• ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ନୟାଗଡ଼ର ଦମ୍ପତି ବୋଲି ସୂଚନା II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I
  • ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II

ଓଡିଆ ପୁଅ ହେଲେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ

ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେଲେ ଗିରିଶ ଚନ୍ଦ୍ର ମୁର୍ମୁ । 

ଓଡିଆ ପୁଅ ହେଲେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ
ଗିରିଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ: ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେଲେ ଗିରିଶ ଚନ୍ଦ୍ର ମୁର୍ମୁ । ଶୁକ୍ରବାର ତାଙ୍କୁ ଏହି ନିଯୁକ୍ତି ମିଳିଛି । ଏଠାରେ ଅବସ୍ଥାପିତ ଥିବା ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବରେ ବଦଳି କରାଯାଇଛି । ସେହିପରି ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ରାଜ୍ୟପାଳ ଭାବରେ ରାଧାକୃଷ୍ଣ ମାଥୁରଙ୍କୁ ନିଯୁକ୍ତି ମିଳିଛି ।

ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ କୁହାଯାଉଥିବା କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଜଣେ ଓଡିଆ । ନାଁ ଗିରିଶ ଚନ୍ଦ୍ର ମୁର୍ମୁ । ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ଗିରିଶ ୨୧ ନଭେମ୍ବର ୧୯୫୯ ମସିହାରେ ମୟୂରଭଞ୍ଜ ବେତନଟୀରେ ଜନ୍ମଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୧୯୮୫ ବ୍ୟାଚର ଏହି ଅଫିସରଙ୍କୁ ମିଳିଥିଲା ମୁଖ୍ୟ ଶାସନ ସଚିବର ଦାୟିତ୍ୱ ।

ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ଦାୟିତ୍ୱରେ ଥିବା ଗିରିଶ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ପରେ ବ୍ରିଟେନ ବର୍ମିଂହମ ବିଶ୍ୱବିଦ୍ୟାଳୟରେ ଏମବିଏ କରିଥିଲେ । ଜଣେ ଆଇଏଏସ ଅଫିସର ଭାବରେ ଉଭୟ ରାଜ୍ୟ(ଗୁଜୁରାଟ) ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ସେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ଯେଉଁଥିପାଇଁ ତ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । ଦେଇଛନ୍ତି ଏତେ ବଡ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । 

ସେପଟେ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ରାଜ୍ୟପାଳ ଭାବରେ ଅବସ୍ଥାପିତ ହୋଇଛନ୍ତି ୧୯୭୭ ବ୍ୟାଚ୍ ର ତ୍ରିପୁରା କ୍ୟାଡର ଆଇଏଏସ୍ ଅଫିସର ରାଧାକୃଷ୍ଣ ମାଥୁର । ଗତ ୨୦୧୮ ମସିହାରେ ମୁଖ୍ୟ ସୂଚନା ଆୟୁକ୍ତ ପଦରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ଆଉ ଏବେ ମାଥୁରଙ୍କୁ ବି ମିଳିଛି ବଡ ଦାୟିତ୍ୱ । ଅନ୍ୟପଟେ ବର୍ତ୍ତମାନ ଜମ୍ମୁ କାଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆକୁ ବଦଳି କରାଯାଇଛି । 

କହିରଖୁଛୁ, ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ସମ୍ୱିଧାନର ଧାରା ୩୭୦କୁ ପ୍ରତ୍ୟାହାର କରିଥିଲେ କେନ୍ଦ୍ର ସରକାର । ଏହାସହ ଜମ୍ମୁ-କାଶ୍ମୀର ଓ ଲଦାଖକୁ ପୃଥକ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ଆଉ ଶୁକ୍ରବାର ଉଭୟ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଉପରାଜ୍ୟପାଳଙ୍କୁ ନିଯୁକ୍ତି ମିଳିଛି । ନିଜ ମାଟିର ପୁଅକୁ ଏତେ ବଡ ଦାୟିତ୍ୱ ମିଳିଥିବାରୁ କେବଳ ମୟୂରଭଞ୍ଜ କହିଁକି, ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।