ନୂଆଦିଲ୍ଲୀ: ବିଜେପିର ଆଶା 'ଅବ କି ବାର ୭୫ ପାର', ସ୍ୱପ୍ନରେ ହିଁ ରହିଯାଇଛି । ବର୍ତ୍ତମାନ ପରିସ୍ଥିତି ଏପରି ଦଳକୁ ନମ୍ବର ଯୋଗାଡ କରିବା ପାଇଁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ହରିୟାଣାରେ ନମ୍ବର ୧ ଦଳ ଭାବେ ବିଜେପି ଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ନ ମିଳିବାରୁ ସରକାର ଗଢିବାରେ ବାଧା ଉପୁଜିଛି । ଅନ୍ୟପକ୍ଷେ ଜନନାୟକ ଜନତା ଦଳ(ଜେଜେପି)ର ପ୍ରମୁଖ ଦୁଷ୍ୟନ୍ତ ଚୌଟାଲା କିଙ୍ଗ ମେକର ଭୂମିକାରେ ଦେଖା ଦେଇଛି । ରାଜ୍ୟର କ୍ଷମତାର ଚାବିକାଠି ତାଙ୍କ ହାତରେ ରହିଛି ।
ସୂଚନା ଅନୁସାରେ କଂଗ୍ରେସ ଦୁଷ୍ୟନ୍ତ ଚୌଟାଲାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ପ୍ରସ୍ତୁତ କିନ୍ତୁ ଏଯାଏ ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ବିଜେପି ବିରୋଧୀ ସମସ୍ତ ଦଳକୁ ଏକାଠି ମିଶି ସରକାର ଗଢିବା ପାଇଁ ଅପିଲ କରିଛନ୍ତି ।
ହରିୟାଣାରେ ଦେଖା ଦେଇଥିବା ଝୁଲା ବିଧାନସଭାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜ ସରକାର ଗଢିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି କ୍ରମରେ ବିଭିନ୍ନ ରାଜନୈତିକ ଦଳଗୁଡିକ ମଧ୍ୟରେ ଲଗାତର ବୈଠକ ଜାରି ରହିଛି । ଆଜି(ଶୁକ୍ରବାର) ଦିଲ୍ଲୀରେ ସକାଳ ୧୧ଟାରେ ଜେଜେପି ତରଫୁ ବୈଠକ ଅନୁଷ୍ଠିତ ହେବ । ଏଥିରେ ଆଗାମୀ ରଣନୀତିକୁ ନେଇ ଚର୍ଚ୍ଚା କରାଯିବ ।
ହରିୟାଣାର ୯୦ଟି ବିଧାନସଭା ଆସନରୁ ବିଜେପିକୁ ୪୦, କଂଗ୍ରେସକୁ ୩୧, ଜେଜେପିକୁ ୧୦ ଓ ଅନ୍ୟାନ୍ୟକୁ ୯ଟି ଆସନ ମିଳିଛି । ଏହି ପରିସ୍ଥିତିରେ ରାଜ୍ୟରେ ଆଗାମୀ ସରକାର କିଏ ଗଢିବ, ତାହାକୁ ନେଇ ବହୁ ସମ୍ଭାବନା ଦେଖା ଦେଇଛି । ଆସନ୍ତୁ ସେହି ସମ୍ଭାବନା ବିଷୟରେ ଚର୍ଚ୍ଚା କରିବା...
