ଛଅ ବର୍ଷ ବିଜେପି ଶାସନରେ 'ସୁପର୍ ଚିଫ୍ ମିନିଷ୍ଟର' ରାଜ୍ୟପାଳ !

ରାଜ୍ୟପାଳ କମ୍ 'ସୁପର୍ ଚିଫ୍ ମିନିଷ୍ଟର' !

ଛଅ ବର୍ଷ ବିଜେପି ଶାସନରେ 'ସୁପର୍ ଚିଫ୍ ମିନିଷ୍ଟର' ରାଜ୍ୟପାଳ !

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରିବାରେ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପ୍ରତିଟି ମୁହୂର୍ତ୍ତକୁ ରାଜ୍ୟପାଳ କୋଶ୍ୟାରୀ ଅତ୍ୟନ୍ତ ଧ୍ୟାନର ସହ ଅନୁଧ୍ୟାନ କରିଥିଲେ । ପ୍ରତିଟି ସେକେଣ୍ଡର ରାଜନୈତିକ ପରସ୍ଥିତି ବିଷୟରେ ଅପଡେଟ୍ ରହୁଥିଲେ । ରାଜ୍ୟପାଳ ପ୍ରଥମେ ଚତୁରତାର ସହ ବିଜେପିକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିବା ଏବଂ ବିଜେପି ମନା କରିବା ପରେ ଶିବସେନାକୁ ଡାକି ଅଧିକ ସମୟ ନ ଦେବା, ଏସବୁ ବିଷୟକୁ ରାଜ୍ୟପାଳ ଅତି ଚତୁରତାର ସହ ପରିଚାଳନା କରିଥିଲେ । ସର୍ବୋପରି ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିସ କରିବା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା ।
ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବା ପଛରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଗତବର୍ଷ ଅଗଷ୍ଟ ମାସରେ ସତ୍ୟପାଲ ମଲ୍ଲିକ ଜମ୍ମୁ କାଶ୍ମୀର ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ଏହାପରେ ବିଚ୍ଛିନ୍ନତାବାଦୀଙ୍କ ଠାରୁ ଆରମ୍ଭ କରି ଜମ୍ମୁ ଓ କାଶ୍ମୀରର ରାଜନୀତି ଉପରେ ମଧ୍ୟ ଟିକିନିଖି ଖବର ରଖୁଥିଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ୨୦୧୯ ସାଧାରଣ ନିର୍ବାଚନର ଫଳ ପ୍ରକାଶ ପାଇବା ପରେ ଜମ୍ମୁ କାଶ୍ମୀରରୁ ୩୭୦ ହଟିବା ପଛରେ ସତ୍ୟପାଲ ମଲ୍ଲିକଙ୍କ ଭୂମିକା ମଧ୍ୟ କମ୍ ନଥିଲା । କେନ୍ଦ୍ର ସରକାରଙ୍କୁ ପ୍ରତି ମୁହୂର୍ତ୍ତର ରିପୋର୍ଟ ଦେବା, ପିଡିପି ନେତାଙ୍କ ଉପରେ ନଜର ରଖିବା ଆଦି କାମ ସତ୍ୟପାଲ ମଲ୍ଲିକଙ୍କ ଥିଲା ବୋଲି ଚର୍ଚ୍ଚା ହୁଏ । ସେହିପରି ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନକଡ଼ ପ୍ରତି ମୁହୂର୍ତ୍ତରେ ମମତା ସରକାର ଉପରେ ବର୍ଷୁଛନ୍ତି । ଦୁର୍ଗା ପୂଜା ସମୟରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ । ନିକଟରେ ମଧ୍ୟ ମମତା ସରକାର ଉପରେ ସେ ନିର୍ଧୂମ୍ ବର୍ଷିଛନ୍ତି । କେହି ଲକ୍ଷ୍ମଣ ରେଖା ଡେଇଁ ପାରିବେନି ବୋଲି ରାଜ୍ୟପାଳ ଜଗଦୀପ ମମତା ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ।
