିରୋଧିଙ୍କ ପକ୍ଷରୁ ଦାବି କରାଯାଇଥିବା ଭର୍ଚ୍ୟୁଆଲ ମିଟିଂ ଆୟୋଜନ କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା | ଏପରିକି ଏ ସମ୍ପର୍କିତ ତଥ୍ୟ ଲିକ ହେବାର ସମ୍ଭାବନା ରହିଥିଲା |  

ରେଳ ଏବଂ ବିମାନ ସେବାକୁ କାର୍ଯ୍ୟକାରୀ କରିବା ନେଇ ଘୋଷଣା କରାଯିବା ପରେ ସଂସଦର ବିଭିନ୍ନ ସଂସଦୀୟ ସମିତିର ସଦସ୍ୟ ଥିବା ସାଂସଦଙ୍କ ଦିଲ୍ଲୀ ଆସିବାରେ କୌଣସି ସମସ୍ୟା ହେବ ନାହିଁ | ଚଳିତ ବର୍ଷ ଜୁନ ପହିଲାରୁ ଆରମ୍ଭ ହୋଇପାରେ ସଂସଦୀୟ କାର୍ଯ୍ୟ | ଯଦି କୋରୋନା ସ୍ଥିତି ନିୟନ୍ତ୍ରଣରେ ରହେ ସଂସଦର ମୌସୁମୀ ଅଧିବେସନ ପୂର୍ବ ସମୟ ଅନୁସାରେ ଆୟୋଜିତ ହୋଇପାରେ | ଜୁଲାଇର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରୁ  ବୈଠକ ଅନୁଷ୍ଠିତ ହୋଇପାରେ |