Trending Photos
ନୂଆଦିଲ୍ଲୀ: ହରିୟାଣାରେ ସରକାର ଗଢିଛି ବିଜେପି-ଜେଜେପି ମେଣ୍ଟ । ଯଦିଓ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ କୌଣସି ବୁଝାମଣା ହୋଇନଥିଲା, ନିର୍ବାଚନର ଫଳାଫଳ ଦେଖି ମେଣ୍ଟ କରିଥିଲେ । ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ବି ମିଳିଲା । ତେବେ ଏହି ସୁବିଧାବାଦୀ ରାଜନୀତିକୁ ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ । ଯାହାର ଜବାବ ରଖିଛନ୍ତି ହରିୟାଣାର ନବ ନିର୍ବାଚିତ ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲା ।
ହରିୟାଣାରେ ସରକାର ଗଢିବାକୁ ସ୍ୱପ୍ନ ଦେଖୁଥିବା କଂଗ୍ରେସର ସବୁ ଅଙ୍କକୁ ଫେଲ କରିଦେଇଥିଲେ କିଛି ସ୍ୱାଧୀନ ବିଧାୟକ । ଏମାନେ ବିଜେପିରେ ମିଶିବା ପରେ ଜେଜେପି ମଧ୍ୟ ବିଜେପି ଆଡକୁ ଢଳିଥିଲା । ଆଉ ବିଜେପି-ଜେଜେପି ସରକାର ବି କଲେ । ଏହାକୁ ନେଇ ଜେଜେପିକୁ ସମାଲୋଚନା କରିଥିଲା କଂଗ୍ରେସ । ଲୋକେ ଭୋଟ କାହାକୁ ଦେଇଥିଲେ ଏବଂ ଜେଜେପି କାହାକୁ ସମର୍ଥନ କରୁଛି ବୋଲି ପ୍ରଶ୍ନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା । ଆଉ ଆଜି ଏହାର ଜବାବ ଦେଇଛନ୍ତି ଜେଜେପି ମୁଖ୍ୟ ।
ଦୁଷ୍ମନ୍ତ ଚୌଟାଲା କହିଛନ୍ତି, ନା ଆମେ ବିଜେପି ପାଇଁ ଭୋଟ ମାଗିଥିଲୁ, ନା କଂଗ୍ରେସ ପାଇଁ । ଆମେ ଜନନାୟକ ଜନତା ପାର୍ଟି(ଜେଜେପି) ପାଇଁ ହିଁ ଭୋଟ ମାଗିଥିଲୁ । ଆଉ ଏବେ ହରିୟାଣାରେ ଏକ ସ୍ଥିର ସରକାର କରିବାକୁ ଜେଜେପି ଚାହେଁ । ଆଉ ଖାସ୍ ଏଥିପାଇଁ ହିଁ ବିଜେପି ସହ ମେଣ୍ଟ କରିଛୁ ବୋଲି ସେ କହିଛନ୍ତି । ଆମେ କଣ କଂଗ୍ରେସ ପାଇଁ ଭୋଟ ମାଗିଥିଲୁ କି ବୋଲି ପ୍ରଶ୍ନ ବି କରିଛନ୍ତି ।
ଆଜି ନିର୍ବାଚନମଣ୍ଡଳୀର ସାଧାରଣ ଲୋକଙ୍କୁ ଭେଟିଛନ୍ତି ହରିୟାଣା ଉପମୁଖ୍ୟମନ୍ତ୍ରୀ । ଏହି ଅବସରରେ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।