ଅନ୍ୟ ଏକ ଉଦାହରଣ ହେଉଛି କର୍ଣ୍ଣାଟକ ରାଜନୈତିକ ସଙ୍କଟ । ଗତ କିଛି ମାସ ପୂର୍ବେ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଦେଖା ଦେଇଥିଲା ଏବଂ କୁମାରସ୍ୱାମୀ ସରକାର ଭାଙ୍ଗିଗଲା, ସେଥିରେ ମଧ୍ୟ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଆସ୍ଥା ଭୋଟରେ ହାରିବା ପରେ କୁମାରସ୍ୱାମୀ ସରକାର ଭାଙ୍ଗିଥିଲା । ଏହାପରେ ବିଜେପିକୁ ସରକାର ଗଠନ ନେଇ ଆମନ୍ତ୍ରଣ କରିବା ଏବଂ ବିଜେପି ସରକାର ଗଠନ କରିବା ପର୍ଯ୍ୟନ୍ତ ସବୁଥିରେ ରାଜ୍ୟପାଳ ସଂଶ୍ଳିଷ୍ଟ ଥିବା ନେଇ ଏବେ ବି ଚର୍ଚ୍ଚା ହୁଏ । ସେହିପରି ଭାରତର ରାଜଧାନୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପ ରାଜ୍ୟପାଳଙ୍କ ମଧ୍ୟରେ ହୋଇଥିବା ତିକ୍ତତା ସମସ୍ତଙ୍କୁ ଅଳ୍ପେ ବହୁତେ ଜଣା ।
ତେଣୁ, ବିଜେପିର ୬ ବର୍ଷ ଶାସନ ଭିତରେ ଏଯାଏ ଅଧିକାଂଶ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟପାଳଙ୍କ ପାୱାର ଅଧିକ । ଦିଲ୍ଲୀ ଦରବାରରୁ ଯାହା ନିର୍ଦ୍ଦେଶ ଯାଏ, ରାଜ୍ୟପାଳ ତାକୁ ହିଁ ପାଳନ କରନ୍ତି ବୋଲି ଚର୍ଚ୍ଚା ହୁଏ ।
ଭାରତରେ ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ ଅଛି । ସମସ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ହିଁ ଶପଥ ଗ୍ରହଣ କରାଇଥାନ୍ତି । ରାଜ୍ୟରେ ରାଜ୍ୟପାଳଙ୍କ ମୁଖ୍ୟତଃ ୩ଟି ଭୂମିକା ଥାଏ । ପରିଚାଳକ, ଶାସନ ଦାୟିତ୍ୱ ଏବଂ ଇଚ୍ଛାମୂଳକ ଦାୟିତ୍ୱ । ପ୍ରଥମଟିରେ ରାଜ୍ୟପାଳ ଯାହାକୁ ଚାହିଁବେ ଶାସନରେ ରଖିବେ, ଯାହାକୁ ଚାହିଁବେ ଶାସନରୁ କାଢ଼ି ପାରିବେ । ସେହିପରି ରାଜ୍ୟପାଳ ହୁଅନ୍ତୁ କି ରାଷ୍ଟ୍ରପତି, ସେମାନେ କେବେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସୂଚାଇ ନ ଥାନ୍ତି । କିନ୍ତୁ ବର୍ତ୍ତମାନ ଭାରତୀୟ ଗଣତନ୍ତ୍ରରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଇଛି । ଜଣଙ୍କ ପ୍ରରୋଚନାରେ ରାଜ୍ୟପାଳ ଶାସନ ଚଲାଇବା ନିହାତି ପରିତାପର ବିଷୟ । ଏକଥା ଆମେ କହୁ ନାହୁଁ, ଅତୀତ ଓ ବର୍ତ୍ତମାନର ଘଟଣାବଳୀକୁ ଆଧାର କଲେ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଛି ।