ଗାନ୍ଧୀଙ୍କ ଗୁଜୁରାଟରେ ମହା ଆଡ଼ମ୍ବରପୂର୍ଣ୍ଣ ଅତିଥି ଆପ୍ୟାୟନ
Advertisement

ଗାନ୍ଧୀଙ୍କ ଗୁଜୁରାଟରେ ମହା ଆଡ଼ମ୍ବରପୂର୍ଣ୍ଣ ଅତିଥି ଆପ୍ୟାୟନ

ଆସୁଛନ୍ତି ଟ୍ରମ୍ପ...ମହା ଆଡ଼ମ୍ବରପୂର୍ଣ୍ଣ ଅତିଥି ଆପ୍ୟାୟନକୁ ନେଇ ପ୍ରଶ୍ନ ଉଠାଇଲା ଏସପି...ସରକାରଙ୍କ ଉପରେ ବର୍ଷିଲେ ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ...

ଫାଇଲ ଫଟୋ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଗସ୍ତକୁ ନେଇ କଂଗ୍ରେସ ପରେ ପ୍ରଶ୍ନ ଉଠାଇଲା ସମାଜବାଦୀ ପାର୍ଟି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମହା ଆଡ଼ମ୍ବରପୂର୍ଣ୍ଣ ଅତିଥି ଆପ୍ୟାୟନକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଭାରତୀୟ ନାଗରିକଙ୍କ କଷ୍ଟ ଉପାର୍ଜିତ ଧନରେ ଏପ୍ରକାର ଆୟୋଜନକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଅଖିଳେଶ । 

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି, ''ଲୋକଙ୍କ ଟଙ୍କାରେ ଏତେସବୁ ଆୟୋଜନ କରାଯାଉଛି । ଟ୍ରମ୍ପଙ୍କୁ ନମସ୍ତେ କହିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଅଣାଯାଉଛି । ତେବେ ସତ ଉପରେ କେବେ ମଧ୍ୟ ପରଦା ଢଙ୍କା ଯାଇ ପାରିବ ନାହିଁ । ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କେଉଁ ସ୍ଥିତି ଦେଇ ଗତି କରୁଛି, ତାହା ସମଗ୍ର ବିଶ୍ୱକୁ ଜଣା ।'' 

ଅଖିଳେଶ ଆହୁରି ମଧ୍ୟ କହିଛନ୍ତି, ଦିନେ ଗୁଜୁରାଟରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ । ଗରିବ ଭାରତର ପ୍ରତିନିଧି ସ୍ୱରୂପ ଏକ ଖଦି ଧୋତି ପିନ୍ଧି ସାରା ଜୀବନ ବିତାଇ ଦେଇଥିଲେ ମହାତ୍ମା ଗାନ୍ଧୀ । ମାତ୍ର ଏବେ ସେହି ଗୁଜୁରାଟରେ ଶହ ଶହ ବାଣ ଫୁଟାଯିବ । ଦିନେ ଯେଉଁ ସାବରମତୀ ଆଶ୍ରମରୁ ଦାଣ୍ଡି ଯାତ୍ରା ଆରମ୍ଭ ହୋଇଥିଲା, ଆଜି ସେସବୁକୁ ଉପେକ୍ଷା କରାଯାଉଛି । ଆମେରିକା ରାଷ୍ଟ୍ରପତି ଅଦମ୍ମଦାବାଦର ଯେଉଁ ରାସ୍ତା ଦେଇ ରୋଡ଼ ଶୋ କରିବେ, ସେହିରାସ୍ତା ପାର୍ଶ୍ୱରେ ଥିବା ଝୁପୁଡ଼ି ଘରକୁ ଲୁଚାଇବା ପାଇଁ ପାଚେରୀ ନିର୍ମାଣ କରାଯାଉଛି । ଏହା ଗରିବ ଛୁପାଇବା 'ଗୁଜୁରାଟ ମଡେଲ' ବୋଲି କହିଛନ୍ତି ଅଖିଳେଶ । ଏପରିକି ଗାନ୍ଧୀଙ୍କ ଗୁଜୁରାଟରେ ଅତିଥିଙ୍କୁ ନିରାଡ଼ମ୍ବର ସ୍ୱାଗତ କ'ଣ ହୋଇପାରିବ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ । 

ଆହୁରି ପଢ଼ନ୍ତୁ; ଆସୁଛନ୍ତି ଆମେରିକା ରାଷ୍ଟ୍ରପତି