ବାଜିଗର୍ 'ହାମିଲଟନ୍' ବାସ୍ ପାଦେ ପଛରେ

ସୁମାକରଙ୍କ ରେକର୍ଡ ଭାଙ୍ଗିବେ କି ହାମିଲଟନ୍ ?

ବାଜିଗର୍ 'ହାମିଲଟନ୍' ବାସ୍ ପାଦେ ପଛରେ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ୱାଶିଂଟନ: ରେସିଂରେ ଯଦି କାହାକୁ ଲୋକେ ଜାଣନ୍ତି କି ଚିହ୍ନନ୍ତି, ସେ ହେଉଛନ୍ତି ମାଇକେଲ ସୁମାକର । କିନ୍ତୁ ଏବେ ସୁମାକରଙ୍କ ସମକକ୍ଷ ସାଜିଛନ୍ତି ଆଉ ଜଣେ ଏମିତି ଫର୍ମୁଲା ୱାନ୍ ଡ୍ରାଇଭର୍, ଯିଏ ବେଶ୍ ସହଜରେ ଗୋଟିଏ ପରେ ଗୋଟିଏ ଟାଇଟଲ୍ ହାସଲ କରି ଚାଲିଛନ୍ତି । ମର୍ସିଡିଜ୍ ଡ୍ରାଇଭର୍ ବ୍ରିଟେନର ଲୁଇସ୍ ହାମିଲଟନ୍ ଜିତିଛନ୍ତି କ୍ୟାରିଅରର ଷଷ୍ଠ ବିଶ୍ୱ ଟାଇଟଲ୍ ଓ ଏହା ସହ ସୁମାକରଙ୍କ ସମକକ୍ଷ ହେବା ଦିଗରେ ସେ ଆଉ ପାଦେ ଆଗେଇଛନ୍ତି । ମାଇକେଲ୍ ସୁମାକରଙ୍କର ନାଁରେ ୭ଟି ବିଶ୍ୱ ଟାଇଟଲ୍ ରହିଛି । ଏଣୁ ଆଗାମୀ ବର୍ଷ ହାମିଲଟନଙ୍କ ଉପରେ ସମସ୍ତଙ୍କର ନଜର ରହିବ । କ'ଣ ସେ ଏତେ ବଡ଼ ରେକର୍ଡ ଭାଙ୍ଗି ବିଶ୍ୱର ସର୍ବଶ୍ରେଷ୍ଠ ଫର୍ମୁଲା ୱାନ୍ ଡ୍ରାଇଭର୍ ସାଜୁଛନ୍ତି ନା ନାହିଁ ? ୨୦୧୯ ବିଶ୍ୱ ଟାଇଟଲ୍ ପୂ୍ର୍ବରୁ ହାମିଲଟନ୍ ୨୦୦୮, ୨୦୧୪, ୨୦୧୫, ୨୦୧୭ ଓ ୨୦୧୮ରେ ବିଶ୍ୱ ଟାଇଟଲ୍ ଅର୍ଜନ କରିସାରିଛନ୍ତି ।