୧. ବିଜେପି ଓ ସ୍ୱାଧୀନ ବିଧାୟକଙ୍କ ମଧ୍ୟରେ ମେଣ୍ଟ
ବିଜେପି ୪୦ ଆସନ ଜିତି ସାରିଛି । ବହୁମତ ପାଇଁ ଆଉଁ ୬ଟି ଆସନର ଆବଶ୍ୟକତା ରହିଛି । କାରଣ ସରକାର ଗଢିବା ପାଇଁ କୌଣସି ଦଳକୁ ହରିୟାଣା ବିଧାନସଭାରେ ୪୬ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ତେଣୁ ବିଜେପିକୁ ୪୬ର ମ୍ୟାଜିକ ନମ୍ବର ଆବଶ୍ୟକତା ରହିଛି । ଏହି ପରିସ୍ଥିତିରେ ୬ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ରାଜ୍ୟରେ ସରକାର ଗଢି ପାରିବ ।
୨. କଂଗ୍ରେସ-ଜେଜେପି ଓ ଅନ୍ୟାନ୍ୟଙ୍କ ମଧ୍ୟରେ ମେଣ୍ଟ
କଂଗ୍ରେସ ପାଖରେ ୩୧ଟି ଓ ଜେଜେପି ପାଖରେ ୧୦ଟି ଆସନ ରହିଛି । ତେଣୁ ଏହି ଦୁଇ ଦଳ ମିଶି ସରକାର ଗଢିବାକୁ ଚାହିଲେ ଆହୁରି ୫ଟି ଆସନର ଆବଶ୍ୟକତା ରହିଛି । ଏହି ପରିସ୍ଥିତିରେ ସ୍ୱାଧୀନ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ହେବ । କିନ୍ତୁ ଅନ୍ୟ ୯ ବିଧାୟକଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ବିଜେପିର ଅସନ୍ତୁଷ୍ଟ ନେତା । ତେଣୁ ସେମାନେ କେବେ ମଧ୍ୟ କଂଗ୍ରେସକୁ ସମର୍ଥନ ଦେବେ ନାହିଁ । ଏହି ପରିସ୍ଥିତିରେ ଅନ୍ୟଦଳରୁ ୬ ବିଧାୟକ କଂଗ୍ରେସରେ ଆସିଲେ, ତେବେ ଯାଇ ଜେଜେପି ସହ ମିଶି ଭୁପେନ୍ଦ୍ର ହୁଡ୍ଡା ସରକାର ଗଢି ପାରିବେ ।
୩.ବିଜେପିକୁ ଜେଜେପିର ସମର୍ଥନ
ଯଦି ଜେଜେପି ପ୍ରମୁଖ ଦୁଷ୍ୟନ୍ତ ଚୌଟାଲା ବିଜେପିକୁ ସମର୍ଥନ ଦେଉଛନ୍ତି । ତେବେ ସହଜରେ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ କରି ପାରିବ । ଏହାସହ ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରି ପାରିବେ । କାରଣ ବିଜେପିର ୪୦ ଓ ଜେଜେପିର ୧୦ ମିଶି ୫୧ଟି ଆସନ ହୋଇଯିବ । ଯାହା ଆବଶ୍ୟକ ମ୍ୟାଜିକ ନମ୍ବର ଠାରୁ ଅଧିକ ।
୪. ହରିୟାଣାରେ କର୍ଣ୍ଣାଟକ ଫର୍ମୁଲା
ହରିୟାଣାରେ ମଧ୍ୟ କର୍ଣ୍ଣାଟକ ଫର୍ମୁଲା ଲାଗୁ କରି ହେବ । କର୍ଣ୍ଣାଟକରେ କଂଗ୍ରେସ ପାଖରେ ଅଧିକ ଆସନ ସତ୍ତ୍ୱେ ଜେଡିଏସ ନେତା କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା । ବର୍ତ୍ତମାନ ଏହି ଫର୍ମୁଲା ହରିୟାଣା ଲାଗୁ ହୋଇ ପାରିବ, ଯଦି କଂଗ୍ରେସ ଚାହିବ । ଜେଜେପିକୁ ସମର୍ଥନ ଦେଇ ଦୁଷ୍ୟନ୍ତ ଚୌଟାଲାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ ପାରିବ କଂଗ୍ରେସ । ଅନ୍ୟପକ୍ଷେ ୬ ସନ୍ତୁଷ୍ଟ ବିଜେପି ବିଧାୟ ଏହି ମାମଲାରେ ବାଧା ଉତ୍ପନ୍ନ କରି ପାରନ୍ତି ।