ୟୁଏସ୍ ଗ୍ରାଣ୍ଡ ପ୍ରିକ୍ସରେ ରବିବାର ମର୍ସିଡିଜର ଦୁଇ ଟିମମେଟ୍ ଲୁଇସ୍ ହାମିଲଟନ୍ ଓ ଭେଲଟାରୀ ବୋତାସଙ୍କ ମଧ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ଓ ଶେଷରେ ବୋତାସ୍ ବାଜି ମାରି ନେଇଥିଲେ । କିନ୍ତୁ ହାମିଲଟନ୍ ସାଜିଥିଲେ ମ୍ୟାଚର ବାଜିଗର୍ । କାରଣ ହାରିକି ବି ତାଙ୍କୁ ମିଳିଥିଲା କ୍ୟାରିଅରର ସବୁଠୁ ବଡ଼ ସଫଳତା । ମ୍ୟାଚରେ ୧୮ ପଏଣ୍ଟ ହାସଲ କରିଥିବା ସୁମାକରଙ୍କୁ ମିଳିଥିଲା କ୍ୟାରିଅରର ଷଷ୍ଠ ବିଶ୍ୱ ଟାଇଟଲ୍ । ଯାହା ତାଙ୍କୁ ସୁମାକରଙ୍କର ଆଉ ଟିକେ ନିକଟତର କରିଛି ।
ତେବେ ସେ ଯେମିତି ଚାହୁଁଥିଲେ, ସେମିତି ତାଙ୍କୁ ଏ ସଫଳତା ମିଳି ନଥିଲା । ପରାଜୟ ସହ ତାଙ୍କୁ ଏହାକୁ ଗ୍ରହଣ କରିବାକୁ ପଡ଼ିଥିଲା । ଯଦିଓ ଏହି ମ୍ୟାଚରେ ସେ ଚମତ୍କାର ଡ୍ରାଇଭିଂ ଦେଖାଇଥିଲେ ଓ ଶେଷ ପର୍ଯ୍ୟନ୍ତ ମ୍ୟାଚ୍ ରେସରେ ବନି ରହିଥିଲେ, କିନ୍ତୁ ଫିନିସିଂ ଲାଇନରେ ପ୍ରଥମେ ପହଞ୍ଚିଥିଲେ ବୋତାସ୍ । ୟୁଏସ୍ ଗ୍ରାଣ୍ଡ ପ୍ରିକ୍ସର ଫାଇନାଲ୍ ରେସରେ ପୋଲ୍ ପୋଜିସନରୁ ରେସ୍ ଆରମ୍ଭ କରି ବି ଫାଇନାଲ ଲାପରେ ତାଙ୍କର ସବୁ ଯୋଜନା ପଣ୍ଡ ହୋଇଯାଇଥିଲା । ଫାଇନାଲ୍ ଲାପରେ ଟୁ-ଷ୍ଟପ୍ ଷ୍ଟ୍ରାଟେଜି ସହ ଟାୟାର୍ ପରିବର୍ତ୍ତନ କରିବାର ଯୋଜନା ତାଙ୍କ ପାଇଁ ବୁମେରାଂ ହୋଇଥିଲା ଓ ସେ ବୋତାସଙ୍କୁ ଛୁଇଁ ପାରି ନଥିଲେ ।
୨୦୧୯ ସିଜିନରେ ଅଷ୍ଟ୍ରେଲିଆନ୍ ଗ୍ରୋଁପ୍ରିରେ ପରାଜିତ ହୋଇ ସିଜିନ୍ ଆରମ୍ଭ କରିଥିବା ହାମିଲଟନ୍ ଚଳିତବର୍ଷ ୧୦ଟି ଟାଇଟଲ୍ ନିଜ ନାଁରେ କରିଛନ୍ତି । ବେହାରେନ୍, ଚାଇନିଜ୍, ସ୍ପାନିସ୍, ମୋନାକୋ, କାନାଡିଆନ୍, ଫ୍ରେଞ୍ଚ୍, ବ୍ରିଟିଶ୍, ହଙ୍ଗେରିଆନ୍, ରଷିଆନ୍, ମେକ୍ସିକାନ୍ ଗ୍ରୋଁପ୍ରିରେ ବିଜୟ ଲାଭ କରିଛନ୍ତି ମର୍ଜିଡିଜରେ ଏହି ତାରକା ଡ୍ରାଇଭର୍ । ସେହିପରି ୯ଟି ଟ୍ରାକ୍, ଯଥା - ଅଷ୍ଟ୍ରେଲିଆନ୍, ଅଜରବୈଜାନ୍, ଅଷ୍ଟ୍ରିଆନ୍, ଜର୍ମାନ୍, ବେଲଜିଆନ୍, ଇଟାଲିଆନ୍, ସିଙ୍ଗାପୋର୍, ଜାପାନିଜ୍ ଓ ଏବେ ଏବେ ୟୁଏସ୍ ଗ୍ରୋଁପ୍ରିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।